ରାୟଗଡ଼ା: ଦୈନିକ-ସାପ୍ତାହିକ ମିଶାଇ ଗଡୁଥିଲା ୫୦ରୁ ଉର୍ଧ୍ବ ଟ୍ରେନ୍। ଭାରତର ୫ ମେଟ୍ରୋ ସିଟି ସହ ସମସ୍ତ ପ୍ରମୁଖ ରେଳ ଷ୍ଟେସନ ଓ ତୀର୍ଥସ୍ଥଳୀ ସହ ଯୋଡି ହୋଇଥିଲା ରାୟଗଡ଼ା। ଉପକୃତ ହେଉଥିଲେ ଲକ୍ଷାଧିକ ଯାତ୍ରୀ। କିନ୍ତୁ କରୋନା କଟକଣା ପାଇଁ ଗଡୁନି ଟ୍ରେନ୍। ଯାତ୍ରୀ ବିନା ଖାଁ ଖାଁ ହୋଇ ପଡିଛି ଷ୍ଟେସନ। ୫ ମାସ ଧରି ଯାତ୍ରୀସେବା ଠପ୍ ହୋଇ ପଡିଥିବା ବେଳେ କେବେ ସ୍ବାଭାବିକ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଫଳରେ ଷ୍ଟେସନ ଉପରେ ନିର୍ଭର କରୁଥିବା କୁଲି, ଅଟୋ-ରିକ୍ସା ଚାଳକ, ହୋଟେଲ୍, ବ୍ୟବସାୟୀ ରୋଜଗାର ହରାଇଛନ୍ତି।
କରୋନା ମହାମାରୀ ଲାଗି ମାର୍ଚ୍ଚ ୨୫ ତାରିଖରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଲକଡାଉନ୍ ସମୟରେ ପ୍ରବାସୀଙ୍କ ଘର ବାହୁଡା ପାଇଁ କିଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନକୁ ଚଳାଇଥିଲେ ସରକାର। ଅଗଷ୍ଟ ମାସରେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ କିଛି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଅନୁମତି ଦେଇଥିଲେ ସରକାର। କିନ୍ତୁ ପୁଣି ସଂକ୍ରମଣ ବୃଦ୍ଧି ପାଇବା ପରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ସେପ୍ଟେମ୍ବରରୁ ପୁଣି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଅନୁମତି ମିଳିଛି। କିନ୍ତୁ ଇଷ୍ଟକୋଷ୍ଟ୍ ରେଲୱେର ଖୋର୍ଧା, ୱାଲଟିୟର୍, ରାୟଗଡ଼ା, ସମ୍ବଲପୁର ଡିଭିଜନ୍ ଦେଇ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍ ଦ୍ବାରା ଅବିଭକ୍ତ କୋରାପୁଟ/କଳାହାଣ୍ଡି ଓ ଗଜପତିବାସୀ ଉପକୃତ ହୋଇ ପାରୁନାହାନ୍ତି। କେବଳ ୪ଟି ଟ୍ରେନ୍ ବିଶାଖାପାଟଣା-କୋରବା, ପୁରୀ-ଗାନ୍ଧୀଧାମ, ପୁରୀ-ଅହମ୍ମଦାବାଦ, କୋରାପୁଟ-ଭୁବନେଶ୍ବର ଟ୍ରେନ୍ ହିଁ ରାୟଗଡ଼ା ଦେଇ ଯାତାୟାତ କରୁଛି। ଅନ୍ୟ ପ୍ରମୁଖ ଟ୍ରେନ୍ ବିଶାଖାପାଟଣା-ମୁମ୍ବାଇ (ଲୋକମାନ୍ୟ ତିଲକ୍), ଯଶବନ୍ତପୁର-ହାୱଡା, ତିରୁପତି-ବିଳାସପୁର, ବିଶାଖାପାଟଣା-ନ୍ୟୁ ଦିଲ୍ଲୀ (ସମତା), ପୁରୀ-ହାୱଡା, ହାୱଡା-ଜଗଦଲପୁର (ସମଲେଶ୍ବରୀ), ଜଗଦଲପୁର-ଭୁବନେଶ୍ବର (ହୀରାଖଣ୍ଡ), ଜୁନାଗଡ-ଭୁବନେଶ୍ବର (ଭୁବନେଶ୍ବର ଏକ୍ସପ୍ରେସ୍), ରାଉରକେଲା-ଜଗଦଲପୁର, ବିଶାଖାପାଟଣା-ରାୟପୁର, ରାୟଗଡ଼ା-ଗୁଣ୍ଟୁର, ଯଶବନ୍ତପୁର-ଟାଟା ନଗର, ଚେନ୍ନାଇ ସେଣ୍ଟ୍ରାଲ୍-ଆସାନସୋଲ୍, ବିଶାଖାପାଟଣା-ଭଗତ କି କୋଠି, ସମ୍ବଲପୁର-ନାନ୍ଦେଡ (ନାଗାବଳୀ ଏକ୍ସପ୍ରେସ୍), ଟାଟା-ଯଶବନ୍ତପୁର ଭଳି ୨୦ରୁ ଉର୍ଧ୍ବ ଏକ୍ସପ୍ରେସ୍, ୧୨ ସୁପରଫାଷ୍ଟ୍, ୧୨ରୁ ଉର୍ଧ୍ବ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଯାହା ଫଳରେ ଦିଲ୍ଲୀ-ମୁମ୍ବାଇ-କୋଲକାତା-ଚେନ୍ନାଇ-ବେଙ୍ଗାଲୁରୁ-ହାଇଦ୍ରାବାଦ ଭଳି ପ୍ରମୁଖ ସହରକୁ ଯାତାୟାତ ଠପ୍ ହୋଇ ପଡିଛି।
ଅନଲକ୍-୪ ପରେ କିଛି ରାଜ୍ୟରେ ସରକାର ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ହେଲେ ବିଶାଖାପାଟଣାରୁ ସିଧାସଳଖ ଚାଲୁଥିବା ରାୟପୁର ସମେତ ଅନ୍ୟ କିଛି ପ୍ରମୁଖ ରାଜ୍ୟରେ ଲକଡାଉନ୍ କଟକଣା ଜାରି ରହିଥିବାରୁ ଟ୍ରେନ୍ ଚଳାଚଳ ନେଇ ସବୁଜ ସଂକେତ ମିଳି ପାରୁନି। ଅନ୍ୟପକ୍ଷରେ ରେଳ ବିଭାଗର ଡ୍ରାଇଭର ସମେତ ବହୁ ବର୍ଗର ଅଧିକାରୀ କରୋନାରେ ସଂକ୍ରମିତ ଥିବାରୁ ରେଳ ଚଳାଚଳ ପାଇଁ ବିଭାଗ ସାହାସ ଜୁଟାଇ ପାରୁନି। ସେପ୍ଟେମ୍ବର ପରେ ହିଁ ରେଳ ଚଳାଚଳରେ କିଛିଟା ସ୍ବାଭାବିକ ଆସି ପାରିବ ବୋଲି ୱାଲଟିୟର୍ ଡିଭିଜନର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଚଳାଚଳ କରୁଥିବା ହୀରାଖଣ୍ଡ, ଜୁନାଗଡ, ରାଜ୍ୟରାଣୀ ଏକ୍ସପ୍ରେସ୍ ଚଳାଚଳକୁ ରେଳ ବିଭାଗ ବନ୍ଦ ରଖି ଥିବାରୁ ଲକ୍ଷାଧିକ ଯାତ୍ରୀ ଯାତାୟାତରେ ହନ୍ତସନ୍ତ ହେଉଛନ୍ତି। ଭୁବନେଶ୍ବରରୁ ଭାୟା ସମ୍ବଲପୁର ଦେଇ କୋରାପୁଟକୁ ରେଳ ବିଭାଗ ସ୍ବତନ୍ତ୍ର ଟ୍ରେନ୍ ଚଳାଇଛି। କିନ୍ତୁ ଏହି ଟ୍ରେନ୍ ବିଜୟନଗରମ, ବ୍ରହ୍ମପୁର ଓ ଖୋର୍ଧାକୁ ସଂଯୋଗ ହେଉନଥିବାରୁ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନାହାନ୍ତି।
କିଛି ହାତ ଗଣତି ଯାତ୍ରୀକୁ ଛାଡିଲେ କୋରାପୁଟରୁ ସମ୍ବଲପୁର ପର୍ଯ୍ୟନ୍ତ ଟ୍ରେନର ଅଧିକାଂଶ ବଗି ଫାଙ୍କା ରହୁଛି। ଟ୍ରେନ୍ ଚଳାଚଳ ସ୍ବାଭାବିକ ହେଉନଥିବାରୁ ଟ୍ରେନ୍ ସହ ଯୋଡ଼ି ହୋଇଥିବା ବ୍ୟବସାୟ ବନ୍ଦ ହୋଇ ପଡିବା ସହ ଶହ ଶହ କୁଲି, ଦିନ ମଜୁରିଆ, ଅଟୋ-ରିକ୍ସା-ଟ୍ୟାକ୍ସି ଚାଳକ ରୋଜଗାର ହରାଇଛନ୍ତି। ରାୟଗଡ଼ାରେ ଥିବା ପ୍ରମୁଖ ଓ ଛୋଟ ହୋଟେଲ୍ ଗୁଡ଼ିକରେ ଦିନକୁ ଗୋଟିଏ/ଦୁଇଟି ହିଁ ରୁମ୍ ବୁକ ହେଉଛି। ସେହିପରି ଷ୍ଟେସନ ସମ୍ମୁଖରେ ଥିବା ଟିଫିନ୍, ମିଲସ୍ ହୋଟେଲ୍ ଗୁଡିକରେ ଦିନକୁ ହଜାରେ ଟଙ୍କା ବ୍ୟବସାୟ ହେବା କଷ୍ଟକର ହୋଇ ପଡୁଛି। ସାଇକେଲ୍, ବାଇକ୍ ଷ୍ଟାଣ୍ଡ କଥା ନ କହିବା ଭଲ। ଅବିଭକ୍ତ କୋରାପୁଟରୁ ରାଜଧାନୀ ଭୁବନେଶ୍ବରକୁ କାମରେ ଯାଉଥିବା ୭୦ ପ୍ରତିଶତ ଲୋକ ଟ୍ରେନ୍ ଉପରେ ନିର୍ଭର କରୁଥିବା ବେଳେ ୩୦ ପ୍ରତିଶତ ଲୋକ ବସ୍/କାରରେ ଯାତାୟାତ କରିଥାନ୍ତି। ଲକଡାଉନ୍ ଉଠିବା ପରେ ବସ୍ ସେବା ମଧ୍ୟ ସ୍ବାଭାବିକ ହୋଇ ପାରୁନଥିବାରୁ ବହୁ ସମୟରେ ଯାତ୍ରୀ ହଇରାଣ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/RGD_Train.jpg)