ଫୁଲବାଣୀ:କରୋନା ପ୍ରଭାବ ରହିଛି। ଲାଗି ରହିଛି କଟକଣା। ତା ସତ୍ତ୍ବେ ଧନତେରାସରେ ସୁନା ବେପାର ଭଲ ହୋଇଛି। ସକାଳୁ ରାତି ପର୍ଯ୍ୟନ୍ତ ଫୁଲବାଣୀ ସହରର ସମସ୍ତ ସୁନା ଦୋକାନରେ ବେଶ ଭିଡ ଜମିଥିଲା। ବିଶ୍ବାସ ରହିଛି। ଧନତେରସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ତେଣୁ ଧନତେରସ ଦିନ ଗରୀବଠୁ ଧନୀ ସମସ୍ତେ ସୁନା କିଣିବାକୁ ମାନସିକସ୍ତରରେ ଏକରକମ ପ୍ରସ୍ତୁତ ହୋଇ ରହିଥାନ୍ତି।
କରୋନା ପ୍ରଭାବରେ ସୁନା ବେପାର ହେବ କି ନାହିଁ ଦୋକାନୀମାନେ ଆଶା ଆଶଙ୍କାରେ ଥିଲେ। ହେଲେ ଆଜି ସୁନା ଦୋକାନରେ ଲୋକଙ୍କ ଖାଚାଖଚ ଭିଡ ଜମିବାରୁ ଦୋକାନୀଙ୍କ ଆଶା ଆଶଙ୍କା ଦୁର ହୋଇ ଯାଇଛି। ପ୍ରତିବର୍ଷ ଭଳି ଏଥର ବି ଧନତେରସରେ ସୁନା ବେପାର ଭଲ ହୋଇଛି ବୋଲି କହନ୍ତି ଫୁଲବାଣୀ ସହର ସାଇ ଜୁଏଲର୍ସର ମାଲିକ ବଳରାମ ନାୟକ। ଫୁଲବାଣୀ ସହରରେ ୧୦ରୁ ଉର୍ଦ୍ଧ୍ବ ସୁନା ଦୋକାନ ଥିବା ବେଳେ ସବୁଠି ଭଲ ବେପାର ହୋଇଛି।।
ଗାଁରୁ ସହର ବହୁ ଲୋକ ଆସି ସୁନା କିଣିଛନ୍ତି। ପ୍ରାୟତଃ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ବିକ୍ରି ହୋଇଥିବା ଜଣା ପଡିଛି। କରୋନା ପାଇଁ ଦୀର୍ଘ ୭ ମାସ ହେଲା ହାତବାନ୍ଧି ବସିଥିବା ସୁନା ଦୋକାନୀମାନେ ଆଜି ଧନତେରସରେ ଭଲ ବେପାର ଯୋଗୁ ବେଶ ଖୁସି ଅଛନ୍ତି।