ଖୋଲା ଆକାଶ ତଳେ ଅ, ଆ: ୬୬୧ ଅଙ୍ଗନବାଡି କେନ୍ଦ୍ରର ଘର ନାହିଁ, ଅଧିକାଂଶ କେନ୍ଦ୍ରରେ ମିଳୁନି ମୌଳିକ ସୁବିଧା
୪୬ ଅଙ୍ଗନବାଡି କର୍ମୀ ପଦବୀ ଖାଲି
କୋରାପୁଟ(ପତିତପାବନ ସାହୁ): ମୁଣ୍ଡ ଉପରେ ଖୋଲା ଆକାଶ। ତଳେ ପିଲା ଅ, ଆ ପଢୁଛନ୍ତି। ଖାଲି ପଢୁଛନ୍ତି, ତାହା ନୁହେଁ। ଏହି ଖୋଲା ଆକାଶ ତଳେ ସେମାନଙ୍କ ଭବିଷ୍ୟତ ଗଢା ହେଉଛି। ଖୋଲାମେଲାରେ ଖାଦ୍ୟ ରନ୍ଧା ହେଉଛି ଓ ପିଲାମାନେ ଖାଉଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବି ବଣ୍ଟନ ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏମିତି ନିଷ୍ଠୁର ସତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳୁଛି। ଶିଶୁମାନଙ୍କୁ ପରିପୂରକ ଖାଦ୍ୟ ଓ ପ୍ରାକ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରାଯାଉଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକର ନିଜସ୍ବ ଘର ନ ଥିବାରୁ ପିଲାମାନେ ଆକାଶ ତଳେ ଓ ଗଛ ମୂଳେ ବସି ପଢୁଛନ୍ତି। ସରକାରୀ ତଥ୍ୟ ଅନୁସାରେ, କୋରାପୁଟ ଜିଲ୍ଲାରେ ମୋଟ ୩୨୬୪ଟି ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କେନ୍ଦ୍ର ରହିଥିଲାବେଳେ ସେଥିରୁ ୬୬୧ଟି କେନ୍ଦ୍ରର ନିଜସ୍ୱ ଘର ନାହିଁ। ତେଣୁ ଏହି କେନ୍ଦ୍ର ପରିଚାଳନାରେ ଯାବତୀୟ ସମସ୍ୟା ସୃଷ୍ଟି ହେଉଛି। କେଉଁଠି ସ୍କୁଲ ବାରଣ୍ଡାରେ ତ କେଉଁଠି କାହା ଘର ପିଣ୍ଡାରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର। ସବୁଠି ଏହି ସୁବିଧା ନ ଥିବାରୁ କିଛି ସ୍ଥାନରେ ଗାଁ ମୁଣ୍ଡ ବରଗଛ ହିଁ ସାହରା ପାଲଟିଛି।
ନନ୍ଦପୁର ବ୍ଲକର ନନ୍ଦିଗାଁ, ଖୁଜେଲ, ଗୋଲପଣ୍ଡି ପରି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନିର୍ମାଣ ଚାଲିଛି ଯେ ଚାଲିଛି। ସରିବାର ନାଁ ଧରୁନି। ବଡପଦର, ବାଂଝାଲପୁଟରେ ବି ଅଙ୍ଗନବାଡି କେନ୍ଦ୍ର ଅଛି, ଘର ନାହିଁ। ଡୁମୁରିଗୁଡା, ଜଲାପୁଟ-୧, ଜଲାପୁଟ-୩ ପରି ଅଙ୍ଗନବାଡି କେନ୍ଦ୍ରର ବି ସମାନ ଅବସ୍ଥା। ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ମଣ୍ଡିସିଲ ଅଙ୍ଗନବାଡି କେନ୍ଦ୍ରର ବି ଘର ନ ଥିବାରୁ ପିଲାମାନେ ଜଣଙ୍କ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଏହି ବ୍ଲକର ସଦର ମହକୁମାରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ କୋଠା ନିର୍ମାଣ ହୋଇ ପାରୁ ନ ଥିଲାବେଳେ ବଦଲିକୁଡୁମା ଉପରସାହି ବି ନିଜସ୍ବ ଘର ନାହିଁ। ଏମିତିରେ କେନ୍ଦ୍ର କେମିତି ଚାଲିଛି ତାକୁ ନେଇ ଉଠିଛି ବଡ ପ୍ରଶ୍ନ। ଏହି ସବୁ କେନ୍ଦ୍ରର ନିଜସ୍ବ ଘର ନ ଥିବାରୁ ପିଲାମାନେ କାହା ବାରଣ୍ଡାରେ, ସ୍କୁଲ ପିଣ୍ଡାରେ ଆଉ ଗଛ ମୂଳେ ବସୁଛନ୍ତି। ସବୁ ସ୍କୁଲରେ ବି ଆବଶ୍ୟକ କୋଠା ନ ଥିବାରୁ ଅଙ୍ଗନବାଡି କର୍ମୀ ନିଜ ଘରେ ବି କେନ୍ଦ୍ର କରିଛନ୍ତି। ଫଳରେ ଏହି କେନ୍ଦ୍ର ସବୁ କେମିତି ଚାଲିଥିବ ଓ ବର୍ଷାଦିନେ ପିଲାମାନେ କେମିତି ବସୁଥିବେ ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଜିଲ୍ଲାର ୬୬୧ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଘର ନ ଥିଲାବେଳେ ଏଥିରୁ ୫୮୪ଟି କେନ୍ଦ୍ରର ଘର ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଥିବା ସରକାରୀ ଭାବେ କୁହାଯାଇଛି। ତ୍ରୟୋଦଶ ଅର୍ଥ କମିଶନ ଦ୍ବାରା ମଂଜୁର ଅର୍ଥରେ ୩୭ଟି ଘର, ଏମଜିନରେଗା ଅର୍ଥରେ ୪୪୭ଟି ଘର, ରାଜ୍ୟ ଓ କେନ୍ଦ୍ର ପ୍ଲାନରେ ୫୭ଟି ଘର ଓ ଅନ୍ୟାନ୍ୟ ଯୋଜନାରେ ୪୩ଟି ଘର ନିର୍ମାଣ କରାଯାଉଛି। କିନ୍ତୁ ଏହା କେବେ ଶେଷ ହେବ ତା’ର ହିସାବ ନାହିଁ। କିଛି କେନ୍ଦ୍ର ପାଇଁ ଅର୍ଥ ମଂଜୁର ହୋଇଥିଲାବେଳେ ଜାଗା ମିଳୁନି। ଆଉ କିଛି ସ୍ଥାନରେ ଅନ୍ୟାନ୍ୟ ବିବାଦ ପାଇଁ କାମ ଆଗେଇ ନାହିଁ। ଫଳରେ ଦିନ ଗଡୁଛି ସିନା ଜିଲ୍ଲାର ସବୁ ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇ ପାରୁନି। ଅପରପକ୍ଷରେ ୭୭ଟି ଅଙ୍ଗନବାଡି କେନ୍ଦ୍ର ପାଇଁ ଘର ନିର୍ମାଣର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନି। କେବେ ହେବ, ତାହା ବି ଜଣା ନାହିଁ।
ଅଙ୍ଗନବାଡି କେନ୍ଦ୍ରରେ କୋରାପୁଟ ଜିଲ୍ଲାର ଗର୍ଭବତୀ, ପ୍ରସୂତୀ ଓ ଶିଶୁଙ୍କୁ ମିଶାଇ ୧,୭୪,୫୮୮ ଜଣ ଶିଶୁଙ୍କୁ ଛତୁଆ ଯୋଗାଇ ଦିଆ ଯାଉଛି। ସେହିପରି ୭୦,୯୩୫ ଜଣ ଶିଶୁଙ୍କୁ ପ୍ରାକ-ବିଦ୍ୟାଳୟ ଶିକ୍ଷା ପ୍ରଦାନ କରାଯିବା ସହ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟଗତ ପରାମର୍ଶ ସହ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଏଠାରେ କରାଯାଉଛି। ତେବେ ସ୍ଥାୟୀ ଘର ନ ଥିବାରୁ ଏଥିରେ ସମସ୍ୟା ସୃଷ୍ଟି ହେଉଛି। ପୁଣି ଅଧିକାଂଶ କେନ୍ଦ୍ରରେ ବିଶୁଦ୍ଧ ପାନୀୟ ଜଳ, ରୋଷେଇ ଘର ଓ ଶୌଚାଳୟ ସୁବିଧା ଏ ପର୍ଯ୍ୟନ୍ତ ଯୋଗାଇ ଦିଆ ଯାଇ ପାରୁନି। ବିଜୁଳି ବ୍ୟବସ୍ଥା ତ ସାତ ସପନ। ପିଲାମାନଙ୍କ ପଢିବା ପାଇଁ ଆବଶ୍ୟକ ଶୈକ୍ଷିକ ଉପକରଣ ମଧ୍ୟ ନାହିଁ। ଅପରପକ୍ଷରେ ଜିଲ୍ଲାରେ ୨୭୨୩ଟି ଅଙ୍ଗନବାଡି କର୍ମୀ ପଦବୀ ଭିତରୁ ୨୩ଟି ଓ ୫୪୧ଟି ମିନି ଅଙ୍ଗନବାଡି କେନ୍ଦ୍ରରୁ ୨୩ଟି ପଦବୀ ଖାଲି ପଡିଛି। ୧୫ଟି ସୁପରଭାଇଜର ପଦବୀ ମଧ୍ୟ ପୂରଣ ହୋଇନି। ତେଣୁ ଅଙ୍ଗନବାଡି କେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇ ପାରୁନି। ଏପଟେ ଏହି ପଛୁଆ ଜିଲ୍ଲାର ପିଲାମାନେ ଉପଯୁକ୍ତ ପରିବେଶ ନ ପାଇ ପଢିବାରେ ଓ ବଢିବାରେ ସମସ୍ୟାରେ ପଡୁଛନ୍ତି।