ବର୍ଷକରେ ରାୟଗଡା ଜିଲ୍ଲାର ୪୨୩ ଦୁର୍ଗମ ଗାଁକୁ ହେବ ପକ୍କା ରାସ୍ତା

ରାୟଗଡ଼ା: ବର୍ଷକରେ ରାୟଗଡ଼ା ଜିଲ୍ଲାର ୪୨୩ ଦୁର୍ଗମ ଗାଁକୁ ହେବ ପକ୍କା ରାସ୍ତା। ପ୍ରାଥମିକ ପର୍ଯ୍ୟାୟରେ ମନରେଗା ଯୋଜନାରେ ଘାଟ କଟିଂ ସହ ମେଟାଲ, ମୋରମ ଦ୍ବାରା ତିଆରି କରାଯିବ ରାସ୍ତା। ପରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଅନୁଷ୍ଠିତ ମୁକ୍ତିର ଅମୃତ ମହୋତ୍ସବ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଗ୍ରାମାଞ୍ଚଳର ବିକାଶରେ ରାସ୍ତାର ପ୍ରମୁଖ ଭୂମିକା ରହିଥିବା କହିଥିଲେ। ରାସ୍ତା ନଥିଲେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଅନେକ ଗାଁକୁ ରାସ୍ତା ନଥିଲା। ଲୋକେ ମାଇଲ ମାଇଲ ବାଟ ଚାଲି ଚାଲି ଆସିବା ପରେ ମୁଖ୍ୟରାସ୍ତାରେ ପହଞ୍ଚୁଥିଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ୫୯୫ ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ କରାଯାଇଛି। ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକାରୀଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ପ୍ରଥମ ସଂସ୍କରଣରେ ୨୯୩୪.୧୮୧ କିମି ରାସ୍ତା ନିର୍ମାଣ କରାଯାଇ ୯୯୯ ଗାଁକୁ ସଂଯୋଗୀକରଣ କରାଯାଇଛି।

୧୭ଟି ସେତୁ ମଧ୍ୟରୁ ୧୩ଟିର ନିର୍ମାଣ ଶେଷ ହୋଇଛି। ଯୋଜନାର ଦ୍ବିତୀୟ ସଂସ୍କରଣରେ ଆଗରୁ ତିଆରି ହୋଇଥିବା ମୁଖ୍ୟ ରାସ୍ତା ଗୁଡ଼ିକର ଉନ୍ନତିକରଣ ସହ ୧୪୬.୭୫୭ କିମି ରାସ୍ତା ନିର୍ମାଣ କରାଯାଇଛି। ତୃତୀୟ ସଂସ୍କରଣରେ ମୁଖ୍ୟ ରାସ୍ତା ଗୁଡ଼ିକର ଉନ୍ନତିକରଣ ସହ ୪୬ଟି ରାସ୍ତାର (୩୪୯.୩୯୦ କିମି) ନିର୍ମାଣ କାମ ଏବଂ ୪ଟି ସେତୁ ନିର୍ମାଣ ଚାଲିଛି। ୫ ବର୍ଷ ପରେ ରକ୍ଷଣାବେକ୍ଷଣ ପାଇଁ ୨୮.୭୭ କୋଟି ଖର୍ଚ୍ଚ କରାଯାଇ ୨୧୫୭.୦୮୮ କିମି ରାସ୍ତାର ନବୀକରଣ ଓ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ଶ୍ରୀଧର ନାୟକ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ସାଂସଦ ପ୍ରତିନିଧି ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ନାଏକ, ଗୁଣପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ କୁମାର ପାଢ଼ୀ, ରାୟଗଡ଼ା ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର