ବାଲିଅନ୍ତା : ବାତ୍ୟା ଜୱାଦ ପ୍ରଭାବରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ମୋଟ ୯ ହଜାର ୭୫ ହେକ୍ଟର ଖରିଫ ଧାନଫସଲ ମଧ୍ୟରୁ ସର୍ବାଧିକ ୪୦୦୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଯାଇଥିବା ବ୍ଲକ କୃଷି ବିଭାଗ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ମୋଟ ୯ ହଜାର ୯ ଶହ ୧୦ ହେକ୍ଟର ଚାଷ ଜମି ମଧ୍ୟରୁ ୫୦ ପ୍ରତିଶତ କ୍ଷୟକ୍ଷତି ଘଟିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
ଆଜି ପୂର୍ବାହ୍ନରେ ବ୍ଲକ ସହକାରୀ କୃଷି ଅଧିକାରିଣୀ ଜି.ଶ୍ବେତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୭ ଜଣ କୃଷି କର୍ମଚାରୀ ବିଭିନ୍ନ ମୌଜାରେ ଥିବା କ୍ଷତିଗ୍ରସ୍ତ ଧାନ ଫସଲ ଦେଖି କ୍ଷୟକ୍ଷତି ପରିମାଣ ଆକଳନ କରିଥିଲେ। ପୂର୍ବାହ୍ନରେ ଶ୍ବେତା ସରକଣା, ପୂରଣପଧାନ, ଝିଣ୍ଟିଶାସନ, ପୁରୋହିତପୁର ଆଦି ପଞ୍ଚାୟତରୁ ପଞ୍ଚାୟତକୁ ଯାଇ ପାଣିରେ ବୁଡ଼ି ରହିଥିବା ଧାନ ଫସଲ କ୍ଷୟକ୍ଷତି ତଦନ୍ତ କରିଥିଲେ। ସେହିପରି ଅପରାହ୍ନରେ ଜୟଦେବ.କାକରୁଦ୍ରପୁର, ପ୍ରତାପରୁଦ୍ରପୁର, ବେଣ୍ଟପୁରଶାସନ,ଭିଙ୍ଗାରପୁର ଶାସନ, ପ୍ରତାପଶାସନ, ପ୍ରତାପରୁଦ୍ରପୁର, ଜଗନ୍ନାଥପୁର , ସତ୍ୟଭାମାପୁର, ଉମାଦେଇ ବ୍ରହ୍ମପୁର, ବେଣୁପୁର ଏବଂ ବାଲିଅନ୍ତା ଆଦି ପଞ୍ଚାୟତ ଅଞ୍ଚଳରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ସେହିପରି ୫୦ ପ୍ରତିଶତ ପନିପରିବା ଫସଲ ନଷ୍ଟ ହୋଇଯାଇଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି।
ଅନ୍ୟପକ୍ଷରେ ପରବର୍ତ୍ତୀ ସମୟରେ କୃଷି ବିଭାଗ ଓ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ମିଳିତ ଭାବେ ତଦନ୍ତ କରାଯାଇ ଚୂଡ଼ାନ୍ତ ଫସଲ କ୍ଷୟକ୍ଷତି ଆକଳନ ତାଲିକା ପ୍ରସ୍ତତ କରିବେ ବୋଲି କୁହାଯାଇଛି । ସେହିପରି ବ୍ଲକ ଉପ ଉଦ୍ୟାନ କୃଷି ଅଧିକାରିଣୀ ପଦ୍ମିନୀ ବଳଙ୍କ ସୂଚନା ଅନୁସାରେ ମୋଟ ୪୫୦ ଏକର ଜମି ମଧ୍ୟରୁ ୨୦୦ ଏକର ପନିପରିବା ଚାଷ କରାଯାଇଥିଲା। ହେଲେ ବିଲରେ ପାଣି ଜମି ରହିଥିବାରୁ ଖରା ହେବା ପରେ କେତେ କ୍ଷୟକ୍ଷତି ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି। ଯେଉଁ ଚାଷୀମାନେ ଉଦ୍ୟାନ କୃଷି ବିଭାଗରୁ ଆଳୁ ଓ ପିଆଜ ମଞ୍ଜି ନେଇ ଲଗାଇଥିଲେ ପଚି ଯାଇଥିବା କହିଛନ୍ତି ।