ଅସଲି ଜମିରେ ନକଲି ବୀମା ଘଟଣା: ବେଲପଡ଼ା ଥାନାରେ ୫ ମାମଲା ରୁଜୁ, ଭିଜଲାନ୍ସ ତଦନ୍ତ ଦାବି କଲେ ଅସଲି ଚାଷୀ

ବେଲପଡ଼ା: ଅସଲି ଜମିରେ ନକଲି ବୀମା କରାଯାଇଥିବା ଘଟଣାରେ ବେଲପଡ଼ା ଅଞ୍ଚଳର ୫ ଜଣ ଚାଷୀଙ୍କ ଏତଲାକ୍ରମେ ଥାନାରେ ୫ଟି ମାମଲା ରୁଜୁ ହୋଇଛି। ସେହିପରି ବେଲପଡ଼ା କନିଷ୍ଠ କୃଷି ଅଧିକାରୀଙ୍କୁ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଘଟଣାର ଭିଜିଲାନ୍ସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ, ବେଲପଡ଼ା ବ୍ଲକ୍‌ ଭାଲୁବାହାଲି ଗାଁର ଚାଷୀ ଜଗବନ୍ଧୁ ମାଝୀ, ଗୟାଧର ମାଝୀ, ଉତ୍ସବ ମାଝୀ, ଜନ୍ମେଜୟ ମାଝୀ ପ୍ରମୁଖ ସେମାନଙ୍କ କୃଷି ବୀମା ପ୍ରିମିୟମ ଜମା କରିବାକୁ ଜନସେବା କେନ୍ଦ୍ରକୁ ଯାଇଥିଲେ। ହେଲେ ପୂର୍ବରୁ ସେମାନଙ୍କ ଜମିରେ କେହି ଅଜଣା ବ୍ୟକ୍ତି ବୀମାଭୁକ୍ତ କାରାଇ ନେଇଥିବା ଜାଣିଥିଲେ। ଏନେଇ ସେମାନେ ବେଲପଡ଼ା କୃଷି ଅଧିକାରୀ ଓ ତହସିଲଦାରଙ୍କୁ ଜଣାଇଥିଲେ।

କୃ‌ଷି ବିଭାଗ ଯାଞ୍ଚ କରିବାରୁ ଭାଲୁବାହାଲି ଗାଁର ଚାଷୀଙ୍କ ଖାତା ନଂ ୫୩/୧୫, ଖାତା ନଂ୫୩/୩୧ର ପ୍ରାୟ ୧୦ ହେକ୍ଟର ଚାଷ ଜମିକୁ ବଙ୍ଗୋମୁଣ୍ଡା ବ୍ଲକ୍‌ ମାଲପଡ଼ା ଅଞ୍ଚଳର ଯତୀନ ମାଝୀ, ଅଗାଧୁ ମାଝୀ ଜନସେବାକେନ୍ଦ୍ର ଆଇଡି ୭୮୫୦୬୧୨୨୦୦୧୪ ଠାରେ କୃଷି ବୀମା କରାଇ ନେଇଥିବା ଜଣାପଡ଼ିଥିଲା। ଫଳରେ ଅସଲି ଚାଷୀମାନେ କୃଷି ବୀମା କରିବାରୁ ବଂଚିତ ହୋଇଛନ୍ତି।

ଏନେଇ ଚାଷୀମାନେ ବେଲପଡ଼ା ଥାନାରେ ପୃଥକ୍‌ ପୃଥକ୍‌ ଭାବେ ଏତଲା ଦେଇଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ନକଲି ଚାଷୀ କରିଥିବା କୃଷି ବୀମାକୁ ବାତିଲ କରି ଅସଲି ଚାଷୀଙ୍କୁ ବୀମାଭୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ଉପରେ ବେଲପଡ଼ା ଅତିରିକ୍ତ କୃଷି ଅଧିକାରୀ ଆନନ୍ଦ ମଲ୍ଲିକଙ୍କୁ ପଚାରିବାରୁ ଅସଲି ଚାଷୀଙ୍କ ଜମିରେ ନକଲି ଚାଷୀ କୃଷି ବୀମା କରାଇ ନେଉଥିବା କଥାକୁ ସ୍ବୀକାର କରିବା ସହ ନକଲି ଚାଷୀ ବୀମା ପ୍ରିମିୟମ ପଇଠ କରିଥିଲେ ତାହା ବାତିଲ ହୋଇପାରିବ ନାହିଁ ଓ ଏହା ଉପରେ ତଦନ୍ତ କରି ସଂପୃକ୍ତ ବୀମା କମ୍ପାନିକୁ ଅବଗତ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର