ଖୋର୍ଦ୍ଧା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସ୍ୱଳ୍ପ କେତେକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଥିବା ପଂଚାୟତ ବ୍ୟତୀତ ଅନ୍ୟସ୍ଥାନରେ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାରପ୍ରସାର ଗରମ ଆହୁରି ପ୍ରବାହିତ ହୋଇନାହିଁ । ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାଶାସନିକ ପ୍ରସ୍ତୁତି ମଧ୍ୟ ଆପାତତଃ ଧିମେଇଛି । ମତଦାନ କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ଅନ୍ତିମ ତାଲିକା ପ୍ରସ୍ତୁତ ହୋଇନଥିବା ବେଳେ ପ୍ରଶିକ୍ଷଣ ମଧ୍ୟ ଅନ୍ୟ ଜିଲ୍ଲା ଠାରୁ ବିଳମ୍ବରେ ଆରମ୍ଭ ହୋଇଥିବା ଜଣାଯାଇଛି ।

Advertisment

ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଳାରେ ୧୦ଟି ବ୍ଲକରେ ୭୫୦୦ ପ୍ରାର୍ଥୀ ସରପଞ୍ଚ, ୱାର୍ଡ଼ ସଭ୍ୟ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଭାଗ୍ୟ ୧୦ଲକ୍ଷ ୩୦ହଜାର ୬୦୯ ଜଣେ ଭୋଟର ନିର୍ଦ୍ଧାରଣ କରିବେ । ନିର୍ବାଚନରେ ମୋଟ ୨୭୧୧ଟି ବୁଥରେ ମତଦାନ କେନ୍ଦ୍ର ଓ ଆଇନଶୃଙ୍ଖଳା ସୁରକ୍ଷା ପାଇଁ ଯଥାକ୍ରମେ ୪୩୨୩ ପୁଲିଂ କର୍ମଚାରୀଙ୍କ ସମେତ ପ୍ରାୟ ୧୩୦୦ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ସହ ୧୯୦ଜଣ ସେକ୍ଟର ଅଧିକାରୀ ଓ ୧୦ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ସମସ୍ତଙ୍କୁ ନେଇ ୧୧୬୨ଟି ପୁଲିଂ ପାର୍ଟି ଗଠନ କରାଯାଇଥିବା ବେଳେ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଆପାତକାଳୀନ ପରିସ୍ଥିତି ପାଇଁ ସଂରକ୍ଷିତ ରଖାଯାଇଛି । ନିୟୋଜିତ ମୋଟ ପୁଲିଂ କର୍ମଚାରୀଙ୍କ ମଧ୍ୟରେ ୧୨୮୦ଜଣ ପ୍ରିଜାଇଡିଂ ଅଧିକାରୀ ଓ ସମାନ ଅନୁପାତରେ ପ୍ରଥମ ଓ ଦ୍ୱିତୀୟ ପୁଲିଂ ଅଫିସର ରହିଛନ୍ତି । ୪୮୩ଟି ବୁଥ ଯେଉଁଠାରେ ମୋଟ ଭୋଟରଙ୍କ ସଂଖ୍ୟା ୫୦୦ରୁ ଉଦ୍ଧ୍ୱର୍ ସେଠାରେ ୩ୟ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଭୋଟ ବକ୍ସ(ଇଭିଏମ୍), ପୁଲିଂ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କୁ ନେବା ଆଣିବା କରିବା ପାଇଁ ୯୬୪ଟି ଘରୋଇ ଯାନକୁ ସାମୟିକ ଅଧିଗ୍ରହଣ କରାଯାଇଛି ।

ଶନିବାର ଠାରୁ ବ୍ଲକୱାରି ପୁଲିଂ କର୍ମଚାରୀଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ୪ ଦିନିଆ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୭ ତାରିଖ ଯାଏଁ ଚାଲିବ । ମତଦାନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କୁ କୋଭିଡ୍ ପ୍ରତିଷେଧକ ବୁଷ୍ଟର ଡୋଜ୍ ଦିଆଯାଇଛି । ଯେଉଁମାନେ ନେଇପାରିନାହାନ୍ତି ସେମାନଙ୍କୁ ପ୍ରଶିକ୍ଷଣ ସମୟରେ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ବିଡିଓ କର୍ମଚାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ଅତିରିକ୍ତ ଜିଲ୍ଳାପାଳ ମନୋଜ ପାଢ଼ୀ ସୂଚନା ଦେଇଛନ୍ତି ।