ପୁଲିସ କବ୍‌ଜାରେ ଥିବା ଚେନ୍‌ ଲୁଟେରା ବଖାଣିଲା ଦୁଃଖ,‘ମୋର ରୋଜଗାର ବୋଲି କିଛି ନାହିଁ,ସମୟ ସୁଯୋଗ ଦେଖି ଏପରି ଚୋରି କରୁଛି’

ଚୋରିକୁ ଲୁଚାଇବାକୁ ବାହାନା କଲା ସୁନୀଲ 

କୋରାପୁଟ:  କୋରାପୁଟ ସହରରୁ ଲଗାତାର ଭାବେ ଦୁଇଟି ଚେନ୍‌ ଲୁଟ ଘଟଣାର ପର୍ଦ୍ଧାଫାସ କରିଛି ଟାଉନ ପୁଲିସ। ତିନିଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି ପୁଲିସ। ଯୁବକ ଜଣକ ହେଲେ ଇନ୍ଦିରା ଆବାସ କଲୋନୀର ଉଦ୍ଧବ ଖରାଙ୍କ ପୁଅ ସୁନୀଲ ଖରା (୨୪)। ଆଜି ଏସଡିପିଓ ଗୁଣନିଧି ମଲ୍ଲିକ ସାମ୍ବାଦିକ ସମ୍ମିଳନୀ କରି ଏହି ଚୋର ଓ ଚ‌ୋରୀ ନେଇ ସୂଚନା ଦେଇଛନ୍ତି।

ପୁଲିସ ଉକ୍ତ ଲୁଟେରାଙ୍କଠାରୁ ୪୦ ଗ୍ରାମର ସୁନା ଚେନ୍‌ ଜବତ କରିଥିବାବେଳେ ଏହାର ହାରାହାରି ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଜେରା କରିବାବେଳେ ଯୁବକ ଜଣ ସଫେଇ ଦେଇ କହିଛି ଯେ ‘ମୋର ରୋଜଗାର ବୋଲି କିଛି ନାହିଁ। ଦିନକୁ ଦିନ ମୋର ନିଜ ଆବଶ୍ୟକତାକୁ ପୂରଣ କରିବା  ପାଇଁ ଚୋରି କାମକୁ ଆପଣାଇଛି। ସମୟ ସୁଯୋଗ ଦେଖି ଏପରି ଚୋରି କରୁଛି।’ ବୋଲି କହିଛି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଏହି ଯୁବକ।

୧୫ ତାରିଖରେ ଭାଣ୍ଡି ସାହିର ଜଣେ ମହିଳା ଓ ପୂର୍ବରୁ ସେହି ଭଳି ୪ତାରିଖରେ ହାଉସିଂ ବୋର୍ଡ କଲୋନୀର ଏକ ତେଜରାତି ଦ‌ୋକାନରେ ରହି ବିକ୍ରି କରୁଥିବା ବୟସ୍କା ମହିଳାଙ୍କ ଠାରୁ ଜିନିଷ କିଣିବା ବାହାନାରେ ଯାଇ ବେକରୁ ସୁନା ଚେନ ଝାମ୍ପି ନେଇଥିଲା। ଉଭୟ ପରିବାରବର୍ଗଙ୍କଠାରୁ ଲି୍‌ଖିତ ଅଭିଯୋଗ ପାଇବା ପରେ  ପୁଲିସ ଦୁଇଟି ମାମଲା ରୁଜୁ୍କରି  ବିଭିନ୍ନ ଦିଗରୁ ତଦନ୍ତ କରିଥିଲା।

ଏନେଇ ଆଇଆଇସି ଧୀରେନ୍‌ ପଟ୍ଟନାୟକଙ୍କ ନେତୃତ୍ବରେ ଏଏସଆଇ ଚିତ୍ତରଞ୍ଜନ ପ୍ରଧାନୀ ଓ ସୁଦର୍ଶନ ଅଧିକକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ପୁଲିସ ସହର ଦୁଇଜଣ ବୃଦ୍ଧାଙ୍କୁ ଡାକି ସୁନା ଚେନ୍‌ ଫେରାଇ ଦେଇଥିବା ଜଣାପଡିଛି।

ଆଜି କୋରାପୁଟ ଏସ୍ଡ଼ିପିଓ ଗୁଣନିଧି ମଲିକଙ୍କ ସୂଚନା ଅନୁଯାୟୀ ୧୫ତାରିଖ ଅପରାହ୍ନ ସମୟରେ ଭାଣ୍ଡି ସାହିର ବୟସ୍କା ମହିଳାଙ୍କୁ ଏପଟେ ଯିବାକୁ ରାସ୍ତା ଅଛିକି ବୋଲି ପଚାରିଥିଲେ ସୁନୀଲ। ଏହାପରେ ତାଙ୍କଠାରୁ ଏହି ଲୁଟେରା ଜଣକ ବେକରୁ ସୁନା ଚେନ ଝାମ୍ପି ନେଇଥିଲା।

ଚୋରକୁ ଧରିବା ପାଇଁ ସିସି ଫୁଟେଜର ସାହାରା ନିଆଯାଇଥିଲା । ସିସି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ କରିବା ସମୟରେ ଚେନ ଲୁଟେରା ଜଣକ ସୁନା ଚେନକୁ ବନ୍ଧକ ରଖିବା ପାଇଁ ପ୍ରୟାସ କରୁଥିବାର ଗୁପ୍ତ ସୂଚନା ପୁଲିସକୁ  ମିଳିଥିଲା। ସୂଚନା ଆଧାରରେ ପୁଲିସ ଚୋରକୁ ଧରିବାରେ ସଫଳ ହୋଇଥିଲା ଓ ତା’ ନିକଟରୁ ଦୁଇଟି ସୁନା ଚେନକୁ ଉଦ୍ଧାର କରିଛି । ଅପରାଧୀଙ୍କ ଏହି ଚ୍ୟାଲେଞ୍ଜକୁ ଗୁରତ୍ବର ସହ ନେଇ  ପୁଲିସ ସହରରେ ଥିବା କୋଣ ଅନୁକୋଣରୁ  ଆରମ୍ଭ କରି ବଜାର ହାଟରେ ଚ‌ୋର ଓ ମାଫିଆଙ୍କ ଉପରେ ତୀକ୍ଷ୍ମ ନଜର ରଖିଥିଲା । ସହରରେ  ପୁଲିସ୍ ବିଭାଗ ପକ୍ଷରୁ ଫୁଟ ପେଟ୍ରୋଲିଂ ଦଳ ତିଆରି କରାଯିବ। ଏହି ଟିମ ସହରକୁ ସହର ବୁଲି ପେଟ୍ରୋଲିଂକୁ ଅଧିକ ଗୁରୁତ୍ୱ ଦେବେ।

ସମ୍ବନ୍ଧିତ ଖବର