ମାସିକିଆ ଟିକାଦାନ ବେଳେ ୪ମାସର ଶିଶୁ ମୃତ୍ୟୁ ଅଭିଯୋଗ

ମହିଳା ସ୍ବାସ୍ଥ୍ୟ କର୍ମୀ ଭୁଲ ଇଂଜେକସନ ଦେବା ଯୋଗୁଁ ଶିଶୁ ମରିଥିବା ଗ୍ରାମବାସୀ ଓ ପରିବାରବର୍ଗର ଅଭିଯୋଗ

ଜୟପୁର: ମାସିକିଆ ଟିକାଦାନ ସମୟରେ ମହିଳା ସ୍ବାସ୍ଥ୍ୟ କର୍ମୀ ଭୁଲ ଇଂଜେକସନ ଦେବା  ଯୋଗୁଁ ୪ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଏଭଳି ଏକ ଗୁରୁତର ତଥା ସ୍ପର୍ଶକାତର ଅଭିଯୋଗଟି ହୋଇଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ସର୍ଗିଗୁଡା ପଂଚାୟତର ବଡଦୁବୁଲି ଗାଁରୁ। ଗତକାଲି ଏହି ଗାଁରେ ମାସିକିଆ ଟିକାଦାନ ଦିବସ ଥିଲା। ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଟିକାଦାନ ଚାଳିଥିଲା। ବଡଦୁବୁଲି ଗାଁର ଅର୍ଜୁନ ଭୁମିଆଙ୍କ ୪ମାସର ଶିଶୁପୁତ୍ରଙ୍କୁ ଏଠାରେ ମହିଳା ସ୍ବାସ୍ଥ୍ୟ କର୍ମୀ ଜଣକ ଟୀକା ଦେଇଥିଲେ।  ଶିଶୁଟି ପୋଲିଓ, ପେଣ୍ଟା ଓ ରୋଟା ନେଇ ଘରକୁ ଯାଇଥିଲେ। ଘରକୁ ଯିବା ପରେ ଅଚାନକ ଭାବେ ଶିଶୁଟିର ଶରୀରର ତାପମାତ୍ରା ବୃଦ୍ଧି ପାଇବା ସହ ଜ୍ବର ଆସିଥିଲା। ଶିଶୁଟିର ହାତ ଗୋଡ଼ ଥଣ୍ଡା ପଡ଼ିଯାଇଥିଲା। ଏହା ଦେଖି ପରିବାରବର୍ଗ ମହିଳା ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡୀ କର୍ମୀଙ୍କୁ ଫୋନ କରିଥିଲେ। ବାରମ୍ବାର ଫୋନ କରିବା ସତ୍ବେ ଉଭୟ ଫୋନ ଉଠାଇନଥିଲେ। ପରିବାରବର୍ଗ ବାଧ୍ୟ ହୋଇ ଗାଡି ଭଡା କରି  ସଂଧ୍ୟାରେ ବୋରିଗୁମ୍ମା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ଶିଶୁଟିକୁ ଧରି ଆସିଥିଲେ। ଏଠାରେ ଡ୍ୟୁଟିରେ ଥିବା ଡ.ଶୀତଳ ସାବତ ଶିଶୁଟି ବାଟରେ ହିଁ ମୃତ୍ୟୁ ବରଣ କରିଥିବା ପରିବାରବର୍ଗଙ୍କୁ ଜଣାଇଥିଲେ।

 

ପରିବାରବର୍ଗ ମୃତ ଶିଶୁକୁ ନେଇ ବଡଦୁବୁଲି ଗାଁକୁ ଫେରି ଆସିଥିଲେ। ଗାଁକୁ ଆସିବା ପରେ ଗ୍ରାମବାସୀମାନେ ପ୍ରତିକ୍ରୀୟା ପ୍ରକାଶ କରିଥିଲେ। ଶିଶୁର ଶବର ଶେଷକୃତ୍ୟ ସଂପନ୍ନ କରିନଥିଲେ। ତୁରନ୍ତ ସ୍ବାସ୍ଥ୍ୟ ବିଭାଗ କାରଣ ସଂପର୍କରେ ଜଣାଇବା ସହ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଭୁଲ ଇଂଜେକ୍ସନ ଦେବା  ଯୋଗୁଁ ରିଏକ୍ସନ ହୋଇ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ.ରାଜାରାମ ସ୍ବାଇଁ, ଅନ୍ୟ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ଗାଁକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଗ୍ରାମବାସୀ ମାନେ କାହିଁକି‌ ଓ କେଉଁ ପରିସ୍ଥିତିରେ ମହିଳା ସ୍ବାସ୍ଥ୍ୟ ଅଧିକାରୀ ଜଣକ ସରକାରୀ ସିୟୁଜି ଫୋନ ଉଠାଇ ନଥିଲେ ତାହାର ତଦନ୍ତ କରିବାକୁ ଦାବି କରିଥିଲେ। ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ସିଧାସଳଖ ଭାବେ ତାଙ୍କରି ଭୁଲ ଇଂଜେକ୍ସନ ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ବି କରିଥିଲେ।  

ମୃତ ଶିଶୁର କ୍ଷତିପୂରଣ ବି ଦାବି କରିଥିଲେ। ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ତହସିଲଦାର ଦେବା ସହ ଗୋଷ୍ଠୀ ଚିକିତ୍ସାଳୟର ମେଡିକାଲ ଅଧିକାରୀ ତଦନ୍ତ କରିବାର ଆଶ୍ବସନା ଦେବା ପରେ ଗ୍ରାମବାସୀ ଓପରିବାରବର୍ଗ ଶିଶୁର ଶେଷକୃତ୍ୟ ସଂପନ୍ନ  କରି ଗାଁ ଶ୍ମଶାନରେ ପୋତିଥିଲେ। ପ୍ରାୟ ୧୫ଘଣ୍ଟା କାଳ ‌ମୃତ ଶିଶୁର ଶବ ସେଭଳି ଗାଁରେ ପଡ଼ି ରହିଥିଲା।

ମାସିକିଆ ଟିକାଦାନ ନିୟମିତ ଚାଲୁଛି। ଏହି ଶିଶୁ ସହ ଅନ୍ୟ ୧୧ଜଣ ଶିଶୁ ବି ମାସିକିଆ ଟୀକାଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାହାରିକୁ କିଛି ହୋଇନଥିବା ବେଳେ ଏହି ଜଣେ ଶିଶୁଙ୍କୁ ଏଭଳି ହୋଇଥିଲା ବୋଲି କହିଛନ୍ତି ବୋରିଗୁମ୍ମା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ମେଡିକାଲ ଅଧିକାରୀ ଡ.ରାଜାରାମ ସ୍ବାଇଁ। ଟିକାଦାନ ଯୋଗୁଁ ନୁହେଁ ସ୍ତନ୍ୟପାନ ସମୟରେ ଶ୍ବାସନଳୀରେ ସମସ୍ୟା ଦେଖାଦେଇ ନିଶ୍ବାସ ନେଇ ନ ପାରି ମୃତ୍ୟୁ ହୋଇଥିବ‌ ବୋଲି ସଂଦେହ କରୁଛୁ ବୋଲି ବୋରିଗୁମ୍ମା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ମେଡିକାଲ ଅଧିକାରୀ ଡ. ସ୍ବାଇଁ କହିଛନ୍ତି। ଟିକାଦାନ ନେବା ସମୟରେ ଏଭଳି କେବେ ବି ଶିଶୁ ମାନଙ୍କର ମୃତ୍ୟୁ ହୋଇ ନାହିଁ କି ହେବ ନାହିଁ ବୋଲି ମେଡିକାଲ ଅଧିକାରୀ ଡ.ସ୍ବାଇଁ ସଫେଇ ଦେଇଛନ୍ତି। ଗ୍ରାମବାସୀ ଓପରିବାରବର୍ଗ କେବଳ ମୌଖିକ ଭାବେ ଅଭିଯୋଗ କରିଥିଲେ , ଲିଖିତ ଭାବେ କିଛି ଅଭିଯୋଗ କରି ନାହାନ୍ତି ବୋଲି କହିଛନ୍ତି ବୋରିଗୁମ୍ମା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ମେଡିକାଲ ଅଧିକାରୀ ଡ. ସ୍ବାଇଁ।

ସମ୍ବନ୍ଧିତ ଖବର