ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ଆରମ୍ଭ ହୋଇ ସାରିଛି ମଣ୍ଡି। ସେବା ସମୟବାୟ ସମିତି ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ଧାନ କ୍ରୟ କରାଯାଉଛି। ଜିଲ୍ଲାରେ ଧାନ କିଣିବା ପାଇଁ ୪୪୦ଟି ପିପିସି(ପେଡି ପ୍ରକ୍ୟୁର୍ମେଣ୍ଟ୍ ସେଣ୍ଟର୍) ରହିଛି। ଧାନ କ୍ରୟ କରିବା ପାଇଁ ସମସ୍ତ କେନ୍ଦ୍ରରେ ପ୍ରସ୍ତୁତି ସରିଛି। ଏଣୁ ଆସନ୍ତା ସୋମବାର ଠାରୁ ଚାଷୀଙ୍କ ଠାରୁ ଧାନ କ୍ରୟ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ପ୍ରଥମ ଦଫାରେ ଜିଲ୍ଲାର ପ୍ରାୟ ୮ହଜାର ଚାଷୀଙ୍କ ନିକଟକୁ ମୋବାଇଲ୍ରେ ଟୋକନ୍ ଆସିଛି। ଯାହାର ଅବଧି ୧ମାସ ରହିଛି ବୋଲି ବ୍ରହ୍ମପୁର ଡିଭିଜନ୍ ସମବାୟ ସମିତି ଉପନିବନ୍ଧଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ଗଞ୍ଜାମ ଜିଲ୍ଲାରେ ଗତ ୨୯ତାରିଖରେ ଧାନମଣ୍ଡି ଖୋଲିଛି। ସମସ୍ତ ମଣ୍ଡି ଖୋଲି ନଥିବାରୁ ଧାନ କ୍ରୟ ପ୍ରକ୍ରିୟା କଚ୍ଛପ ଗତିରେ ଚାଲିଥିଲା। ଏବେ ୪୪୦ଟି ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଆଜି ସୁଦ୍ଧା ଜିଲ୍ଲାରେ ପ୍ରାୟ ୨୦ହଜାର କ୍ବିଣ୍ଟାଲ୍ ଧାନ କିଣା ଯାଇଥିବା ସୂଚନା ମିଳିଛି। ଧାନ ବିକ୍ରି କରିବା ପାଇଁ ପ୍ରଥମ ଦଫାରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୮ହଜାର ଚାଷୀଙ୍କ ନିକଟକୁ ଟୋକନ୍ ଆସିଛି। ଏହି ୮ହଜାର ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ କ୍ବିଣ୍ଟାଲ୍ ଧାନ କ୍ରୟ କରିବା ଟାର୍ଗେଟ ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ଆଉ ପ୍ରାୟ ୧୦/୧୨ଦିନ ପରେ ପୁଣିଥରେ ଅନ୍ୟ ଚାଷୀଙ୍କ ନିକଟକୁ ଟୋକନ୍ ଆସିବ।
ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ୧ଲକ୍ଷ ୨୩ହଜାର ୨୮୪ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ ୩୬ଲକ୍ଷ ୪ହଜାର ୪୭୭କ୍ବିଣ୍ଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି। ଗତ ୨୦୨୦-୨୧ ଖରିଫ୍ ଋତୁ ପାଇଁ ଜିଲ୍ଲାରୁ ୪୫ଲକ୍ଷ ୪୩ହଜାର କ୍ବିଣ୍ଟାଲ୍ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଚଳିତ ବର୍ଷ ଜିଲ୍ଲାରେ ଦେଖା ଦେଇଥିବା ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ଯୋଗୁଁ ବହୁ ଧାନ ଫସଲ ନଷ୍ଟ ହୋଇଛି। ଗଞ୍ଜାମ ଜିଲ୍ଲାରେ ବିଳମ୍ବରେ ଖରିଫ୍ ଚାଷ ହେଉଥିବାରୁ ଏବେ ବି କେତେକ ବ୍ଲକରେ ଚାଷୀ ଧାନ ଅମଳ କରି ନାହାନ୍ତି। ଜାନୁଆରି ୧୫ତାରିଖ ପର୍ଯ୍ୟନ୍ତ ଅମଳ ପକ୍ରିୟା ସମାପ୍ତ ହୋଇଯିବ ବୋଲି ଅନୁମାନ କରାଯାଉଛି। ଏହା ପରେ ଦ୍ବିତୀୟ ପର୍ଯ୍ୟାୟ ଟୋକନ୍ ଆସିବ। ଚଳିତ ବର୍ଷ ସାଧାରଣ ଧାନ କ୍ବିଣ୍ଟାଲ୍ ପିଛା ୧୯୪୦ ଟଙ୍କା ରଖାଯାଇଥିବା ବେଳେ ‘ଏ’ ଗ୍ରେଡ୍ ଧାନ ୧୯୬୦ ଟଙ୍କା ରଖାଯାଇଛି।