ଛତ୍ରପୁର : ଚିଟ୍ଫଣ୍ଡ ଠକେଇର ଶିକାର ହୋଇଥିବା ଗଞ୍ଜାମ ଜିଲ୍ଲାର ୪୮୯୬ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ କମ୍ପାନି ୨୯୭୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଥିବା ବେଳେ ଅନ୍ୟାନ୍ୟ କମ୍ପାନି ଗୁଡ଼ିକ ୧୮୬୯ ଜଣ ଜମାକାରୀଙ୍କୁ ଟଙ୍କା ଫେରାଇ ସାରିଛନ୍ତି। ବାକି ରହିଥିବା କ୍ଷୁଦ୍ର ଜମାକାରୀଙ୍କୁ ପର୍ଯ୍ୟାୟ କ୍ରମେ ଟଙ୍କା ଫେରସ୍ତ କରାଯିବ। ଏ ନେଇ ଗଞ୍ଜାମ ଜିଲ୍ଲାର ସମସ୍ତ ତହସିଲରେ ଯୁଦ୍ଧକାଳୀନ ଭିତ୍ତିରେ କ୍ଷୁଦ୍ର ଜମାକାରୀଙ୍କ କାଗଜପତ୍ର ଯାଞ୍ଚ୍ କରି ଜିଲ୍ଲା କାର୍ଯ୍ୟାଳୟକୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।
ଗଞ୍ଜାମ ଜିଲ୍ଲାରେ ଗତ କିଛି ବର୍ଷ ମଧ୍ୟରେ ଲକ୍ଷାଧିକ ଲୋକଙ୍କ ଠାରୁ ବିଭିନ୍ନ ଚିଟ୍ଫଣ୍ତ୍ ସଂସ୍ଥା ବହୁ କୋଟି ଟଙ୍କା ଠକି ନେଇଥିଲେ। ଠକେଇର ତଦନ୍ତ କରୁଥିବା ଚିଟ୍ଫଣ୍ଡ୍ କମିସନ ଏବଂ କଟକ ଏଡିଏମ୍ (ଅତିରିକ୍ତ ଜିଲ୍ଲାପାଳ)ଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ଅଧୀନ ୨୩ଟି ତହସିଲର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରା ଯାଇଥିଲା। ୭ଟି ପର୍ଯ୍ୟାୟରେ ଜମାକାରୀଙ୍କ କାଗଜପତ୍ର କମିସନଙ୍କ ପାଖରେ ଦାଖଲ କରାଯାଇଛି। ଯେଉଁ ହିତାଧିକାରୀମାନେ ୧୦ ହଜାରରୁ କମ୍ ଟଙ୍କା ଜମା କରିଛନ୍ତି, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରାଇବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।
ଜିଲ୍ଲାରେ ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ ସଂସ୍ଥାର ପ୍ରାୟ ୪ ହଜାର ୧୩୮ ଜଣ କ୍ଷୁଦ୍ର ଜମାକାରୀ ଥିବା ବେଳେ ଆଜି ସୁଦ୍ଧା ୨୯୭୭ ଜମାକାରୀଙ୍କୁ ୯୩ ଲକ୍ଷ ୯୨ ହଜାର ୨୭୩ ଟଙ୍କା ଫେରସ୍ତ କରାଯାଇଛି। ସେହିପରି 'ଅର୍ଥତତ୍ତ୍ବ', 'ଆସ୍ଥା', 'ସାଫେକ୍ସ୍', 'ଗୋଲଡେନ୍ ଲ୍ୟାଣ୍ତ୍' ଓ 'ଓସ୍କାର୍' ଆଦି କମ୍ପାନିର ପ୍ରାୟ ୧୭ହଜାର କ୍ଷୁଦ୍ର ଜମାକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସେଥିରୁ ଆଜି ସୁଦ୍ଧା ୧୮୬୯ ଜମାକାରୀଙ୍କୁ ୧ କୋଟି ୧୬ ଲକ୍ଷ ୧୧ ହଜାର ୪୪୧ ଟଙ୍କା ଫେରସ୍ତ କରାଗଲାଣି। ବାକି ରହିଥିବା କ୍ଷୁଦ୍ର ଜମାକାରୀଙ୍କ କାଗଜପତ୍ର ଯାଞ୍ଚ୍ ଚାଲିଛି। ଯାହାର କାଗଜପତ୍ର ଠିକ୍ ଥିବ, ସମ୍ପୃକ୍ତ ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ମିଳିବ। ସେହିପରି ୧୦ହଜାର ଟଙ୍କାରୁ ଅଧିକ ଜମା କରିଥିବା ଜମାକାରୀଙ୍କୁ ତୁରନ୍ତ ଏହି ତାଲିକାରେ ସାମିଲ କରାଯିବ ବୋଲି ସୂଚନା ମିଳିଛି।