ବାଲେଶ୍ୱର: ୪୫ଟି ଦେଶୀ କଇଁଛ ଉଦ୍ଧାର, ୩ ଗିରଫ

ବାଲେଶ୍ୱର: ଜଳେଶ୍ୱର ରେଳଷ୍ଟେସନରେ ରବିବାର ୪୫ଟି କଇଁଛ ସହ ୩ ଜଣ ବେପାରୀ ଆରପିଏଫ ହାତରେ ଧରାପଡ଼ିଛନ୍ତି। ଗିରଫ ବେପାରୀମାନେ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ଉତ୍ତମ କୁମାର ମଣ୍ଡଳ, ଅଶୋକ ପେରିଓ ଓ ଅନାଦି ସାସମଲ। କଇଁଛ ଓ ଗିରଫ ବେପାରୀମାନଙ୍କୁ ବନ ବିଭାଗର ଚାନ୍ଦିପୁର ରେଞ୍ଜକୁ ହସ୍ତାନ୍ତର କରାଯାଇଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅଞ୍ଚଳରୁ ଉକ୍ତ କଇଁଛଗୁଡିକୁ ଅଖାରେ ପୁରାଇ ସମ୍ପୃକ୍ତ ବେପାରିମାନେ ଉତ୍କଳ ଏକ୍ସପ୍ରେସରେ ପଶ୍ଚିମବଙ୍ଗ ନେଉଥିଲେ। ତେବେ ବାଲେଶ୍ୱରରୁ ଡିୟୁଟିରେ ଉଠିଥିବା ଆରପିଏଫ ଉକ୍ତ ବେପାରିମାନଙ୍କ ସୁରାଗ ବୁଢ଼ାବଳଙ୍ଗ ନିକଟରେ ପାଇଥିଲେ। ସେମାନଙ୍କୁ ପରବର୍ତ୍ତୀ ଷ୍ଟେସନ ଜଳେଶ୍ୱରରେ ଅଟକ ରଖାଯାଇଥିଲା। ସେମାନଙ୍କ ନିକଟରୁ ୪୫ଟି କଇଁଛ ଜବତ କରାଯାଇଥିଲା।

ବନବିଭାଗକୁ ଖବର ଦେବାପରେ ଚାନ୍ଦିପୁର ରେଞ୍ଜ ଅଫିସର ଦେବେନ୍ଦ୍ରନାଥ ପାତ୍ର, ପ୍ରହଲ୍ଲାଦ ଚନ୍ଦ୍ର ନାୟକ ପ୍ରମୁଖ ସେଠାରେ ପହଂଚି ଥିଲେ। ୩ ଅଭିଯୁକ୍ତ ଓ କଇଁଛ ଜବତ କରି ସେମାନେ ବାଲେଶ୍ୱର ଆଣିଥିଲେ। ଅଭିଯୁକ୍ତମାନେ ଓଡିଶାରୁ କଇଁଛ ନେଇ ପଶ୍ଚିମବଙ୍ଗରେ ବେପାର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କିଛିଦିନ ପୂର୍ବରୁ ବାଲେଶ୍ୱରର ସିମୁଳିଆ ଥାନା ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନରୁ ବେପାରୀମାନେ ୧୦୦ରୁ ଉର୍ଧ୍ଵ କଇଁଛ ଧରି ପଶ୍ଚିମବଙ୍ଗ ଚାଲାଣ କରୁଥିବା ବେଳେ ବସ୍ତା ରେଳ ଷ୍ଟେସନରୁ ଆରପିଏଫ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ବେଆଇନ କଇଁଛ ଚାଲାଣର ଚେର ଲମ୍ବିଥିବା ବେଳେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନନେବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର