ଚୋରା ଲୁହା ପଥର ଚାଲାଣ କରୁଥିବା ୨ ଡମ୍ଫର ଜବତ, ୫ ମାଫିଆ ଗିରଫ

ଗୋରୁମହିଷାଣୀ: ବେଆଇନ ଭାବରେ ଚାଲାଣ କରୁଥିବା ଦୁଇଟି ଲୁହାପଥର ବୋଝେଇ ଡମ୍ଫରକୁ ଜବତ କରିଛି ବହଳଦା ପୁଲିସ। ଏହା ସହ ୫ ଜଣ ପଥର ମାଫିଆଙ୍କୁ ମଧ୍ୟ ଗିରଫ କରିଛି। ଦୀର୍ଘଦିନ ଧରି ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଲୌହଖଣି ଆଖପାଖ ଅଞ୍ଚଳରୁ ବେଆଇନ ଭାବରେ ଲୌହ ପଥର ଖନନ କରି ମାଫିଆ ଗୋଷ୍ଠୀ ଝାଡଖଣ୍ଡକୁ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠି ଆସୁଥିଲା।

ତେବେ ମଙ୍ଗଳବାର ବେଆଇନ ଭାବେ ଲୁହାପଥର ଚାଲାଣ ହେଉଥିବା ଖବର ପାଇ ପୁର୍ବ ପ୍ରସ୍ତୁତ ଥିବା ପୋଲିସ ଟିମ ଚଢ଼ାଉ କରିଥିଲେ। ଦୁଇଟି ଲୁହାପଥର ବୋଝେଇ ଡ଼ମ୍ଫର (ଓଆର-୧୪-ଏନ୍‌-୮୯୭୪ ଓ ଓଆର୍‌-୦୪-ଜେ-୦୪୯୩)ଜବତ କରିବା ସହିତ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୁଲିସ। କିନ୍ତୁ ମୁଖ୍ୟ ଚାଲାଣକାରୀ ଦୁଇରୁ ତିନି ଜଣ ଅନ୍ଧାରର ସୁଯୋଗ ନେଇ ଖସି ଯିବାରେ ସଫଳ ହୋଇଛନ୍ତି। ବହଳଦା ପୁଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରିବା ସହିତ କାରବାରରେ ଜଡିତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର