ମାତ୍ର ଦେଢ଼ କିମି. ରାସ୍ତା:୪ ମାସର କାର୍ଯ୍ୟ ୧୫ ମାସ ପରେ ବି ସରିନି

କାମ ନସରୁଣୁ ଆରମ୍ଭ ହୋଇଯାଇଛି ରକ୍ଷଣାବେକ୍ଷଣ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଗାଁଗାଁ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପିଚୁ ରାସ୍ତା ନିର୍ମାଣ ଚାଲିଛି। ହେଲେ ସବୁଠି ରାସ୍ତା ନିର୍ମାଣରେ ବ୍ୟତିକ୍ରମ ଦେଖାଦେଉଛି। କେଉଁଠି ନିମ୍ନମାନର କାର୍ଯ୍ୟ ହେଉଛି ତ, କେଉଁଠି କାମ ବିଳମ୍ବ ହେଉଛି। ଆଉ କେଉଁଠି ନିମ୍ନମାନର ସମାଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀମାନଙ୍କ ବିରୋଧରେ ମାଳମାଳ ଅଭିଯୋଗ ତଥାପି କାର୍ଯ୍ୟାନୁଷ୍ଠାନ ଶୁନ।

ସ୍ଥାନୀୟ ବ୍ଳକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ବାଡେନାଜୁ ଗ୍ରାମକୁ ପକ୍କା ସଡକ ନିର୍ମାଣ ନିମନ୍ତେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପୂର୍ତ୍ତବିଭାଗ ରାସ୍ତା ଠାରୁ ବାଡେନାଜୁ ଦେଢ଼ କିମି ରାସ୍ତା ନିର୍ମାଣ ନିମନ୍ତେ ୪୨ ଲକ୍ଷ ୪୭ ହଜାର ୮୩୧.୩୮ ପଇସା ଅଟକଳ କରାଯାଇ ଚାରି ମାସ ଭିତରେ କାର୍ଯ୍ୟ ସମାପ୍ତ ନିମନ୍ତେ ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା ଫଳକରୁ ସ୍ପଷ୍ଟ ହୋଇଛି। ଦେଢ଼ କିମି ରାସ୍ତା ମଧ୍ୟରୁ ୧.୨୭୦ କିମି. ପିଚୁ ରାସ୍ତା ହେବାକୁ ଥିବା ବେଳେ ୦.୨୩୦ କିମି. କଂକ୍ରିଟ ରାସ୍ତା ସହ ୨ଗୋଟି ପୋଲ ନିର୍ମାଣ ହେବ। କାର୍ଯ୍ୟ ଆରମ୍ଭ ହୋଇଛି ୭ ସେପ୍ଟେମ୍ବର ୨୦୧୯ରେ ଏବଂ କାର୍ଯ୍ୟ ଶେଷ ହେବ ୬ ଜାନୁଆରୀ ୨୦୨୦। ଲିଖିତ ସୂଚନା ଫଳଜ ଅନୁସାରେ ମାତ୍ର ଦେଢ଼ କିମି ରାସ୍ତା ଚାରିମାସ ଭିତରେ ଶେଷ ହେବା ବଦଳରେ ପନ୍ଦର ମାସ ବିତିଲାଣି କାମ ସମ୍ପୂର୍ଣ୍ଣ ହୋଇନି। ବର୍ତ୍ତମାନ ସୁଦ୍ଧା ପିଚୁ ପଡିବା କାମ ଆରମ୍ଭ ହୋଇନି। ଠିକାଦାରଙ୍କ ଚୁକ୍ତି ପ୍ରକାରେ ଇତିମଧ୍ୟରେ କାର୍ଯ୍ୟ ଅବଧି ସମାପ୍ତ ହୋଇ ଏକବର୍ଷ ବିତିଲାଣି। ତଥାପି ବିଭାଗୀୟ ଅଧିକାରୀ କଣ କରୁଛନ୍ତି ତାହା ଜଣାପଡ଼ୁନାହିଁ । ଚୁକ୍ତି ଖିଲାପକାରୀ ଠିକାଦାରଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନ। ସୂଚନା ପ୍ରକାରେ ରାସ୍ତା କାମ ରକ୍ଷଣାବେକ୍ଷଣ ଆରମ୍ବ କାର୍ଯ୍ୟ ୭ ଜାନୁଆରୀ ୨୦୨୦ରୁ ଆରମ୍ଭ ଥିବା ଲେଖାଅଛି। ରକ୍ଷଣାବେକ୍ଷଣ ବାବଦରେ ୩ଲକ୍ଷ ୯୩ ହଜାର୨୫୧ଟଙ୍କା ଅଛି। କାମ ସରିନି ରକ୍ଷଣାବେକ୍ଷଣ ତାରିଖ ଆରମ୍ଭ ହୋଇଗଲାଣି। କେମିତି ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ଏହି କାର୍ଯ୍ୟରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ତେଣୁ ତୁରନ୍ତ ଏହି ରାସ୍ତା କାର୍ଯ୍ୟ ସାରିବାକୁ ଏବେ ଗ୍ରାମବାସୀ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର