ସମ୍ବଲପୁର: ଚେନ୍ନାଇ ସ୍ଥିତ କେନ୍ଦ୍ରୀୟ ଜେଲରେ ୪ ବର୍ଷ ହେଲା ଅଛନ୍ତି ତାମିଲନାଡ଼ୁସ୍ଥିତ ତିରପୁରର ସୂତାକଳରେ କାର୍ଯ୍ୟ କରୁଥିବା ସମ୍ବଲପୁରର ପ୍ରବାସୀ ଶ୍ରମିକ ସୂରଜ ଭଏନା (୪୦) ଏବଂ ତାଙ୍କ ଭଣଜା କରନ(୧୯)। କୋର୍ଟରେ ଉଭୟ ଦୋଷୀ ସାବ୍ୟସ୍ତ ହେବା ପରେ ୭ ବର୍ଷ ଦଣ୍ଡାଦେଶ ହୋଇଛି। ଏହା ପରେ ପରିବାର ଉଚ୍ଚ ନ୍ୟାୟାଳୟରେ ଆବେଦନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦୂରତା ଏବଂ ଭାଷା ସମସ୍ୟା ଯୋଗୁଁ ଅସହାୟ ହୋଇ ପଡ଼ିଥିବା କହିଛନ୍ତି ସୂରଜଙ୍କ ଭଉଣୀ ଅନିତା। ସୁରଜ ଏବଂ କରନ ନିର୍ଦୋଷ, ସେମାନଙ୍କୁ ଫସାଇ ଦିଆଯାଇଛି। ପ୍ରଶାସନ କିମ୍ବା କୌଣସି ସହୃଦୟ ସାମାଜିକ ଅନୁଷ୍ଠାନ ସେମାନଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

Advertisment

ଅନିତା କହିଛନ୍ତି, ବୁର୍ଲା ମହତାବ ନଗରରେ ରହୁଥିବା ତାଙ୍କ ଭାଇ ସୂରଜ ନବମ ଶ୍ରେଣୀ ପରେ ତାମିଲନାଡ଼ୁର ତିରପୁରରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସୂତାକଳରେ କାର୍ଯ୍ୟ କରୁଥିବା ସମୟରେ, ୨୦୧୫ ଦୀପାବଳି ଛୁଟିରେ ଘରକୁ ଆସି ୪ ମାସ ରହିଯାଇଥିଲେ। କର୍ମକ୍ଷେତ୍ରକୁ ଫେରିବା ସମୟରେ ଭଣଜା କରନଙ୍କୁ ନିଜ ସାଥୀରେ ନେଇ ଯାଇଥିଲେ। ସେମାନେ ରହୁଥିବା ସ୍ଥାନରେ ଡବଲ ମର୍ଡର ହୋଇଥିଲା। ଏହି ହତ୍ୟା ଘଟଣାରେ କାଳେ ସ୍ଥାନୀୟ ଅଧିବାସୀ ତାଙ୍କୁ ଫସାଇ ଦେବେ ଏହି ଉଭୟରେ ଘରକୁ ଚାଲି ଆସିଥିଲେ। ତିରପୁର ପୁଲିସ ସମ୍ବଲପୁର ଆସି ଉଭୟଙ୍କୁ ଗିରଫ କରି ତାମିଲନାଡ଼ୁ ନେଇ ଯାଇଥିଲେ। ଉଭୟଙ୍କ ବିରୋଧରେ ତଳ ଅଦାଲତରେ ମାମଲା ଚାଲିଥିଲା।

ସରକାରୀ ଓକିଲ ଉଭୟ ମାମଲା ପରିଚାଳନା କରୁଥିଲେ। ଏହା ସତ୍ତ୍ବେ ସୂରଜଙ୍କ ବାପାଠାରୁ ଓକିଲ ପ୍ରାୟ ଦେଢ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ଅଦାଲତ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡ ଘୋଷଣା କରିଥିଲେ। ପରିବାର ଚାହିଁଲେ ଉପର ଅଦାଲତରେ ଆବେଦନ କରିପାରିବେ ବୋଲି କହିଥିଲେ। ଅନିତା କହିଛନ୍ତି, ତଳ କୋର୍ଟରେ ମାମଲା ପରିଚାଳନା ବେଳେ ତାଙ୍କ ବାପା ବ୍ୟାପକ ଠକେଇର ଶିକାର ହୋଇଥିଲେ। ଭାଷାଗତ ସମସ୍ୟା ସେମାନଙ୍କୁ ନ୍ୟାୟ ପାଇବାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଏଥିଯୋଗୁଁ ଉଚ୍ଚ ଅଦାଲତରେ ଆବେଦନ କରିବାରେ ସେମାନେ ସାହସ ଜୁଟାଇ ପାରି ନାହାନ୍ତି। ଏହି ଘଟଣା ଯୋଗୁଁ ଭଣଜା କରନ ଜୀବନ ସର୍ବାଧିକ ପ୍ରଭାବିତ ହୋଇଛି। ପୁଅ ଜେଲ ଯିବା ଶୁଣି ମା’ ମାନସିକ ଆଘାତ ପାଇଥିଲେ। କିଛି ଦିନ ପରେ ତାଙ୍କ ମୃତ୍ୟୁ ହୋଇଗଲା। କିଛି ମାସ ପୂର୍ବରୁ ବାପାଙ୍କ ଦେହାନ୍ତ ହୋଇ ସାରିଛି। କରନ ନ୍ୟାୟ ପାଇଁ ମାଉସୀ, ଅଜା, ଆଈଙ୍କ ଭରସା ହିଁ ରହିଥିବା ଅନିତା କହନ୍ତି।