ପୁରୀ: ଡେଲାଙ୍ଗ ଥାନା ପୁଲିସ ଏକ ବଡ଼ ଧରଣର ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଇକ୍ ଲୁଟେରା ଗ୍ୟାଙ୍ଗର ୬ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ୪୫ଟି ବାଇକ୍ ଜବତ କରିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାମ୍ପେଡା ଗାଁର କାଲୁ ଭୋଇ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବେଣାପଂଜରୀ ଗାଁର ମହମ୍ମଦ ଅରବାଜ ଓରଫ ମଙ୍ଗୁଳୁ, ଖୋର୍ଦ୍ଧା ଜିଲ୍ଲା ବାରଘରପାଟଣା ଗାଁର ରାକେଶ କାଣ୍ଡି, ଜଙ୍କିଆ ଥାନା ଅନ୍ତର୍ଗତ ମୁକ୍ତାପୁର ଗାଁର ଗୋବିନ୍ଦ ଜେନା, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବରପତା ଗାଁର ବିଶ୍ୱଜିତ ସିଂହ ଓ ଜଟଣୀ ଥାନା ଅନ୍ତର୍ଗତ ବେଣାପଂଜରୀ ଗାଁର ଅମିରୁଉଦ୍ଦିନ ଖାନ୍।
/sambad/media/post_attachments/wp-content/uploads/2020/10/bfa69ba5-1674-4584-be7a-91adb3e96a58-1024x470.jpg)
ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିପିଲି ଡିଏସ୍ପି ଦେବଦତ୍ତ ବରାଳ କହିଛନ୍ତି, କୁଆପଦା ଗ୍ରାମ ନିକଟସ୍ଥ କୁମୁକା ଜଙ୍ଗଲରେ କିଛି ଅପରାଧୀ ଶ୍ରେଣୀୟ ବ୍ୟକ୍ତି ଚୋରାଗାଡ଼ି ରଖି ବିକ୍ରି କରୁଥିବା ନେଇ ପୁଲିସକୁ ଗତକାଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଭାରାପ୍ରାପ୍ତ ନିରୀକ୍ଷକ ରଶ୍ମୀରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ପୁଲିସ ୧୦ଟି ଚୋରା ବାଇକ୍ ଜବତ କରିବା ସହିତ କାଲୁ ଭୋଇ, ମହମ୍ମଦ ଅରବାଜ, ରାକେଶ କାଣ୍ଡି ଓ ଗୋବିନ୍ଦ ଜେନାକୁ ଗିରଫ କରିଥିଲା।
ଡିଏସ୍ପି ଶ୍ରୀ ବରାଳ କହିଛନ୍ତି, ୬ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ପୁଲିସ ବିଶ୍ୱଜିତ ସିଂହ ଓ ଅମିରୁଉଦ୍ଦିନ ଖାନ୍ଙ୍କ ପରିଚୟ ପାଇଥିଲା। ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବା ପରେ ବିଶ୍ୱଜିତ ଓ ଅମିରୁଉଦ୍ଦିନ ଗିରଫ ହୋଇଥିଲେ। ପୁଲିସକୁ ପରବର୍ତ୍ତୀ ସମୟରେ ଆହୁରି ୨୬ଟି ଚୋରା ବାଇକ୍ର ସନ୍ଧାନ ମିଳିଥିଲା।
କାଲୁ ଭୋଇ ଗଂଜାମ ଜିଲ୍ଲା ଖଲିକୋଟ ଥାନାରେ ଏକ ଗାଡ଼ିଚୋରି ମାମଲାରେ ସଂପୃକ୍ତ ଥାଇ ପୁଲିସ ହେପାଜତରୁ ଖସି ପଳାଇଥିଲା। ସେହିଭଳି ଅଭିଯୁକ୍ତ ମଙ୍ଗୁଳୁ ଭୋଇ ଓ ଗୋବିନ୍ଦ ଜେନା ବିରୁଦ୍ଧରେ ଗଂଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ଶ୍ରୀ ବରାଳ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Bike-choro-02_thumb.jpg)