କୋରାପୁଟ ଜିଲ୍ଲାରେ ସିଡି ଚଢୁଛି କରୋନା, ୨୫ ଦିନରେ ୪୪ ଆକ୍ରାନ୍ତ

ଆଜିଠୁ ରାତ୍ରୀକାଳୀନ ଟାଇଟ୍‌ କର୍ଫ୍ୟୁ: ଏସପି

କୋରାପୁଟ: କୋରାପୁଟ ଜିଲ୍ଲାରେ ବଢୁଛି କରୋନା। ଡିସେମ୍ବରରୁ ହ୍ରାସ ପାଇଥିବା କରୋନା ଧୀରେ ଧୀରେ କରି ଏବେ ସିଡି ଚଢୁଛି। ମାର୍ଚ୍ଚ ୧୦ ତାରିଖରୁ ଏବେ ଯାଏ ୪୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲାକୁ ପ୍ରଥମ କରୋନା ରୋଗୀ ୨୭ ଏପ୍ରିଲରେ ଚିହ୍ନଟ ହୋଇଥିଲେ। ଏବେ ଯାଏଁ ଜିଲ୍ଲାରେ ୭୯୪୦ ଜଣ ରୋଗୀ କୋରାନାରେ ଆକ୍ରାନ୍ତ ହୋଇଥିବାବେଳେ ୨୪ଜଣ ରୋଗୀ ରୋଗ ସହ ଲଢୁଛନ୍ତି। ଏବେ ୭୯୦୦ ରୋଗୀ କରୋନାକୁ ହରାଇ ଥିବାବେଳେ ୧୬ ଜଣ ପ୍ରାଣ ହରାଇଛନ୍ତି। ମାର୍ଚ୍ଚ ୧୦ରୁ ୧୮ ତାରିଖ ଯାଏ ୪ ଜଣ, ୨୧ ତାରିଖରେ ୩ ଜଣ, ୨୩ରେ ଜଣେ, ୨୪ରେ ଦୁଇ ଜଣ, ୨୫ ତାରିଖରେ ୧୦ ଜଣ, ୨୮ ତାରିଖରେ ୨ ଜଣ, ୩୧ ତାରିଖରେ ୫ଜଣ, ଏପ୍ରିଲ ୧ ଓ ୨ ତାରିଖରେ ୪ ଜଣ ଲେଖାଏଁ, ତିନି ତାରିଖରେ ୨ ଓ ଆଜି ୭ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର କୁନ୍ଦୁରା, ଲମତାପୁଟ, ସୁନାବେଢା, ସେମିଳିଗୁଡା, ଜୟପୁର ଓ କୋଟପାଡ ଓ କୋରାପୁଟ ବ୍ଲକରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ୧୪ଟି ବ୍ଲକରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅମାନିଆଙ୍କ ମାସ୍କ ପିନ୍ଧୁ ନ ଥିବାବେଳେ ସାମାଜିକ ଦୂରତା ରଖୁନ ଥିବା ଦେଖିବାକୁ ମିଳିଛି। ଆଜି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତରୁ ଜଣେ, ଜୟପୁର ପୌରପାଳିକାର ବ୍ରହ୍ମା ସାହିରୁ ଦୁଇ ଜଣ, ସେମିଳିଗୁଡା ସରସ୍ବତି ନଗରରୁ ୩ ଜଣ ଓ ହାଲ ଟାଉନସିପ୍‌ରୁ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ପ୍ରଥମେ ପ୍ରଥମେ ଜିଲ୍ଲାରେ କାଁ ଭାଁ ରୋଗୀ ଚିହ୍ନଟ ହେଉଥିବାବେଳେ ଜୁନ ମାସରୁ ନଭେମ୍ବର ମାସ ଯାଏ ରୋଗୀଙ୍କ ସଂଖ୍ୟା ଆଶାତିତଭାବେ ବୃଦ୍ଧି ପାଇଥିଲା।

ଜିଲ୍ଲାର ଦଶମନ୍ତପୁର ବ୍ଲକରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସବା ଶେଷରେ ଲମତାପୁଟ ବ୍ଲକରେ ଜୁଲାଇ ମାସ ୭ ତାରିଖରେ ରୋଗୀ ଚିହ୍ନଟ ହୋଇଥିଲା। ଜିଲ୍ଲାରେ ୨୭ ଏପ୍ରିଲରୁ ୨୭ ସେପ୍ଟମ୍ବର ଯାଏ ୬ ମାସ ମଧ୍ୟରେ ୫୯୫୨ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୭ ସେପ୍ଟମ୍ବରରୁ ମାର୍ଚ୍ଚ ୧୪ ୨୦୨୧ ଯାଏ ୧୯୪୬ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ମେ ମାସରୁ ସେପ୍ଟମ୍ବର ମାସ ଯାଏ ୫ହଜାର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ତେବେ ଯଦି ଅବହେଳା ବୃଦ୍ଧି ପାଏ ତେବେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ସଂଖ୍ୟା ବୃଦ୍ଧି ପାଇବା ଆଶାଙ୍କା କରାଯାଉଛି।

ଏସଆରସି ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମ‌େ ଆସନ୍ତାକାଲି ଠାରୁ ରାତି ୧୦ଟାରୁ ସକାଳ ୫ଟା ଯାଏ ରାତ୍ରୀକାଳୀନ କଫ୍ୟୁ ଜାରି କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ, ବଜାର, ରେଷ୍ଟୁରାଣ୍ଟ, କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଜନ ସମାଗମକୁ ବାରଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ, ପୁଲିସ, ବିଏସ୍ଏ‌ଫ, ସିଆରପିଏଫ ସହ ଅନ୍ୟ ସୁରକ୍ଷାର୍କମୀ, ହସ୍ପିଟାଲ, ଡାକ୍ତର, ମେଡିକାଲ ଷ୍ଟାଫ୍‌, ଆମ୍ବୁଲାନ୍ସ ଷ୍ଟାଫ, ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଥିବା ରେଳବାଇ, ଜଳ ଯୋଗାଣ, ବିଦ୍ୟୁତ, ଅଗ୍ନିଶମ, ପରିବହନ ‌ଓ ଟେଲିକମ୍ରେ ନିୟୋଜିତ ଥିବା କର୍ମଚାରୀଙ୍କ ଉପରେ ଏହା ଲାଗୁ ହେବ ନାହିଁ।

ସେହିପରି ଔଷଧ ଦୋକାନ ଖୋଲା ରହିବାକୁ ରହିଥିବାବେଳେ ନାଲକୋ, ହାଲର କର୍ମଚାରୀ, ଏନ୍ଏ‌ଚ୍ଏ‌ଆଇ, ନିର୍ବାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଶ୍ରମିକ, ହୋଟେଲ ଶିଳ୍ପରେ ନିୟୋଜିତ କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ, ଜଣମାଧ୍ୟମ ପ୍ରତିନିଧିଙ୍କ ଉପରେ କଟକଣା ଲାଗୁ ହେବ ନାହିଁ। ସହରାଞ୍ଚଳରେ ନିର୍ବାହୀ ଅଧିକାରୀ ଓ ଗ୍ରାମାଞ୍ଚଳରେ ତହସିଲଦାର ତନକ୍ଷୀ କରିବା ଦାୟିତ୍ବରେ ରହିବେ। ଏନେଇ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲି କହିଛନ୍ତି ଯେ ଯେଉଁମାନେ ଏସଆରସି ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶଙ୍କୁ ଅବମାନନା କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡିଲେ କୋଭିଡ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର