ମାଗଣାରେ ସ୍କୁଲ, କଲେଜ ଯିବେ ଛାତ୍ରଛାତ୍ରୀ: କୋଇଡ଼ା ବ୍ଲକରେ ୫ଟି ବସ୍‌ ଶୁଭାରମ୍ଭ କଲା ଜିଲ୍ଲା ପ୍ରଶାସନ

ରାଉରକେଲା: ଖଣି ପ୍ରଭାବିତ କୋଇଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ କଲେଜ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଛି। କୋଇଡ଼ା ବ୍ଲକ୍ କାର୍ଯ୍ୟାଳୟଠାରେ ଆଜି ଏହି ମାଗଣା ବସ୍ ସେବାକୁ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ କୋଇଡ଼ା ବ୍ଲକର ୫ଟି ରୁଟ୍‌, ଯଥା-ଗୋପନା-କୋଇଡ଼ା, ଟେନସା-କୋଇଡ଼ା, ପାଟମୁଣ୍ଡା ପଞ୍ଚାୟତ-କୋଇଡ଼ା, କଲମଙ୍ଗ ପଞ୍ଚାୟତ-କୋଇଡ଼ା ଓ ରୁଗୁଡ଼ି-କୋଇଡ଼ାକୁ ଚଳାଚଳ କରିବ। କୋଇଡ଼ା ବ୍ଲକ ସଦର ମହକୁମା ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମାଗଣାରେ ଏହି ବସ୍ ସେବା ପାଇପାରିବେ।

ଏହାଦ୍ବାରା ପ୍ରତ୍ୟହ ୨ଶହରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ୫ଟି ବସ୍ ଯୋଗାଇ ଦେବା ସହିତ ଏହାର ନିୟମିତ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେଉଛି। ପ୍ରକାଶ ଥାଉକି, ଖଣି ପ୍ରଭାବିତ କୋଇଡ଼ା ବ୍ଲକରେ ମୋଟ ୧୫ଟି ପଞ୍ଚାୟତ ରହିଛି। ଏହି ବ୍ଲକର ଅନେକ ଗାଁ ବଣ, ପାହାଡ଼ଘେରା ହୋଇଥିବା ସହ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଭୌଗୋଳିକ ପ୍ରତିବନ୍ଧକ ରହିଥିବାରୁ ଛାତ୍ରଛାତ୍ରୀମାନେ ଠିକ୍ ସମୟରେ ସ୍କୁଲ, କଲେଜକୁ ଯିବା ଆସିବା କରିବାରେ ଯାବତୀୟ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ପୂର୍ବରୁ ଜିଲ୍ଲାରେ ଥିବା ୧୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଯିବା ଆସିବା ପାଇଁ ଡିଏମଏଫ ପକ୍ଷରୁ ୩ଟି ଲେଖାଏଁ, ମୋଟ୍‌ ୩୬ଟି ବସ୍ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବାକୁ ଥିବା ଅନ୍ୟ ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ବସ୍ ଯୋଗାଇ ଦିଆଯିବ। ବସ୍ ସେବାର ଉଦଘାଟନୀ କାର୍ଯ୍ୟକ୍ରମରେ କୋଇଡ଼ା ବ୍ଲକ ଅଧ୍ୟକ୍ଷା ରୀନାରାଣୀ କୁମଦିଆଲ, ମଣ୍ଡଳ ଉନ୍ନୟ ଅଧିକାରୀ ପଲ୍ଲବୀ ରାଜ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର