ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଧନନ୍ତରୀ ଜିଲ୍ଲାରେ ପୁଲିସ ୪ ଜଣ ନକ୍ସଲ ମିଲିସିଆଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଛତିଶଗଡ ପୁଲିସ ଧନନ୍ତରି ଜଂଗଲରେ ଚଢାଉ କରିଥିଲେ। ତେବେ ସର୍ଚ୍ଚ ଅପରେସନବେଳେ ଜଣେ ବ୍ୟକ୍ତି ଜଂଗଲରେ କିଛି ଜିନିଷ ନେଇ ଯାଉଥିବା ଲକ୍ଷ୍ୟ କରିଥିଲେ ଯବାନ। ତୁରନ୍ତ ଅଜଣା ବ୍ୟକ୍ତିକୁ ଧରି ପଚରାଉଚରା କରିବା ପରେ ସେ ନିଜ ନାମ ତାମ୍ରଧ୍ବଜ ଓରଫ ରିଙ୍କୁ ସାହୁ ବୋଲି ପରିଚୟ ଦେଇଥିଲା। ସେ ନକ୍ସଲ ସହ ମିଶି କାମ କରୁଥିବା ସ୍ବୀକାର କରିଥିଲା।
ସେ ନିଜ ବାପା ଶିବକୁମାର ସାହୁ, ରାକେଶ କଶ୍ୟପ ଏବଂ ଇଶ୍ବର ଲାଲଙ୍କ ସହ ମିଶି ନକ୍ସଲ ପାଇଁ ସମସ୍ତ କାମ କରୁଥିବା କହିଥିଲା। ପରେ ତୁରନ୍ତ ସମସ୍ତ ନକ୍ସଲ ମିଲିସିଆମାନଙ୍କୁ ପୁଲିସ କାବୁ କରି ଗିରଫ କରିଥିଲା। ଏମାନଙ୍କ ଠାରୁ ନକ୍ସଲ ବ୍ୟାନର, ପୋଷ୍ଟର, ପୋଷାକ, ବିସ୍ଫୋରକ, ମୋବାଇଲ ସହ ମୋଟରସାଇକେଲ ମଧ୍ୟ ଜବତ କରାଯାଇଥିଲା।