ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ସୁନ୍ଦରଗଡ଼ ଜିଲ୍ଲାରେ ୬ ଜିଲ୍ଲା ପରିଷଦ ଓ ୫୩ ସରପଞ୍ଚ ବାଛିବେ ଭୋଟର

୩ ବ୍ଲକର ୬୭୪ ବୁଥ୍‌ରେ ମତଦାନ କରିବେ ୧.୯୪ ଲକ୍ଷ ଭୋଟର

ରାଉରକେଲା :      ମଙ୍ଗଳବାର ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା, ହେମଗିରି ଓ ଲହୁଣିପଡା ତିନି ବ୍ଲକରେ ମତଦାନ ହେବାକୁ ଯାଉଛି। ପୁଲିଂ ପାର୍ଟି ନିଜ ନିଜ ବୁଥ୍‌ରେ ପହଞ୍ଚି ସାରିଛନ୍ତି। ତିନିଟି ବ୍ଲକର ୬ ଜିଲ୍ଲା ପରିଷଦ, ୫୩ ସରପଞ୍ଚ ଓ ୬୭୪ ୱାର୍ଡ ସଭ୍ୟଙ୍କୁ ବାଛିବେ ୧ ଲକ୍ଷ ୯୪ ହଜାର ୮୩୫ ଭୋଟର। ଏଥିପାଇଁ ତିନିଟି ବ୍ଲକରେ ମୋଟ ୬୭୪ଟି ବୁଥ୍‌ କରାଯାଇଛି। ଏଥି ମଧ୍ୟରେ ୨୮୩ ଟି ସମ୍ବେଦଶୀଳ କେନ୍ଦ୍ର ରହିଛି। ଲହୁଣିପଡା ବ୍ଲକରେ ମୋଟ ୨୨୯ ବୁଥ୍‌ କରାଯାଇଛି। ଏଥି ମଧ୍ୟରେ ୭୫ ମତଦାନ କେନ୍ଦ୍ର ସମ୍ବେଦନଶୀଳ। ଲେଫ୍ରିପଡା ବ୍ଲକରେ ମୋଟ ୨୧୨ଟି ବୁଥ୍ କରାଯାଇଛି। ଏଥି ମଧ୍ୟରୁ ୮୨ଟି ବୁଥ ସମ୍ବେଦନଶୀଳ ଓ ୧୩ଟି ବୁଥ୍‌ ଅତି ସମ୍ବେଦନଶୀଳ। ସେମିତି ହେମଗିରି ବ୍ଲକରେ ମୋଟ ୨୩୩ଟି ବୁଥ୍‌ କରାଯାଇଛି। ଏଥି ମଧ୍ୟରୁ ୧୨୬ଟି ବୁଥ୍‌ ସମ୍ବେଦନଶୀଳ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ଉଭୟ ସୁନ୍ଦରଗଡ଼ ଓ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକ ଭଳି ସୁନ୍ଦରଗଡ଼ ଯେମିତି କୌଣସି ନିର୍ବାଚନୀ ହିଂସା ନ ଘଟେ ସେଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଲହୁଣିପଡା ବ୍ଲକର ଦୁଇଟି ଜୋନ୍‌ ମଧ୍ୟରୁ (କ) ଜୋନ୍‌ ଅଧୀନରେ ୮ଟି ପଞ୍ଚାୟତର ୧୧୬ଟି ୱାର୍ଡ ରହିଛି। ‌ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୩୭ ହଜାର ୯୮୩। ଲହୁଣିପଡା (ଖ) ଜୋନ୍‌ରେ ୯ଟି ପଞ୍ଚାୟତ ଓ ୧୧୩ଟି ୱାର୍ଡ ରହିଛି। ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୩୦ ହଜାର ୪୨। ଲେଫ୍ରିପଡା ବ୍ଲକର ଦୁଇଟି ଜୋନ୍‌ ମଧ୍ୟରୁ (କ) ଜୋନ୍‌ ଅଧୀନରେ ୮ଟି ପଞ୍ଚାୟତର ୯୭ଟି ୱାର୍ଡ ରହିଛି। ମୋଟ ଭୋଟର ହେଉଛନ୍ତି ୨୭ ହଜାର ୪୭୯। (ଖ)ଜୋନ୍‌ ଅଧୀନରେ ୯ଟି ପଞ୍ଚାୟତର ୧୧୫ଟି ୱାର୍ଡ ରହିଛି। ମୋଟ ଭୋଟ ହେଉଛନ୍ତି ୩୩ ହଜାର ୭୪୨। ସେମିତି ହେମଗିରି ବ୍ଲକର (କ)ଜୋନ୍‌ର ୯ଟି ପଞ୍ଚାୟତର ୧୦୮ ୱାର୍ଡରେ ୩୨ ହଜାର ୪୭୬ ଭୋଟର ରହିଛନ୍ତି। (ଖ) ଜୋନ୍‌ରେ ୧୦ଟି ପଞ୍ଚାୟତର ୧୨୫ ୱାର୍ଡରେ ୩୩ ହଜାର ୧୧୩ ଭୋଟର ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନରେ ହେମଗିରି ବ୍ଲକର (କ) ଜିଲ୍ଲା ପରିଷଦ ଜୋନ୍‌ ସିପିଆଇ ଖାତାକୁ ଯାଇଥିଲା। ସିପିଆଇର ପୁରବି ନାୟକ ମୋଟ ୭ ହଜାର ୭୨୬ ଖଣ୍ଡ ଭୋଟ ପାଇଥିଲେ। ବିଜେପି, କଂଗ୍ରେସ ଓ ବିଜେଡି ଯଥାକ୍ରମେ ୫,୧୪୯, ୫,୧୮୪ ଓ ୫,୧୯୨ ଭୋଟ ପାଇଥିଲେ। (ଖ) ଜିଲ୍ଲ ପରିଷଦ ଆସନ କଂଗ୍ରେସ ଖାତାକୁ ଯାଇଥିଲା। କଂଗ୍ରେସର କାଶିନାଥ ରାଉତ ୯, ୭୬୨ ଖଣ୍ଡ ଭୋଟ ପାଇଥିଲେ। ୭, ୫୦୫ ଖଣ୍ଡ ଭୋଟ ପାଇ ବିଜେଡିର ଗୋପାଳ ଚନ୍ଦ୍ର ପ୍ରଧାନ ଦ୍ବିତୀୟ ସ୍ଥାନରେ ରହିଥିଲେ। ଲହୁଣିପଡା ବ୍ଲକ (କ) ଓ (ଖ) ଜିଲ୍ଲା ପରିଷଦ ଜୋନ୍‌ ବିଜେଡି ଖାତାକୁ ଯାଇଥିଲା। (କ) ଆସନରେ ବିଜେଡିର ଲକ୍ଷ୍ମୀ କିସାନ ୧୧,୦୪୮ ଖଣ୍ଡ ଭୋଟ ପାଇଥିଲେ। ବିଜେପିର ଯଶୋମତୀ ୧୦, ୮୭୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। (ଖ) ଆସନରେ ବିଜେଡିର କେଦାର କୁମାର ମହାନ୍ତ ୮, ୯୩୬ ଖଣ୍ଡ ଭୋଟ ପାଇଥିଲେ। ୩,୮୨୫ ଖଣ୍ଡ ଭୋଟ ପାଇ ବିଜେପିର କାର୍ତ୍ତିକେଶ୍ବର ପ୍ରଧାନ ଦ୍ବିତୀୟ ସ୍ଥାନରେ ରହିଥିଲେ। ଲେଫ୍ରିପଡା ବ୍ଲକର (କ) ଜୋନ୍‌ ବିଜେପି ଓ (ଖ) ଜୋନ୍‌ କଂଗ୍ରେସ ହାତକୁ ଯାଇଥିଲା। (କ)ଜୋନ୍‌ର ବିଜେପିର ବାସନ୍ତି ବାରିକ୍‌ ୮, ୫୭୦ ଖଣ୍ଡ ପାଇ ବିଜୟୀ ହୋଇଥିଲେ। (ଖ) ଜୋନ୍‌ରେ କଂଗ୍ରେସର ନରେଶ ପ୍ରତାପ ସିଂ ୧୦,୫୨୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର