କରୋନା ଚିକିତ୍ସା ଲାଗି ଗଂଜାମରେ ପ୍ଲାଜମା ଦାନ କରିବେ ୨୦୫ ଜଣ

ଆଜି ଗଂଜାମ ଜିଲ୍ଲାରେ ୨ ମହିଳାଙ୍କ ସମେତ ୭ ମୃତ୍ୟୁ

ବ୍ରହ୍ମପୁର: କରୋନା ଚିକତ୍ସାରେ ପ୍ଲାଜମା ଥେରାପି ଚିକିତ୍ସାକୁ ଓଡ଼ିଶାରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି । ରାଜ୍ୟରେ ଏବେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବା ପରେ କୋଭିଡ-ଯୁଦ୍ଧରେ ବିଜୟୀ ହୋଇଥିବା ଯୋଦ୍ଧାମାନେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି । ଗଂଜାମ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୦୫ ଜଣ ଲୋକ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଗ୍ରାମାଂଚଳରେ ୧୫୫ ଜଣ ଓ ସହରାଂଚଳରେ ୫୦ ଜଣ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

କରୋନା ଭାଇରସ ଯୋଗୁଁ ସମଗ୍ର ରାଜ୍ୟବାସୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଗଂଜାମରେ ଏହି ମହାମାରୀ ଅଧିକ ବ୍ୟାପିବାରେ ଲାଗିଛି । ଆଜି ଗଂଜାମ ଜିଲ୍ଲାରେ ୪୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଜିଲ୍ଲାରେ ମୋଟ ୮୬୭୮ ଜଣ କରୋନା  ଆକ୍ରାନ୍ତ ଥିବା ଜଣାପଡ଼ିଛନ୍ତି । ଏଥିରୁ ୫୪୦୪ ଜଣ ସୁସ୍ଥ ହୋଇଥିବା ବେଳେ ୩୧୯୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ଏପର୍ଯ୍ୟନ୍ତ ଗଂଜାମ ଜିଲ୍ଲାରୁ ୭୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇସାରିଛି ।

ଆଜି ଗଂଜାମ ଜିଲ୍ଲାରେ କରୋନା ଭାଇରସ ଲାଗି ୨ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏବଂ ଗୋଟିଏ ଜିଲ୍ଲାରୁ ଏହା ସର୍ବାଧିକ ମୃତ୍ୟୁ । ମହିଳାମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ବୋଲି ଜଣାପଡ଼ିଛି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗର୍ଭବତୀ ମହିଳାଜଣକ ଅଣକୋଭିଡରେ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର