ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାରଣରୁ ପ୍ରାୟ ୪ ଜଣ ମଣିଷ ଓ ୪ ଗୋରୁଙ୍କ ମୃତ୍ୟୁ ଘଟିଛି। ସେହି ସବୁ ମାମଲାଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଯାଇଛି।
କଲେଜ୍ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ
ଅତାବିରା: ଅତାବିରା ବ୍ଲକ୍ ମନାପଡ଼ା ପଞ୍ଚାୟତର ଲସ୍ତଲା ଗ୍ରାମର ରବୀନ୍ଦ୍ର ମେହେରଙ୍କ ଝିଅ ରିତୁଶ୍ରୀ ମେହେର (୧୯)ଙ୍କ ମୃତ୍ୟୁ ଘଟିଛି। ସେ ବରଗଡ଼ ପଞ୍ଚାୟତ କଲେଜରେ ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ଗତ ତିନି ସପ୍ତାହ ତଳେ ତାଙ୍କୁ ଜ୍ବର ହୋଇଥିଲା। ଜ୍ବର ନ ଛାଡ଼ିବାରୁ ପରିବାର ଲୋକେ ତାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରିଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବିଷାକ୍ତ କୀଟ କାମୁଡ଼ାଜନିତ ପାର୍ଶ୍ବ ପ୍ରତିକ୍ରିୟାର ଚିକିତ୍ସା ଚାଲିଥିଲା। ରବିବାର ସକାଳେ ଚିକିତ୍ସାଧୀନ ଅବସ୍ଥା ତାଙ୍କର ମୃତ୍ୟୁ ଘଟିଥିଲା। ଅପରାହ୍ଣରେ ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା।
ବିଦ୍ୟୁତ୍ ସଂସ୍ପର୍ଶରେ ରାଜମିସ୍ତ୍ରି ମୃତ ବରପାଲି
ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କନବାର ଗ୍ରାମରେ ମଙ୍ଗଳବାର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ରାଜମିସ୍ତ୍ରିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅନିରୁଦ୍ଧ ହାତୀ (୨୮)। ପ୍ରକାଶ ଥାଉକି, ଆଜି ପୂର୍ବାହ୍ନ ୯ଟା ସମୟରେ କନବାର ଗ୍ରାମର ଧଜ ସେଠ୍ଙ୍କ ଘର ଛାତ କାମ ଚାଲିଥିଲା। ଛାତ କାମ କରୁଥିବା ରାଜମିସ୍ତ୍ରି ଅନିରୁଦ୍ଧ ଏଥିରେ ବ୍ୟବହାର ହେଉଥିବା ସିଲଭର ପାଇପ୍କୁ ଭୁଲରେ ଉପରକୁ ଟେକି ଦେଇଥିଲେ। ଫଳରେ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ବରପାଲି ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପିତା ପଦ୍ମଲୋଚନ ହାତୀ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।
କୂଅରେ ପଡ଼ି ଜଣେ ମୃତ
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଭଡ଼ାରେ ରହୁଥିବା ଉପେନ୍ଦ୍ର ଗୁପ୍ତା (୪୫)ଙ୍କ ମୃତଦେହ ମଙ୍ଗଳବାର ସେଠାରେ ଥିବା କୂଅରୁ ଉଦ୍ଧାର କରାଯାଇଛି। ମୃତ ଉପେନ୍ଦ୍ରଙ୍କ ଘର ଝାଡ଼ଖଣ୍ଡ ରାଜ୍ୟ ପଲାମୁ ଜିଲ୍ଲା ପିପାରା ଗ୍ରାମରେ। ସେ ଶ୍ରୀ ଅଗ୍ରୱାଲଙ୍କ ଘରେ ଭଡ଼ାରେ ରହୁଥିଲେ। ୩ ଦିନ ହେଲା ସେ ନିଖୋଜ ଥିବା ବେଳେ ତାଙ୍କ ଚପଲ ଓ ଚାବି କୂଅ ନିକଟରେ ପଡ଼ିଥିଲା। ୩ ଦିନ ତଳେ ନିଶାସକ୍ତ ଅବସ୍ଥାରେ ବୁଲୁଥିବା ପଡ଼ାର ଲୋକମାନେ କହିଛନ୍ତି। ସୋମବାର ପଡ଼ୋଶୀମାନେ ଉପେନ୍ଦ୍ରଙ୍କ ନିଖୋଜ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ। ଆଜି କୂଅରେ ଶବ ଭାସିବା ପରେ ପଡ଼ାବାସୀ ପୁଲିସ୍କୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।
ଶ୍ବଶୁର ଘରକୁ ଆସି ନାଳରେ ବୁଡ଼ି ଜ୍ବାଇଁ ମୃତ
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୌରମାଲ ପଞ୍ଚାୟତ ଠିଆବେର୍ଣ୍ଣା ଗ୍ରାମର ନାଳରୁ ମଙ୍ଗଳବାର ପଦ୍ମଲୋଚନ ଡିଲାରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ୨ ଦିନ ହେଲା ନିଖୋଜ ଥିଲେ। ମୃତ ପଦ୍ମଲୋଚନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଖପରିକଛା ଗ୍ରାମରେ। ପୁଅ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ତାକୁ ନେଇ ପଦ୍ମଲୋଚନ ଶ୍ୱଶୁର ଘର ଠିଆବେର୍ଣ୍ଣାକୁ ଆସିଥିଲେ। ଗତ ୨ ଦିନ ହେବ ସେ ନିଖୋଜ ଥିବାରୁ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ପାଉ ନଥିଲେ। ଆଜି ଅପରାହ୍ଣରେ ନାଳରେ ଏକ ଶବ ଭାସୁଥିବା ସୂଚନା ପାଇବା ପରେ ପତ୍ନୀ ପହଞ୍ଚି ତାହା ପଦ୍ମଲୋଚନଙ୍କ ବୋଲି ଚିହ୍ନଟ କରିଥିଲା। ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ବଜ୍ରପାତରେ ଜଣେ ଯୁବକ ମୃତ
ନାକଟିଦେଉଳ: ନାକ୍ଟିଦେଉଳ ବ୍ଲକ୍ରେ ମଙ୍ଗଳବାର ବଜ୍ରପାରେ ଜଣେ ଯୁବକ ଓ ୪ ଗୋରୁଙ୍କ ମୃତ୍ୟୁ ଘଟିଛି। ଜାମୁଜୋରୀ ପଂଚାୟତ ବାଗବର ନିକଟସ୍ଥ କୁହ୍ଲବସା ନୂତନ ବ୍ରିଜ୍ ନିକଟରେ ଗାଧୋଇବାକୁ ଯାଇଥିବା ମୁନା ପ୍ରଧାନ (୨୬)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲା କଇଙ୍ଗ ଗ୍ରାମର ମୁନା ଏଠାରେ ଜେସିବି ଅପରେଟର ଭାବରେ କାମ କରୁଥିଲେ। ଗାଧୋଉଥିବା ସମୟରେ ବଜ୍ରପାତ ହୋଇଥିଲା। ପାଣି ଭିତରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଦମକଳ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ସେହିପରି ବାଟଗାଁ ପଞ୍ଚାୟତ ଗଦାଧରପୁର ଗ୍ରାମର ବିଛଣ୍ଡ ଆଠଜଉଆଳୀଙ୍କର ୪ଟି ଗାଈ ବଳଦଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-body.jpg)