ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ କିଣା ଆଜି ଶେଷ ହୋଇଛି। ଜିଲ୍ଲାର ୯୬ ହଜାର ୪୭୦ ଜଣ ଚାଷୀଙ୍କ ଠାରୁ ୪୫ଲକ୍ଷ ୫ ହଜାର ୫୦୩ କ୍ବିଣ୍ଟାଲ୍ ୧୬ କେଜି ଧାନ କିଣାଯାଇଛି। ଜିଲ୍ଲାର ଆହୁରି ୪୦ହଜାର ୬୩୮ ଜଣ ପଞ୍ଜୀକୃତ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିପାରିନାହାନ୍ତି। କିନ୍ତୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୮ଲକ୍ଷ କ୍ବିଣ୍ଟାଲ୍ ଅଧିକ ଧାନ କିଣାଯାଇଥିବା ଜଣାପଡ଼ିଛି।
ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୩୭ ହଜାର ୧୦୮ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜୀକରଣ କରିଥିଲେ। ଗତବର୍ଷ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଧାନ କିଣା ଆରମ୍ଭ ହୋଇଥିଲା। ଧାନ କିଣା କିଛି ଦିନ ସୁରୁଖୁରୁରେ ଚାଲିବା ପରେ ଜାନୁଆରି ଶେଷ ସପ୍ତାହ ଠାରୁ ଅଚଳାବସ୍ଥା ଆରମ୍ଭ ହୋଇଯାଇଥିଲା। ଜିଲ୍ଲାକୁ ଠିକ୍ ଭାବେ ଟାର୍ଗେଟ୍ ମିଳି ନଥିଲା। ଜିଲ୍ଲା ପ୍ରଶାସନର ବାରମ୍ବାର ଅନୁରୋଧ ଯୋଗୁଁ ୧୦ ଟି ପର୍ଯ୍ୟାୟରେ ପ୍ରାୟ ୪୭ଲକ୍ଷ ୪୩ହଜାର ୨୮୩ କ୍ବିଣ୍ଟାଲ୍ ଧାନ କିଣିବା ଲାଗି ଟାର୍ଗେଟ୍ ମିଳିଥିଲା। ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିଥିଲେ। ଏଥିସହ ଚଳିତ ବର୍ଷ ଧାନ ଫସଲ ମଧ୍ୟ ଭଲ ଅମଳ ହୋଇଥିଲା।
କିନ୍ତୁ ଜିଲ୍ଲାକୁ ସେହି ଅନୁପାତରେ ଟାର୍ଗେଟ୍ ମିଳିଲା ନାହିଁ। ଗତବର୍ଷ ଟୋକନ୍ ନ ଆସିବାରୁ ଚାଷୀ ଧାନ ବିକି ପାରି ନଥିବା ବେଳେ ଏଥର ଟାର୍ଗେଟ୍ ସମସ୍ୟା ଯୋଗୁଁ ସମସ୍ୟାରେ ପଡ଼ିଥିଲେ। ଗତ ଫେବ୍ରୁଆରି ୨୮ ଠାରୁ ଆଉ ନୂଆ ଟୋକନ୍ ଆସିଲା ନାହିଁ। ଟାର୍ଗେଟ୍ ନଥିବାରୁ ଚାଷୀ ଟୋକନ୍ ଥାଇ ସୁଦ୍ଧା ଧାନ ବିକ୍ରି କରିପାରିଲେ ନାହିଁ। ଏପରି କି ଶହ ଶହ ଚାଷୀଙ୍କ ଟୋକନ୍ ଅବଧି ମଧ୍ୟ ସରିଗଲା। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଲା। ଏପରିକି ଜିଲ୍ଲା ପ୍ରଶାସନ ତହସିଲଦାରଙ୍କ ଜରିଆରେ ବି ଚାଷୀଙ୍କ ଧାନ ଅଛି କି ନାହିଁ ଯାଞ୍ଚ କରିଥିଲା। ଶେଷରେ ବହୁ ବାଦ ବିବାଦ ପରେ ଗତ ୨୫ତାରିଖରେ ୨ଲକ୍ଷ ୨୩ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ଲାଗି ଟାର୍ଗେଟ ମିଳିଥିଲା। କିନ୍ତୁ ଟାର୍ଗେଟ ମିଳିବା ବେଳକୁ ଧାନ କିଣିବାକୁ ହାତରେ ଥିଲା ଆଉ ମାତ୍ର ୫ଦିନ। ଅନ୍ୟପକ୍ଷରେ ଅଧିକାଂଶ ସୋସଇଟିର ଟୋକନ୍ ସରିଯାଇଥିଲା। ଅର୍ଥାତ ଶେଷରେ ଟାର୍ଗେଟ ଥାଇ ବି ଧାନ କିଣାଯାଇପାରିଲା ନାହିଁ। ଜିଲ୍ଲାରେ ୧.୫ ଲକ୍ଷ ଟାର୍ଗେଟ ଥାଇ ଧାନ କିଣାଯାଇ ପାରିନାହିଁ। ଏସବୁ ମଧ୍ୟରେ ଜିଲ୍ଲାର ୪୦ହଜାର ୬୩୮ଚାଷୀଙ୍କ ଧାନ କିଣାଯାଇପାରିଲା ନାହିଁ।
ଧାନ କିଣାରେ ଅନିୟମିତତା, ଏନ୍ଏଚ୍ଆରସିରେ ଅଭିଯୋଗ
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅର୍ନ୍ତଗତ ଖମାରପଲ୍ଲୀ ସେବା ସମବାୟ ସମିତି ଲିମିଟେଡ୍ରେ ଚାଷୀ ପଞ୍ଜୀକରଣ ଓ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଚାଷୀ ପଞ୍ଜୀକରଣ ବେଳେ ପ୍ରକୃତ ଚାଷୀଙ୍କୁ ଅଣଦେଖା କରି ଜାଲ କାଗଜପତ୍ର ଓ ଜାଲ ଚାଷୀଙ୍କୁ ଆଗୁଆ ପଞ୍ଜୀକୃତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦେବଭୂମି କେ.ନୂଆପଲ୍ଲୀର ଶିବଶଙ୍କର ପାତ୍ର ଜାତୀୟ ମାନବିକ ଅଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ, ଯୋଗାଣ ବିଭାଗ, ଯୋଗାଣ ସଚିବ ପ୍ରମୁଖଙ୍କୁ ଚିଠି ଲେଖି ଦୃଷ୍ଟିଆକର୍ଷଣ କରିଛନ୍ତି। ଶ୍ରୀପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟି ବ୍ରହ୍ମପୁର ଡିଆରସିଏସ୍ଙ୍କୁ ରିପୋର୍ଟ ମାଗିଛନ୍ତି। ୭ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/paddy-1.jpg)