ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ରାୟଗଡ଼ା, କୋଲନରାରେ ହେଭିୱେଟ୍ ଲଢ଼େଇ ଆଜି

୫ ଜିଲ୍ଲା ପରିଷଦ ଜୋନରେ ଲଢ଼ୁଛନ୍ତି ୨୮ ପ୍ରାର୍ଥୀ

ରାୟଗଡ଼ା : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୫ ଜିଲ୍ଲା ପରିଷଦ ଜୋନ୍ ପାଇଁ ଆସନ୍ତାକାଲି ହେବ ମତଦାନ। ୨୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରି ସୁଯୋଗ୍ୟ ନେତାଙ୍କୁ ବାଛିବେ ଜନତା। ଜିଲ୍ଲାର ଦୁଇ ପ୍ରମୁଖ ବ୍ଲକ୍ ରାୟଗଡ଼ା, କୋଲନରାର ୫ ଜିଲ୍ଲା ପରିଷଦ ଆସନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ଲୋକସଭା ସାଂସଦ ସପ୍ତଗିରି ଉଲାକା ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଜୟ ପାଇଁ ସଭିଁଏ ପ୍ରସ୍ତୁତ କରିଛନ୍ତି ରଣନୀତି। ଏହି ହେଭିୱେଟ୍ ଲଢ଼େଇ ଉପରେ ଜିଲ୍ଲାବାସୀଙ୍କ ନଜର ଥିବା ବେଳେ ଭୋଟର କାହା ସପକ୍ଷରେ ମତଦାନ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ରାୟଗଡ଼ା ସଦର ବ୍ଲକ୍ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ନିଜସ୍ବ ବ୍ଲକ୍। ଏଥି ସହିତ କୋଲନରା ବ୍ଲକ୍ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବିଧାନସଭା କ୍ଷେତ୍ର ହୋଇଥିବାରୁ ୩ ହେଭିୱେଟ୍ ନେତା ଏହି ଦୁଇ ବ୍ଲକର ନିର୍ବାଚନ ପାଇଁ କଷିଛନ୍ତି ଅଙ୍କ। ପୂର୍ବରୁ ଏହି ଦୁଇ ବ୍ଲକ୍ କଂଗ୍ରେସ ଅକ୍ତିଆରରେ ରହୁଥିଲା। ବିଗତ କିଛି ନିର୍ବାଚନରେ ବିଜେଡ଼ି ସ୍ବତନ୍ତ୍ର ରଣନୀତି ଜରିଆରେ ଦୁଇ ବ୍ଲକ୍ ସହ ଜିଲ୍ଲା ପରିଷଦ ଆସନକୁ ଅକ୍ତିଆର କରି ଆସୁଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ରାଜ୍ୟସଭା ସାଂସଦ ଶ୍ରୀ ରାଓଙ୍କ ଗୋଟି ଚାଳନାରେ ରାୟଗଡ଼ାର ୩ ଜିଲ୍ଲା ପରିଷଦ ଜୋନ୍ ସହ ବ୍ଲକ୍ ଦଖଲ କରିଥିଲା। ଚଳିତ ନିର୍ବାଚନରେ ମଧ୍ୟ କ୍ଲିନ୍ ସୁଇପ୍ ଲକ୍ଷ୍ୟ ନେଇ ବିଜେଡ଼ି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ବିଜେଡ଼ି ୩ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନରାତି ଏକ କରି ଲାଗିଥିବା ବେଳେ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରିଛନ୍ତି ସାଂସଦ ଶ୍ରୀ ରାଓ।

 

ସେପଟେ ବିଜେଡ଼ିକୁ କଡା ଟକ୍କର ଦେବାକୁ ସଜବାଜ ହୋଇ ରଣନୀତି କରିଛି କଂଗ୍ରେସ। ସାଂସଦ ସପ୍ତଗିରିଙ୍କ ନେତୃତ୍ବରେ ଦଳ ରାୟଗଡ଼ା ବ୍ଲକର ୩ ଜିଲ୍ଲା ପରିଷଦ ଜୋନରେ ପ୍ରଚାରକୁ ଜୋରଦାର୍ କରିଛି। ରାୟଗଡ଼ାର ୩ ଜୋନ୍ ଲାଗି ୧୫ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେହିପରି କୋଲନରା ବ୍ଲକର ୨ ‌ଜୋନରେ ଦୁଇ ପ୍ରମୁଖ ଦଳ ବିଜେଡ଼ି-କଂଗ୍ରେସ ମଧ୍ୟରେ ହେଭିୱେଟ୍ ଲଢ଼େଇ ‌ହେବା ସ୍ପଷ୍ଟ ହୋଇଯାଇଛି। କୋଲନରା ‘କ’ ଆସନ ଅଣସଂରକ୍ଷିତ ରହିଥିବା ବେଳେ ‘ଖ’ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଦୁଇ ଆସନ ଲାଗି ୧୩ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନ ପୂର୍ବରୁ କୋଲନରାରେ କଂଗ୍ରେସର ମଙ୍ଗ ସମ୍ଭାଳୁଥିବା ଇପିଲି ଧବଳେଶ୍ବର ନାଇଡ଼ୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେବା ପରେ ରାଜନୈତିକ ସମୀକରଣ ବଦଳି ଯାଇଥିଲା। ବିଜେଡ଼ି ନାଇଡ଼ୁଙ୍କୁ ଗ୍ରହଣ କରି ଟିକେଟ୍ ଦେବା ପରେ କଂଗ୍ରେସ ଏହି ଘଟଣାକୁ ଗୁରୁତର ସହ ନେଇ ସମ୍ମାନ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛି। ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ମଙ୍ଗ ଧରିଥିବା ବେଳେ କଂଗ୍ରେସ ପ୍ରଚାର ମଙ୍ଗ ଧରିଛନ୍ତି ସାଂସଦ ସପ୍ତଗିରି। ୨୦୧୭ ନିର୍ବାଚନରେ ବିଜେଡ଼ି କୋଲନରା ‘କ’ ଜୋନ୍ ଏବଂ କଂଗ୍ରେସ ‘ଖ’ ଜୋନରେ ବିଜୟୀ ହୋଇଥିଲା। ଚଳିତ ନିର୍ବାଚନରେ କୋଲନରାର ଦୁଇ ଆସନ ସାଂସଦ-ମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଅକ୍ତିଆର ପାଇଁ ଉଭୟେ ଦଳୀୟ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ରାୟଗଡ଼ା ବ୍ଲକର ୩ ଜିଲ୍ଲା ପରିଷଦ ଜୋନ୍, ୨୮ ପଞ୍ଚାୟତ, ୩୨୭ ୱାର୍ଡ ଲାଗି ଆସନ୍ତାକାଲି ହେବ ମତଦାନ। ଏଥି ପାଇଁ ମତଦାନ କରିବେ ୮୮ ହଜାର ୧୮୪ ଭୋଟର। ସେହିପରି କୋଲନରା ବ୍ଲକର ୨ ଜିଲ୍ଲା ପରିଷଦ ଜୋନ୍ ୧୭ ପଞ୍ଚାୟତ ୨୨୧ ୱାର୍ଡ ଲାଗି ମତଦାନ କରିବେ ୪୯ ହଜାର ୫୦୯ ଭୋଟର।

 

ସମ୍ବନ୍ଧିତ ଖବର