ଆଲୁମିନିୟମ ତାର ଚୋରି ରାକେଟ୍‌ ଠାବ; ୩.୯ ଟନ୍ ଆଲୁମିନିୟମ ଜବତ, ୫ ଗିରଫ

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳରେ ଦୀର୍ଘ ଦିନ ହେଲା ସକ୍ରିୟ ରହିଥିଲା ଆଲୁମିନିୟମ ତାର ଚୋରି ରାକେଟ୍। ଟନ୍ ଟନ୍ ବିଦ୍ୟୁତ ତାର ଚୋରି କରିବା ପରେ ତାହାକୁ ତରଳାଇ ଆଲୁମିନିୟମ ପ୍ଲେଟ୍‌ରେ ପରିବର୍ତ୍ତନ କରୁଥିଲା ଏହି ରୢାକେଟ୍। ସରକାରୀ ଯୋଜନାରେ ବ୍ୟବହାର ହେଉଥିବା ତାରକୁ ଏହି ରୢାକେଟ୍ ଚୋରି କରୁଥିବା ବେଳେ ପ୍ରାୟ ୩୫ଲକ୍ଷ ଟଙ୍କାର ତାର ଚୋରି ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ରାକେଟ୍ ସହ ସଂପୃକ୍ତ ଗୋଟିଏ କଂପାନିକୁ ପୁଲିସ ସିଲ୍ କରିବା ସହ ମୋଟ ୫ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦୀନଦୟାଲ ଗ୍ରାମୀଣ ବିଦ୍ୟୁତ ସଂଯୋଗ ଯୋଜନାରେ ଗ୍ରାମାଞ୍ଚଳକୁ ୧୧କେଭି ବିଦ୍ୟୁତ ସଂଯୋଗ କରାଯାଉଛି। ଏହି ଯୋଜନାରେ ବିଷମକଟକ ବ୍ଲକର କୁମ୍ଭାରଧାମୁଣି ଠାରୁ ବଡ଼ଖିଲାପଦର ପର୍ଯ୍ୟନ୍ତ ବର୍ତ୍ତମାନ ତାର ବିଛାଇବା କାମ ଚାଲିଛି। ହେପି ଟେକ୍ନୋ ଇଞ୍ଜିନିୟରିଂ ଏବଂ ମନି ଇଞ୍ଜିନିୟରିଂ ନାମକ ଦୁଇଟି ଘରୋଇ କଂପାନି ମିଳିତ ଭାବେ ଏହି କାର୍ଯ୍ୟ କରୁଛନ୍ତି। ତେବେ ଏହି ପ୍ରକଳ୍ପରେ ବ୍ୟବହାର ହେଉଥିବା ଆଲୁମିନିୟମ ତାର ବାରମ୍ବାର ଚୋରି ହେଉଥିଲା। ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିବାରୁ ଗତ ୫ତାରିଖ ଦିନ ସଂପୃକ୍ତ କଂପାନିର କର୍ମଚାରୀ ହର୍ଷବର୍ଦ୍ଧନ ସୁବ୍ରମଣି ବିଷମକଟକ ଥାନାରେ ଏତଲା ଦେଇଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ଛାନଭିନ୍ ଆରମ୍ଭ କରି ଏହା ପଛରେ ଗୋଟିଏ ରାକେଟ୍ କାର୍ଯ୍ୟ କରୁଥିବା ଜାଣିବାକୁ ପାଇଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାୟଗଡ଼ା ସ୍ଥିତ ପ୍ରସାଦ ମେଟାଲ କଂପାନିରେ ଚଢ଼ଉ କରିବାରୁ ବିପୁଳ ପରିମାଣରେ ଚ‌ୋରି ହୋଇଥିବା ଆଲୁମିନିୟମ ତାର ସେଠାରୁ ପାଇଥିଲା। ମେଟାଲ କଂପାନିର ମାଲିକ ବି ଲବରାଜୁଙ୍କୁ ଗିରଫ କରିବା ପରେ ପଚରାଉଚୁରା ସମୟରେ ଏହି କାରବାର ସଂପର୍କରେ ପୁଲିସକୁ ବିସ୍ତୃତ ତଥ୍ୟ ମିଳିଥିଲା।

ବିଭିନ୍ନ ଅଞ୍ଚଳରୁ ତାର ଚୋରି ହୋଇ ଏହି କଂପାନିର ୱାର୍କସ୍‌ପକୁ ଆସୁଥିଲା। ଯାହାକୁ ତରଳାଇ ପ୍ଲେଟ୍ ଆକାର ଦିଆଯାଉଥିଲା। ଏଥିରେ ଦେବାଶିଷ ଲିମା, ମନୋଜ କୁମାର ସୁବୁଦ୍ଧି, କୁନୁ ନାୟକ ଏବଂ ଗିରୀଶ ଚୌଧୁରୀ ପ୍ରମୁଖଙ୍କ ସଂପୃକ୍ତ ନେଇ ପ୍ରମାଣ ମିଳିବାରୁ ସମସ୍ତଙ୍କୁ ଗିରଫ କରାଯାଇଛି। ସେହିପରି ପ୍ରସାଦ ମେଟାଲ କଂପାନିକୁ ସିଲ୍ କରାଯିବା ସହ ଚୋରି ସାମଗ୍ରୀ ପରିବହନରେ ବ୍ୟବହାର ହେଉଥିବା ଅଟୋରିକ୍ସାକୁ ମଧ୍ୟ ପୁଲିସ ଜବତ କରିଛି।

ଏହାବ୍ୟତୀତ ପୁଲିସ ୩ଟନ୍ ୯କ୍ବିଟାଲ ୪୩କିଲୋ ଆଲୁମନିୟମ୍ ତାର ଏବଂ ୪୩୯ଟି ଆଲୁମିନିୟମ୍ ପ୍ଲେଟ ମଧ୍ୟ ଜବତ କରିଥିଲା। କଂପାନିର ୱାର୍କସପ୍‌ରେ ବହୁ ପରିମାଣରେ ଆଲୁମିନିୟମ ପ୍ଲେଟ୍‌ ଉତ୍ତପ୍ତ ଅବସ୍ଥାରେ ରହିଥିବାରୁ ଜବତ କରାଯାଇ ପାରିନି ବୋଲି ଥାନା ଅଧିକାରୀ ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି। ଥାନା ଏସ୍‌ଆଇ ମଧୁସୂଦନ ଶର୍ମାଙ୍କ ନେତୃତ୍ବରେ ଗଠିତ ଟିମ୍ ଥେରୁବାଲି ଏବଂ ରାୟଗଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରି ସାମଗ୍ରୀ ଜବତ କରିଥିଲେ। ଜବତ ସାମଗ୍ରୀର ମୂଲ୍ୟ ୬ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଆଜି ଡାକ୍ତରୀ ମାଇନା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗକୁ ବି ଚଢ଼ଉ ଜାରି ରହିବ ଏବଂ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର