କନ୍ତପଡ଼ା ଅଞ୍ଚଳକୁ ୪୮ ଘଣ୍ଟା ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ ସୁଜ୍ଞାନୀ, ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ

ପାଇକସାହି: ଅନୁଗୁଳ ଜିଲ୍ଲାରେ ରବିବାର ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଠମଲ୍ଲିକ ବ୍ଲକ୍‌ କନ୍ତପଡ଼ା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି କନ୍ତପଡ଼ା ପଞ୍ଚ‌ାୟତ ଅଞ୍ଚଳକୁ ୪୮ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁସାରେ ଏହି ସଟଡାଉନ୍‌ ସୋମବାର ସକାଳ ୧୦ଟାଠାରୁ ଗୁରୁବାର ସକାଳ ୧୦ଟା ପର୍ଯ୍ୟନ୍ତ ଜାରି ରହିବ। କନ୍ତପଡ଼ା ପଞ୍ଚାୟତର ବଇଣ୍ଡା ଦେଇ ଅନ୍ୟ ରାଜ୍ୟର ଯାନବାହନ ଚଳାଚଳ କରିଥାଏ। ଏହାକୁ ଦୃଷ୍ଟିରେ ରଖି କନ୍ତପଡ଼ା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର ଏଭଳି ପଦକ୍ଷେପ ନେଇଛନ୍ତି। ମହିଳା ସରପଞ୍ଚଙ୍କର ଏହି ସାହସିକ ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ।

ତେବେ ରାଜ୍ୟର  ପ୍ରଥମ ମହିଳା ସରପଞ୍ଚ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ମାଣିତରା ପଞ୍ଚାୟତର ସରପଞ୍ଚ ଦେଖାଇଥିଲେ ଜିଲ୍ଲାପାଳ କ୍ଷମତା। ଏହି ପଞ୍ଚାୟତ ଅଧିନରେ ଥିବା ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀ ନିୟମ ନ ମାନିବାରୁ ପଞ୍ଚାୟତ ଅଞ୍ଚଳରେ ୭ଦିନ ଲାଗି ସଟ୍‌ଡାଉନ୍‌ ଘୋଷଣା କରିଥିଳେ ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ।

ଏହି ସଟ୍‌ଡାଉନ୍‌ ୮ତାରିଖରୁ ୧୫ ତାରିଖ ଯାଏଁ ବଳବତ୍ତର ରହିବ।  ଦିନରେ କେବଳ ୪ଘଣ୍ଟା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ଲାଗି ମହଲତ ଦିଆଯାଇଛି। ବାକି ୨୦ ଘଣ୍ଟା ସଟଡାଉନ୍ ରହିଛି ପଞ୍ଚାୟତ।  ମାଣିତରା ପଞ୍ଚାୟତ ଅଧିନରେ ଥିବା ୯ଟି ଗାଁରେ ଏହି ସଟ୍‌ଡାଉନ୍‌ ବଳବତ୍ତର ରହିଛି। ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆମାନେ ନିୟମ ନମାନିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରପଞ୍ଚ। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ମହିଳା ସରପଞ୍ଚ।

କିଛିଦିନ ପୂର୍ବରୁ ରାଜ୍ୟ ସରକାର କରୋନା ମୁକାବିଲା ଲାଗି ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ। ଏଥିସହ ରାଜ୍ୟକୁ ଫେରୁଥିବା ସମସ୍ତ କରୋନା ଆକ୍ରାନ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି। ଏଥିରେ କୌଣସି ପ୍ରକାର ଆତଙ୍କିତ ନ ହେବା ପାଇଁ ସରପଞ୍ଚମାନଙ୍କୁ  ୫’ଟି’ ସଚିବ ଭି.କେ.ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ସଫଳ ପରିଚାଳନା କୋଭିଡ୍‌ ବିରୁଦ୍ଧରେ ରାଜ୍ୟବାସୀଙ୍କ ଜୟ ପରାଜୟ ନିର୍ଭର କରୁଛି। ଏ କ୍ଷେତ୍ରରେ ସରପଞ୍ଚମାନଙ୍କର ଗୁରୁଦାୟିତ୍ବ ଥିବା ଅନୁଭବ କରି ରାଜ୍ୟ ସରକାର ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରାଜ୍ୟର ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ସରପଞ୍ଚମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କରୋନା ବିରୋଧୀ ଲଢ଼େଇରେ ସେମାନଙ୍କ ବଳିଷ୍ଠ ନେତୃତ୍ବକୁ ଗ୍ରାମବାସୀମାନେ ସବୁଦିନ ମନେ ରଖିବେ।

ସମ୍ବନ୍ଧିତ ଖବର