ଆନ୍ଧ୍ର ଟ୍ରକ୍‌ରୁ ପାଞ୍ଚ ଲକ୍ଷ ଟଙ୍କାର ମାଛ ଲୁଟ୍

ଦୁଇ ଗିରଫ, ଟ୍ରକ, ଲୁଟ୍‌ ମାଛ ଜବତ

ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ଜତୀୟ ରାଜପଥ-୧୬ ପାର୍ଶ୍ବ କୋକ‌ ପଟ୍ରୋଲ୍‌ ପମ୍ପ୍‌ ନିକଟରେ ଦୁର୍ବୃତ୍ତ ମାନେ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଯାଉଥିବା ଏକ ମାଛ ବୋଝେଇ ଟ୍ରକ୍‌(ଏପି-୩୯-ଡବ୍ଲୁ-୩୭୩୬)ରୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୫ଲକ୍ଷ ଟଙ୍କାର ମାଛ ଲୁଟି ନେଇଥିଲେ। ରମ୍ଭା ପୁଲିସ ଚଢ଼ଉ କରି ଦୁଇ ଦୁର୍ବୃତ୍ତଙ୍କୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରୁ ଧରିବାରେ ସକ୍ଷମ ହୋଇଛି। ସେମାନେ ଇଛାପୁରରେ ଏକ ଗୋଦାମରେ ମାଛ ଅନ୍‌ଲୋଡିଂ କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ଗିରଫ ଦୁଇଜଣ ହେଲେ ଗୌରାଙ୍ଗପାଟଣାର ରଞ୍ଜନ ବେହେରା ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଅଞ୍ଚଳର ଦିଲ୍ଲୀପ ମଲ୍ଲିକ। ସେମାନେ ବ୍ୟବହାର କରିଥିବା ଟ୍ରକ ସହ ଗାଡ଼ି ଭିତରୁ ଦୁଇଟି ଖଣ୍ଡା, ପାଞ୍ଚ ଫୁଟ ଲମ୍ବର ଦୁଇଟି ଲୁହାରଡ଼ ଜବତ ହୋଇଛି। ଏହି ଘଟଣାରେ ପାଞ୍ଚରୁ ଅଧିକ ଯୁବକ ସାମିଲ ଥିବା ପୁଲିସ କହିଛି।

ମିଳିଥିବା ସୂଚନା ଅନୁଯାୟୀ, କୋକ ପେଟ୍ରୋଲ ପମ୍ପରୁ ତେଲ ପକାଇ ମାଛ ଟ୍ରକ୍‌ ଶହେ ମିଟର ଆଗକୁ ଯିବା ପରେ ରାସ୍ତା ମଝିରେ ଏକ ଟ୍ରକ (ଓଡି-୦୨-ଏଚ୍‌-୮୭୦୭) ରହିଥିଲା। ମାଛ ଟ୍ରକ୍‌ ଅଟିକିବା ସଙ୍ଗେ ସଙ୍ଗେ ପାଞ୍ଚ ଜଣ ଯୁବକ ଓହ୍ଲାଇ ଟ୍ରକ୍‌କୁ ରାସ୍ତା ପାର୍ଶ୍ବକୁ ନେବା ପାଇଁ କହି ଡ୍ରାଇଭର ପୁନାଲୁ ଆପନା, ହେଲ୍‌ପର ଅର୍ଦ୍ଧାଲୁ ରାଜୁଙ୍କୁ ଜବରଦସ୍ତ ଟ୍ରକ୍‌ରୁ ଓହ୍ଲାଇ ଦେଇଥିଲେ। ୮୭ଟି ମାଛ ପେଟିକୁ ସେମାନେ ଆଣିଥିବା ଟ୍ରକ ଯୋଗେ ଇଛାପୁର ନେଇଥିଲେ। ମାଛ ଟ୍ରକ ଡ୍ରାଇଭର ଆପନା ରାତ୍ରି ପ୍ରାୟ ୧ଟାରେ ରମ୍ଭା ଥାନାରେ ଏତଲା ଦେବା ପରେ ପୁଲିସର ଦୁଇଟି ଟିମ୍‌ ଅପରେସନ୍‌ ଆରମ୍ଭ କରିଥିଲେ। ଗୋଟିଏ ଟିମ୍‌ ବାଲୁଗାଁ ଏବଂ ଅନ୍ୟ ଏକ ଟିମ୍‌ ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଇଛାପୁର ଯାଇଥିଲେ। ସେଠାରୁ ୨ ଜଣଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର