ମାଲକାନଗିରି ପୁଲିସ ଦ୍ବାରା ୪ କ୍ବାକ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସ ଦ୍ବାରା ୪ ଜଣ କ୍ବାକ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ କ୍ବାକ ଦୌରାତ୍ମ୍ୟ ଦିନକୁ ଦିନ ବଢୁଥିବାରୁ ଗରିବ ଲୋକେ ଏମାନଙ୍କର ଶୋଷଣର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରୁଥିଲେ। ତେବେ ପ୍ରଶାସନର ନିର୍ଦେଶକ୍ରମରେ ଜିଲ୍ଲାରେ ଏବେ କ୍ବାକ ଧରପଗଡ ଆରମ୍ଭ ହୋଇଛି।

ମାଲକାନଗିରି ପୁଲିସ ତରଫରୁ ଦୁଇ ଦୁଇ ଥର ଚଢାଉ କରାଯାଇ୬ ଜଣ କ୍ବାକକୁ ଇତି ମଧ୍ୟରେ ଗିରଫ କରାଯାଇଥିବା ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି। ତେବେ ଗତକାଲି ଚଢାଉ କରି ପୁଲିସ ଏମଭି-୪୭ ଗ୍ରାମର ଅନିମେଶ ବାଲା,ପିତାକାଟା ଗ୍ରାମରୁ ମିହିର ବିଶ୍ବାସ,ଏମଭି-୩୨ ଗ୍ରାମରୁ ମନତୋଷ ପାଣ୍ଡେ ଏବଂ ଏମଭି-୩୮ ଗ୍ରାମରୁ ରଂଜିତ ମାଲାଙ୍କୁ ଗିରଫ କରାଯାଇଛି। ଏମାନେ ଏହି ଅଂଚଳରେ ଡାକ୍ତରି ବୋଲି କହି ଚିକିତ୍ସା କରୁଥିଲେ। ବିଭିନ୍ନ ରୋଗର ଚିକିତ୍ସା କରିବାରେ ଏମାନେ ଉସ୍ତାଦ ବୋଲି ନିଜକୁ ପରିଚୟ ଦେଇ ଗରିବ ନିରକ୍ଷର ଲୋକଙ୍କୁ ଠକୁଥିଲେ।

ରାଜ୍ୟରେ ନକଲି ଔଷଧର କାରବାର ସାମ୍ନାକୁ ଆସିବା ପରେ ଏବଂ କରୋନାରେ ଲୋକଙ୍କୁ ଭଲ କରୁଥିବା କହି ଏହି କ୍ବାକମାନେ ବିଭିନ୍ନ ଔଷଧ ଦେଇ ରୋଗୀଙ୍କୁ ଆହୁରି ଗୁରୁତର କରୁଥିବାରୁ ପ୍ରଶାସନ ତରଫରୁ ଏଭଳି ଚଢାଉ କରାଯାଇ କ୍ବାକମାନଙ୍କୁ ଜେଲ ଭିତରକୁ ପଠାଯାଉଛି। ତେବେ ଗତ କିଛି ଦିନ ତଳେ ମାଲକାନଗିରି ପୁଲିସ ଏମଭି-୧୩ ଗ୍ରାମର ଅତୁନୁ ରାୟ ଏବଂ ନିର୍ମଲ ବିଶ୍ବାସଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି।

ଜିଲ୍ଲା ହସପିଟାଲରେ ଯେତିକି ଡାକ୍ତର ଅଛନ୍ତି ତାହାର ଦଶ ଗୁଣ କ୍ବାକ ଜିଲ୍ଲାରେ ଘୁରି ବୁଲି ଲୋକଙ୍କୁ ଚିକିତ୍ସା କରୁଛନ୍ତି। ସବୁଠାରୁ ବେଶି ସ୍ବାଭିମାନ ଅଂଚଳରେ ଦେଖିବାକୁ ମିଳିଛି। ହାଟରେ ବାଟରେ କ୍ବାକମାନେ ଔଷଧ ପେଡି ଧରି ରୋଗୀ ଚିକିତ୍ସା ଆରମ୍ଭ କରିଦେଇଛନ୍ତି।କେତେବେଳେ ତ ଗଛରେ ସାଲାଇନ ବାନ୍ଧୁଛନ୍ତି ଆଉ କେତେବେଳେ କବାଟରେ ,ଝରକାରେ ବାନ୍ଧି ସାଲାଇନ ଦେଉଛନ୍ତି। ନିଜର ଅଳ୍ପ ବୁଦ୍ଧିରେ ଏମାନେ ଲକ୍ଷ ଲକ୍ଷ ଟଂକା କମାଉଛନ୍ତି। ଲୋକେ ମଧ୍ୟ ଡାକ୍ତରି ଚିକିତ୍ସା ନପାଇ ଶେଷରେ ଏହି କ୍ବାକଙ୍କ ଶରଣ ପଶୁଛନ୍ତି। ତେବେ ଜିଲ୍ଲାରେ ଧରପଗଡ ଆରମ୍ଭ ହେବା ପରେ କ୍ବାକମାନେ ପଳାୟନ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର