ପରିବା ବୋଝେଇ ଭ୍ୟାନରେ ୪୦ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ: ଭ୍ୟାନ ସହ ୩ ବାଇକ ଜବତ, ୬ଗିରଫ

ଜୟପୁର: ପୁଲିସ ଆଖିରେ ଧୁଳି ଦେଇ ଗଞ୍ଜେଇ ଚାଲାଣ କରିବା ପାଇଁ ବିଭିନ୍ନ ଉପାୟ ଖୋଜୁଛନ୍ତି ଗଞ୍ଜେଇ ଚାଲାଣକାରୀ। କିଏ ପିଚୁ ବୋଝଇ ଟ୍ରକ ତ ଆଉ କିଏ ଅଦା , କାଜୁ ଡ଼ବା ଆଦିରେ ବି ଚାଳାଣ କରୁଛନ୍ତି। ଠିକଣା ସମୟରେ ପୁଲିସକୁ ସୂଚନା ମିଳିବା ଏବଂ ପୁଲିସ ବି ତ୍ବରିତ ପଦକ୍ଷେପ ନେବା ଫଳରେ ଚାଳାଣକାରୀମାନେ ବି ଧରା ପଡ଼ୁଛନ୍ତି।

ଏପରି ଏକ ଘଟଣାକ୍ରମରେ ପତ୍ରକୋବି ବୋଝେଇ ଏକ ଭ୍ୟାନ ନଂ ଓଡି୧୪-ୟୁ-୩୮୭୮ରେ ୩୯୩କିଲୋ ଗଞ୍ଜେଇ ଲୁଛାଇ ମାଛକୁଣ୍ଡ ଥାନା ଅଞ୍ଚଳରୁ ବାହାରକୁ ନେଇ ଯାଉଥିବା ବେଳେ ଜୟପୁର ସଦରପୁଲିସ ହାତରେ ଧରା ପଡ଼ିଛନ୍ତି। ଏଥରକ ଚାଳାଣକାରୀ, କ୍ରେତା, ବିକ୍ରେତା, ଏସକର୍ଟ ଆଦି ୬ଜଣ ଗିରଫ  ହୋଇଛନ୍ତି।

ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଏ ନେଇ ସୂଚନା ପାଇ ସବଇନସପେକ୍ଟର ଶିବଶଙ୍କର ପଣ୍ଡାଙ୍କୁ ନେଇ  ପାତ୍ରପୁଟ ବ୍ରିଜ୍ ନିକଟରେ ଅପେକ୍ଷା କରି ରହିଥିଲେ। ଭ୍ୟାନକୁ ଯାଞ୍ଚ କରିବାରେ ଏଥିରେ ପତ୍ରକୋବି ବୋଝେଇ ହୋଇ ରହିଥିଲେ। ଏହାରି ମଧ୍ୟରେ ଗଞ୍ଜେଇ ଲୁଚାଯାଇଥିବା ଦେଖିଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ ଗଞ୍ଜେଇ ବାହାର କରି ଓଜନ କରିଥିଲେ। ଜବତ ଗଞ୍ଜେଇ ୩୯୩କିଲୋ ହେଉଥିବା ବେଳେ  ମୂଲ୍ୟ ପ୍ରାୟ ୪୦ଲକ୍ଷ ହେବ ବୋଲି ସଦରଥାନା ଅଧିକାରୀ କହିଛନ୍ତି।

ଏହି ମାମଲାରେ ବିହାରର ଭୋଜପୁର ଜିଲ୍ଲାର ଟାରକି ଥାନା ଅଂଚଳର ଜବହାର ପାର୍ଶ୍ବନଙ୍କ ୩୦ବର୍ଷର ପୁଅ ପବନ ପାର୍ଶ୍ବନ, ଯୋଗାଣକାରୀ ମାଛକୁଣ୍ଡ ଥାନା ଅର୍ନ୍ତଗତ ବନଗୁରୀପଡ଼ାର ବାସୁଦେବ ଖିଲଙ୍କ ୩୨ବର୍ଷର ପୁଅ ରବି ଖିଲ , ଏସକର୍ଟ ଭାବେ ବନଗୁରୀପଡ଼ାର ଲଇଖନ୍ ଖିଲଙ୍କ ୨୦ବର୍ଷର ପୁଅ ବିନାତ ଖିଲ, ଇନ୍ଦ୍ରମଣି ଖିଲଙ୍କ ୨୦ବର୍ଷର ପୁଅ ଦିଲ୍ଲୀପ ଖିଲ, ଜୟପୁର ସହରର କୁମାର ଖରାଙ୍କ ୩୨ବର୍ଷର ପୁଅ ମଙ୍ଗଳଦାନ ଖରାଙ୍କୁ ଗିରଫ କରାଯାଇଛି।

ଚାଲାଣ କରାଯାଉଥିବା ଭ୍ୟାନକୁ ବି ଜବତ କରାଯିବା ସହ ଏମାନଙ୍କ ନିକଟରୁ ୧୧ହଜାର ୭୦୦ଟଙ୍କା, ୫ଟି ମୋବାଇଲ ଫୋନ, ୩ଟି ବାଇକ୍ ଏବଂ ୧୦ବସ୍ତା ପତ୍ର କୋବି ଜବତ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ମାନ୍ୟବର ଏସଡିଜେଏମଙ୍କ କୋର୍ଟକୁ ଚାଳାଣ କରାଯାଇଥିଲା। କୋର୍ଟ ଏମାନଙ୍କୁ ଜୟପୁର ଉପଖଣ୍ଡ କାରାଗାରରେ ବିଚାରବିଭାଗୀୟ ହାଜତରେ ଅନ୍ତେବାସୀ ଭାବେ ରହିବାକୁ ପଠାଇ ଦେଇଛନ୍ତି।

 

ସମ୍ବନ୍ଧିତ ଖବର