ବ୍ରହ୍ମପୁର: ଗ୍ରାମାଞ୍ଚଳ ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍ରେ ବସ୍ଷ୍ଟାଣ୍ଡ୍ ନିର୍ମାଣ ଯୋଜନା ‘ଆମ ବସ୍ଷ୍ଟାଣ୍ଡ୍’ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ନୂତନ ଭାବେ ୭୦ଟି ବସ୍ଷ୍ଟାଣ୍ଡ୍ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍ ସାମିଲ ହୋଇଛି। କିନ୍ତୁ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ବ୍ଲକ୍ ତାଲିକାରୁ ବାଦ୍ ପଡ଼ିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଛି। ରାଜ୍ୟ ସରକାର ଏ ଦିଗରେ ବିଚାର କରି ତୁରନ୍ତ ବସ୍ଷ୍ଟାଣ୍ଡ୍ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ରାଜ୍ୟ ସରକାର ଗତ ୨୦୨୧ରେ ୨୨ଟି ବ୍ଲକ୍ରେ ୫୫ଟି ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁସାରେ ସେହିବର୍ଷ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମୋଡ୍ରେ ନୂତନ ବସ୍ଷ୍ଟାଣ୍ଡ୍ ପାଇଁ ଶୁଭ ଦେଇଥିଲେ। କିନ୍ତୁ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ସାମିଲ ହୋଇପାରି ନଥିଲା। ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଧରାକୋଟ ଓ ଜଗନ୍ନାଥପ୍ରସାଦରେ ନୂତନ ବସ୍ଷ୍ଟାଣ୍ଡ୍ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ରହିଥିବା ବେଳେ ଏହି ୪ଟି ବ୍ଲକ୍ ବାଦ୍ ପଡ଼ିଥିଲା। ଚଳିତ ବର୍ଷ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍କୁ ସାମିଲ କରା ଯାଇଥିବା କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି. ଶଙ୍କର ପାତ୍ରଙ୍କ ତଥ୍ୟରୁ ଜଣାପଡ଼ିଛି। ଶ୍ରୀ ପାତ୍ରଙ୍କ ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାର ପୋଲସରା, ଧରାକୋଟ, ସୋରଡ଼ା, ସାନଖେମୁଣ୍ଡି ଓ ଜଗନ୍ନାଥପ୍ରସାଦ ବ୍ଲକ୍କୁ ଚଳିତ ବର୍ଷ ସାମିଲ କରାଯାଇଛି। କିନ୍ତୁ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ବ୍ଲକ୍ ବାଦ୍ ପଡ଼ିଛି। ଖଲ୍ଲିକୋଟ ବ୍ଲକ୍ ସଦର ମହକୁମା ହେଉଛି ଖଲ୍ଲିକୋଟ ଏନ୍ଏସି। ଏହା ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ଐତିହ୍ୟ ଓ ସଂସ୍କୃତିଭରା ସହର। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଏହା ହେଉଛି ସୀମାନ୍ତ ବ୍ଲକ୍। ଏଠାରୁ ଭୁବନେଶ୍ବର ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବସ୍ ଯାତାୟାତ କରିଥାଏ। କିନ୍ତୁ ସ୍ଥାୟୀ ବସ୍ଷ୍ଟାଣ୍ଡ୍ ନଥିବାରୁ ଯାତ୍ରୀମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ସେହିଭଳି କବିସୂର୍ଯ୍ୟନଗର ବ୍ଲକ୍ରେ ମଧ୍ୟ ସ୍ଥାୟୀ ବସ୍ଷ୍ଟାଣ୍ଡ ନାହିଁ। ଏଣୁ ସେଠାରେ ରାସ୍ତା ଉପରେ ବସ୍ ଛିଡ଼ା ହୋଇ ରହୁଛି। ଯାହାକି ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣାର କାରଣ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କବିସୂର୍ଯ୍ୟନଗରରେ ଏକ ବସ୍ଷ୍ଟାଣ୍ଡ୍ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି। ଏ ନେଇ ଶ୍ରୀ ପାତ୍ର ବାରମ୍ବାର ରାଜ୍ୟ ସରକାର ତଥା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବସ୍ଷ୍ଟାଣ୍ଡ୍ ପାଇଁ ଆବଶ୍ୟକ ଜମି ଚିହ୍ନଟ ହୋଇ ସାରିଛି। ହେଲେ ବସ୍ଷ୍ଟାଣ୍ଡ୍ ନିର୍ମାଣରେ ବିଳମ୍ବ ହେଉଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବସ୍ଷ୍ଟାଣ୍ଡ୍ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି।