ସୁନ୍ଦରଗଡ଼: ମାତିଛନ୍ତି ସାଇବର ଲୁଟେରା। କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ କହି ତ କେତେବେଳେ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ପରିଚୟ ଦେଇ ଅତି ଚତୁରତାର ସହ ଗ୍ରାହକଙ୍କ ସାମାନ୍ୟ ଅସାବଧନତାର ସୁଯୋଗ ନେଇ ଆଖି ପିଛୁଳାକେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଉଛନ୍ତି। ସୁନ୍ଦରଗଡ଼ ଟାଉନଥାନାରେ ସାଇବର ଲୁଟେରାଙ୍କ ହାବୁଡ଼ରେ ପଡ଼ି ଜଣେ ମହିଳା ଓ ଯୁବକ ଲକ୍ଷାଧିକ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି। ପୁଲିସ ଠକେଇ ଓ ଆଇଟି ଆଇନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମୋବାଇଲ୍ ଫୋନ୍ କଲରେ ଏସବିଆଇ ଗ୍ରାହକ ସେବା କେନ୍ଦ୍ରର ପରିଚୟ ଦେଇ ସାଇବର ଲୁଟେରା ଅତି ଚତୁରତାର ସହ ଓଟିପି ନମ୍ବର ନେଇ ଶଙ୍କରା ବିଜାପଡ଼ାର ମଙ୍ଗୁଳି ଓରାମ ନାମ୍ନି ଜଣେ ମହିଳାଙ୍କ କ୍ରେଡିଟକାର୍ଡରୁ ୫ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଜୁନ୍ ୧୬ ତାରିଖ ଶୁକ୍ରବାର ୫ଟା ୫୦ରେ ଏକ ମୋବାଇଲ ନମ୍ବରରୁ ମଙ୍ଗୁଳିଙ୍କୁ କଲ୍ କରି ନିଜକୁ ଏସବିଆଇ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀ ପରିଚୟ ଦେଇ କ୍ରେଡିଟ୍ କାର୍ଡ ଚାଲୁ ରଖିବ କି ନାହିଁ ବୋଲି ପଚାରିଥିଲା। ଚାଲୁ ରଖିଲେ ଆକାଉଣ୍ଟରୁ ୫୭୮୫ ଟଙ୍କା କଟିବ ଓ ବନ୍ଦ କରିବାକୁ ଚାହୁଥିଲେ ମୋବାଇଲ ନମ୍ବରକୁ ଯାଇଥିବା ଓଟିପି ନମ୍ବର ପଠାଇ ଦିଅ ବୋଲି କହିଥିଲା। ମହିଳା ଜଣକ ଚଟାପଟ ଓଟିପି ନମ୍ବର ପଠାଇ ଦେଇଥିଲେ। ଏହା ପରେ ତାଙ୍କର ଦୁଇଟି କ୍ରେଡିଟ୍ କାର୍ଡରୁ ୫ ଲକ୍ଷ ଟଙ୍କା ଉଠିଯାଇଥିଲା। ଏହା ଜାଣିବା ପରେ ମହିଳା ମୁଣ୍ଡରେ ହାତ ଦେଇଥିଲେ। ସେହିପରି ବନ୍ଧପାଲିର ଅମରେଶ କୁମାର ପଟେଲଙ୍କୁ ଜଣେ ଅଜଣା ବ୍ୟକ୍ତି କଲ୍ କରି ସେ ବ୍ୟବହାର କରୁଥିବା ଏକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡର ଦେଣନେଣ ବିଷୟରେ ପଚାରି କିଛି ସମୟ ପରେ ମୋବାଇଲକୁ ଆସିଥିବା ଓଟିପି ନମ୍ବର ନେଇ ଯାଇଥିଲା। ପରେ ପରେ ଶ୍ରୀ ପଟେଲଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା କଟି ଯାଇଥିଲା। ସାଇବର ହାବୁଡ଼ରେ ପଡ଼ିଥିବା ଜାଣି ଥାନାରେ ଏତଲା ଦେଇଛନ୍ତି ଅମରେଶ।