ଭଞ୍ଜନଗର : ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ଓ ଉତ୍ତର ଘୁମୁସରର ବନଖଣ୍ଡରେ ହାତୀ-ମଣିଷ ଲଢ଼େଇ ଚିନ୍ତାଜନକ ପ୍ରସଙ୍ଗ ଭାବେ ଉଭା ହୋଇଛି। ନିଜ ସୁରକ୍ଷା ପାଇଁ ହାତୀ କେତେବେଳେ ରକ୍ତମୁଖା ହୋଇ ମଣିଷକୁ ମାରୁଛି, ତ ଆଉ କେତେବେଳେ ମଣିଷ ସ୍ବାର୍ଥ ହାସଲ ଏବଂ ଜୀବନଜୀବିକାର ସୁରକ୍ଷା ପାଇଁ ହାତୀ ଶିକାର କରିବାକୁ ପଛାଉନି। ଗତ ୪ ମାସ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡରେ ଏକାଥରକେ ତିନିଟି ହାତୀକୁ ଶିକାର କରି ସେମାନଙ୍କ ଦାନ୍ତ କାଢ଼ିନେବା ଘଟଣା ଏହାର ଜ୍ବଳନ୍ତ ଉଦାହରଣ। ସେହିପରି ହାତୀପଲ ବି ନିଜ ଜୀବନ ବଞ୍ଚାଇବା ଲାଗି ସାଧାରଣ ଲୋକଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି। କେତେବେଳେ ଗାଁ ଭିତରେ ପଶି ଦୌରାତ୍ମ୍ୟ ଖେଳାଉଛନ୍ତି ତ, ଆଉ କେତେବେଳେ ପୂରା ରାଜରାସ୍ତାକୁ ନିଜ ଅକ୍ତିଆରକୁ ନେଇଯାଉଛନ୍ତି। ଏଭଳି ପରିସ୍ଥିତିରେ ନିଜର ଓ ନିଜ ପରିବାରର ଜୀବନ ରକ୍ଷା ପାଇଁ ଉଭୟ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି। ୨୦୨୦ ମସିହା ଡିସେମ୍ବର ମାସରୁ ଆଜି ସୁଦ୍ଧା ହାତୀ ଆକ୍ରମଣରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି।
ଗତ ଶନିବାର ରାତିରେ ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର କ୍ଷେତମୁଣ୍ଡଳି ଗ୍ରାମର ଚାଷୀ ପବିତ୍ର ପାତ୍ର ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ତାଙ୍କ ସହ ଅନ୍ୟ କିଛି ଚାଷୀ ନିଜ ଜୀବନ ବଞ୍ଚାଇବା ଲାଗି ଆକ୍ରମଣରୁ ବର୍ତ୍ତି ଆହତ ହୋଇଥିଲେ। ଏହାପୂର୍ବରୁ ଗତବର୍ଷ ଜୁନ୍ ମାସରେ କେନ୍ଦ୍ରୀୟ ବନାଞ୍ଚଳର ଢଉପଲ୍ଲୀ କାଜୁ ବଗିଚାରେ ବିଦ୍ୟୁତ୍ ତାର ଲାଗି ଏକ ହାତୀର ମୃତ୍ୟୁ ଘଟିଥିଲା। ଏହାପରେ ସାଙ୍ଗରେ ଥିବା ହାତୀପଲ ରକ୍ତମୁଖା ହୋଇ ଉଠିଥିଲେ। ସେମାନେ ଗାଙ୍ଗପୁର ସେକ୍ସନ୍ ଅତିକ୍ରମ କରି ଜଗନ୍ନାଥପ୍ରସାଦ ରେଞ୍ଜ୍ ଅଧୀନ ଜିଲିବା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଥିଲେ। ଏହାସହ ୨ ଜଣ ମହିଳା ଆହତ ହୋଇଥିଲେ। ୨୦୨୦ ମସିହା ଡିସେମ୍ବର ମାସରେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ବନାଞ୍ଚଳ ବଦାଙ୍ଗୀ ସେକ୍ସନ୍ ହରିଗଡ ବିଟ୍ ନୂଆପଲ୍ଲୀ ନିକଟସ୍ଥ କାଜୁ ବଗିଚାରେ ଏକ ମାଈହାତୀ ଛୁଆକୁ ଜନ୍ମ ଦେଇଥିଲା। ସେମାନଙ୍କୁ ଦେଖିବା ପାଇଁ ବହୁ ଲୋକ ଭିଡ଼ ଜମାଇଥିବାରୁ ସୁରକ୍ଷା ପାଇଁ ଏକ ଦନ୍ତାହାତୀ ସମେତ ହାତୀପଲ ସମସ୍ତଙ୍କୁ ଗୋଡ଼ାଇଥିଲେ। ହାତୀର ହାବୁଡ଼ରେ ପଡ଼ି ନୂଆପଲ୍ଲୀ ଗ୍ରାମର ଜଣେ ୬୦ ବର୍ଷୀୟ ବୃଦ୍ଧ ଓ ଜଣେ ୧୨ ବର୍ଷର ନାବାଳକ ପ୍ରାଣ ହରାଇଥିଲେ। ୨୦୧୯ରେ ମୁଜାଗଡ଼ ରେଞ୍ଜ୍ରେ ହାତୀ ଗୋଡ଼ାଇବାରୁ ବନରକ୍ଷୀ ଆହତ ହୋଇଥିଲେ। ଚଳିତବର୍ଷ ଗତମାସରେ ତାରସିଂ ରେଞ୍ଜ୍ ଘୋଗଡ଼ରେ ପାଟ୍ରୋଲିଂ ଟିମ୍କୁ ହାତୀପଲ ଗୋଡ଼ାଇଥିଲା। କିନ୍ତୁ ଜଣେ ବନରକ୍ଷୀ ହାତୀ ଉପରକୁ ନିଜ ବୁଟ୍ ଫୋପାଡ଼ି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ୨୦୧୭ରେ ଶିଶୁଣ୍ଡାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତେବେ ହାତୀ ମଧ୍ୟ ମଣିଷର ଆକ୍ରୋଶରୁ ବର୍ତ୍ତି ପାରିନି। ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ତିନିଟି ଦନ୍ତାକୁ ଶିକାର କରି ଦାନ୍ତ କାଢ଼ିନେବା ଘଟଣା ସେମାନଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସମସ୍ତ ଘଟଣାଚକ୍ରକୁ ନେଇ ଏବେ ପରିବେଶବିତ୍ ମଧ୍ୟ ଉଦ୍ବେଗ ପ୍ରକାଶ କରିବା ସହ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ସଂକୁଚିତ ହେବା ଏବଂ ଜଙ୍ଗଲରୁ ଅବାଧ ଗଛକଟାକୁ ଦାୟୀ କରିଛନ୍ତି। ଏହା ଭବିଷ୍ୟତରେ ନିଶ୍ଚିତ ଭାବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି। ହାତୀ ଚଳପ୍ରଚଳ କରୁଥିବା ରାସ୍ତା ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନେ ସୁରକ୍ଷିତ ଭାବେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଇପାରୁନାହାନ୍ତି। ଏକ ନିର୍ଦ୍ଦିଷ୍ଟ ଇଲାକାରେ ବହୁଦିନ ଧରି ରହୁଥିବାରୁ ଖାଦ୍ୟ ଅନ୍ବେଷଣରେ ନିକଟ ଗାଁ ମୁହାଁ ହେଉଛନ୍ତି। ଫସଲ ନଷ୍ଟ କରୁଛନ୍ତି। ଯାହା ଫଳରେ ହାତୀ-ମଣିଷ ଲଢ଼େଇ ପରିସ୍ଥିତି ଉପୁଜିଛି। ଫଳରେ ସଂପ୍ରତି ଉଭୟଙ୍କ ସୁରକ୍ଷା ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।