ଚୋରି କରିବାକୁ ଆସିଥିବା ୪ ଜଣଙ୍କୁ ମାଡି ବସିଲେ ଗାଁ ଲୋକେ

ବାଲିପାଟଣା : କଥାରେ ଅଛି ଚୋର ଘର ସବୁଦିନ ଅନ୍ଧାର ନ ଥାଏ | ସେହିପରି ଗତକାଲି ବିଳମ୍ବିତ ରାତିରେ ପୋଇଝାରି ଗାଁ କୁ ଚୋରି ଉଦ୍ଦେଶ୍ୟରେ ଆସିଥିବା ୪ ଜଣଙ୍କୁ ଧରି ଗାଁ ଲୋକେ ପୁଲିସର ଜିମା ଦେଇଛନ୍ତି | ଅନ୍ୟ ୨ ସହଯୋଗୀ ଖସି ଯାଇଥିବା ଗ୍ରାମବାସୀ କହିଛନ୍ତି | ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ୧୨ଟାବେଳେ ଭାକରସାହି ପଞ୍ଚାୟତ ପୋଇଝାରି ଗ୍ରାମର ପଵନୀ ଜେନା, ମୃତ୍ୟୁଞ୍ଜୟ ଜେନା ଏବଂ ବିଜୟ ଜେନାଙ୍କ ଘରେ ଚୋର ପଶିଥିଲେ |

ଜିନିଷପତ୍ର ଫୋପଡ଼ା ଫିଙ୍ଗା ଶବ୍ଦ ଶୁଣି ଘର ଲୋକ ଉଠିବାରୁ ଚୋର ଘଟଣାସ୍ଥଳରୁ ଛାଡି ଚାଲି ଯାଇଥିଲେ | ପୁଣି ଘଣ୍ଟାଏ ପରେ ସେମାନେ ଗାଁକୁ ଆସିଥିଲେ | ହେଲେ ସେତେବେଳେକୁ ଅନ୍ଧାରରେ ଛପି ରହିଥିବା କିଛି ଯୁବକ ୪ ଜଣଙ୍କୁ କାବୁ କରି ନେଇଥିଲେ | ସେମାନେ ହେଲେ ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳର ସଂଗ୍ରାମ ବେହେରା (୨୧) , ଚନ୍ଦନ ବେହେରା (୨୧), ବାଦଲ ଭୋଇ (୧୯) ଏବଂ ରାହୁଲ ଭୋଇ (୨୦) | ସେମାନଙ୍କ ଠାରୁ ୨ ଟି ବାଇକ ଜବତ ହୋଇଛି |

ସୂଚନା ପାଇ ପୁଲିସ ୨ ଟି ବାଇକ ସହ ୪ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି | ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି |

ସମ୍ବନ୍ଧିତ ଖବର