ସମ୍ବଲପୁର: ଗତ କିଛିଦିନ ହେଲା ଖାଲି ପଡ଼ିଥିବା ୪ ଥାନାର ଥାନାଧିକାରୀ ପଦ ଶେଷରେ ପୂରଣ ହୋଇଛି। ଏସ୍ଆଇମାନଙ୍କ ଦ୍ବାରା ପରିଚାଳିତ ଏସବୁ ଥାନାରେ ଇନ୍ସପେକ୍ଟର ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ବିବାଦୀୟ ହୋଇପଡ଼ିଥିବା ଅନ୍ୟ କେତେକ ଅଧିକାରୀଙ୍କୁ ବି ବଦଳି କରାଯାଇଛି।
ଆଜି ପୁଲିସ ମୁଖ୍ୟାଳୟରେ କାର୍ଯରତ ସୁଶାନ୍ତ ଦାସଙ୍କୁ ଜମନକିରା ଥାନାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସେ ବୁର୍ଲା ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଏସ୍ପି ବି.ଗଂଗାଧରଙ୍କ ସମୟରେ ତାଙ୍କୁ ଅଚାନକ ସେଠାରୁ ବଦଳିକରି ପୁଲିସ ମୁଖ୍ୟାଳୟକୁ ଅଣାଯାଇଥିଲା। ବୁଧବାର ତାଙ୍କୁ ଜମନକିରା ଥାନାରେ ଅବସ୍ଥାପିତ କରାଯାଇଛି। ଅନ୍ୟପଟେ ଏଏସ୍ଆଇ ବିଭୂତି ନାଏକଙ୍କୁ ପୁଲିସ ମୁଖ୍ୟାଳୟରୁ ସିସିଟିଏନ୍ଏସ୍ ସେଲ୍କୁ ପଠାଯାଇଛି। ଗତକାଲି ଶାସନ ଥାନା ଓ ଧମା ଥାନାରେ ନୂଆ ଥାନାଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଇନ୍ସପେକ୍ଟର ନିରଞ୍ଜନ ଦାସଙ୍କୁ ପୁଲିସ ମୁଖ୍ୟାଳୟରୁ ବଦଳି କରାଯାଇ ଶାସନ ଥାନା ଦାୟିତ୍ବ ଦିଆଯାଇଛି। ସେହିପରି ଧର୍ମେନ୍ଦ୍ର ଶାନ୍ତିଙ୍କୁ ଧମା ଥାନାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେଭଳି ସ୍ପେସାଲ୍ ସ୍କ୍ବାଡ୍ରେ ଥିବା ଏଏସ୍ଆଇ ମହମ୍ମଦ ଜାହାଂଗୀରଙ୍କୁ ମହୁଲପାଲି ଥାନାକୁ ବଦଳି କରାଯାଇଛି। ମହମ୍ମଦ ଜାହାଂଗୀର ଅନେକ ବର୍ଷ ହେଲା ଏହି ପଦରେ କାର୍ଯ୍ୟରତ ଥିଲେ। କିଛି ବର୍ଷ ତଳେ ସେ କନଷ୍ଟେବଳରୁ ଏଏସ୍ଆଇକୁ ପଦୋନ୍ନତି ପାଇଥିଲେ। ତେବେ, ଏହା ପରେ ବି ସେ ସମ୍ବଲପୁରରେ କାର୍ଯ୍ୟ କରୁଥିଲେ। ଏସବୁ ଅଧିକାରୀଙ୍କୁ ପ୍ରଶାସନିକ କାରଣ ତଥା ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବଦଳି କରାଯାଇଥିବା ବଦଳି ଆଦେଶରେ ଉଲ୍ଳେଖ କରାଯାଇଛି।