ଜୟପୁର ଏୟାରଷ୍ଟ୍ରିପ ସୁରକ୍ଷା ଯାଞ୍ଚ କଲେ ୫ ଜଣିଆ ବିକାଶ ଟିମ୍

ଜୟପୁର: ଜୟପୁର ଏୟାରଷ୍ଟ୍ରିପରୁ ବିମାନ ଉଡାନ ପୂର୍ବରୁ ୫ ଜଣିଆ ବିକାଶ ଟିମ୍ ଆସି ପହଞ୍ଚିଛନ୍ତି। ଜୟପୁର ଏୟାରଷ୍ଟ୍ରିପରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଛି ଓ ଅନ୍ୟ କଣ ବ୍ୟବସ୍ଥାର ଆବଶ୍ୟକତା ଅଟେ ସେ ନେଇ ଆଲୋଚନା କରିଛନ୍ତି। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ଏହି ଟିମ୍ ନେଇଛନ୍ତି। ଏହି ଟିମ୍ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ସହ ସବିଶେଷ ଆଲୋଚନା କରିଥିବା ବେଳେ ବାକି ରହିଥିବା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗକୁ କହିଛନ୍ତି। ୨ ମାସ ମଧ୍ୟରେ କାମ ‌ଶେଷ ହେଲେ ଜୟପୁରରୁ ବିମାନ ଉଡିବା ନେଇ ଆଶା ରହିଛି।

ଭୁବନେଶ୍ବର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗ‌େ ୫ ଜଣିଆ ଟିମ୍ ଆଜି ପୂର୍ବାହ୍ନ ୧୦ଟା ବେଳେ ଜୟପୁର ଏୟାରଷ୍ଟ୍ରିପରେ ପହଞ୍ଚିଥ‌ିଲେ। ଭୁବନେଶ୍ବର ବିସିଏଏସର ରିଜନାଲ ଡାଇରେକ୍ଟର କେ.କେ ଝାଙ୍କ ନେତୃତ୍ବରେ ଏହି ଟିମରେ ଆଇବି ଜଏଣ୍ଟ ଡେପୁଟୀ ଡାଇରେକ୍ଟର ଜେ.ଆର ଆଚାର୍ଯ୍ୟ, ଏଭିଏସ୍‌ଇସିର ‌ନୋଡାଲ ଅଫିସର ଟଙ୍କଧର ପ୍ରଧାନ, ଭୁବନେଶ୍ବର ବିମାନବନ୍ଦର ଚିଫ୍ ସିକ୍ୟୁରିଟି ଅଫିସର ବି.ଏନ୍ ମହାପାତ୍ର, ଏଆର ଟ୍ରାଫିକ କଣ୍ଟ୍ରୋଲର ଏଜିଏମ୍ ସରୋଜ କୁମାର ସାହୁ ଆସିଥିଲେ। ଏହି ଟିମ୍ ଜିଲ୍ଲା ପ୍ରଶାସନ ଓ କ‌ୋରାପୁଟ ଏସ୍‌ପି ବରୁଣ ଗୁଣ୍ଠପାଲିଙ୍କ ସହ ଆଲୋଚନା କରିବା ପରେ ଏହାରଷ୍ଟ୍ରିପର ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ବୁଲି ଦେଖିଥିଲେ। ସେଠାରେ ଥିବା ‌ଏକ୍ସେରେ ମେସିନ୍, ଜିନିଷପତ୍ର ଚେକିଂ ମେସିନ୍, ସିସିଟିଭି କ୍ୟାମେରା, ଡୋର ଫ୍ରେମ୍ ମେଟାଲିକ୍ ଡିଟେକ୍ଟର, ହେଣ୍ଡ୍ ହେଲଡ୍ ମେଟାଲିକ୍ ଡିଟେକ୍ଟର, ୱାକିଟକି ଆଦି ମେସିନ ସବୁ କେମିତି କାର୍ଯ୍ୟ କରୁଛି ଗୋଟିଗୋଟି କରି ପରୀକ୍ଷା କରାଯାଇଥିଲା। ଏଥିସହ ଲୋକଙ୍କୁ ସୂଚନା ପ୍ରଦାନ ପାଇଁ କଣ ବ୍ୟବସ୍ଥା ରହିଛି ଓ କିଭଳି ତାହା ସୁବିଧାରେ ପାଇପାରିବେ ନେଇ ମଧ୍ୟ ଯାଞ୍ଚ କରିଛନ୍ତି। କେଉଁ ସ୍ଥାନରେ କେତେ ସୁରକ୍ଷାକର୍ମୀ ମୁତୟନ ହେବେ, ଗାଡି ପାର୍କିଂ କେଉଁଠି ହେବ, ଲୋକେ କେଉଁ ରାସ୍ତା ଦେଇ ଯାତାୟତ କରିବେ ଓ ସେମାନଙ୍କୁ କିଭଳି ଭାବେ ଯାଞ୍ଚ କରାଯିବ ସେ ନେଇ ମଧ୍ୟ ହୋଇଥିବା ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ।

ଏଥିସହ କେନାଲ ଉପରେ ଚାଲିଥିବା କାମକୁ ଶେଷ କରିବା ଏବଂ ସେଠାରେ ବ୍ୟାରିକେଡ ନିର୍ମାଣ କରିବା, ଟର୍ମିନାଲ ବିଲିଂଡି କାମ, ୬ଟି କ୍ବାଟର ଓ ଆପ୍ରୋଚ ରାସ୍ତାରର ନିର୍ମାଣ କାମ ୧୫ ଦିନରେ ଶେଷ କରିବା ପାଇଁ କହିଛନ୍ତି। ରିଜନାଲ ଡାଇରେକ୍ଟର ଶ୍ରୀ ଝାଙ୍କ କହିବାନୁଯାୟୀ, ଏୟାରଷ୍ଟ୍ରିପର କାମ ସଠିକ ଭାବ‌େ ଚାଲିଥିବା ବେଳେ ଯେତେ ଜଲଦି ହେବ ଏହି କାର୍ଯ୍ୟ‌ ଶେଷ ହେବ। ଭାରତ ସରକାରଙ୍କ ଯେଉଁ ନିୟମାବଳୀ ରହିଛି ସେହି ଅନୁଯାୟୀ ଯାଞ୍ଚ କରାଯାଇଛି ଏବଂ ଏହି ରିପ‌ୋର୍ଟ ସରକାରଙ୍କ ନିକଟକୁ ପଠାଯିବ ବ‌ୋଲି କହିଛନ୍ତି। ଜୟପୁର ଉପଜିଲ୍ଲପାଳ ବେଦବର ପ୍ରଧାନଙ୍କ କହିବାନୁଯାୟୀ, ଏହି ଟିମ୍ ଏୟାରଷ୍ଟ୍ରିପର ଚାରିଦିଗର ସୁରକ୍ଷା ବ୍ୟବସ୍ଥା ପୁଙ୍ଖାନୁପୁଙ୍ଖ ଭାବେ ଦେଖିଛନ୍ତି। ବିମାନ ଆସିଲେ କେମିତି ଓହ୍ଲାଇବ ଓ ଯିବ ସେଠାରେ ସୁରକ୍ଷା କିଭଳି ରହିବ ଓ ୱାଚ ଟାୱାରରେ ସୁରକ୍ଷା କେମିତି ରହିଛି ସେ ନେଇ ଦେଖିଛନ୍ତି। ନିର୍ମାଣ କାର୍ଯ୍ୟ ‌ଶେଷ ହୋଇ ଆସୁଥିବା ବେଳେ ଜୁନ୍ ପ୍ରଥମ ସପ୍ତାହରେ ବିମାଚ ଚଳାଚଳ କରିବ ବୋଲି ଆଶା ରହିଛି। ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଭାସ୍କର ଚନ୍ଦ୍ର ସାମାନ୍ତରାୟ କହିଛନ୍ତି ଯେ, ଏହି ବିକାଶ ଟିମ୍ ଆଜି ସୁରକ୍ଷା ବ୍ୟବସ୍ଥା ଦେଖି ଯାଇଥିବା ବେଳେ ରିପୋର୍ଟ ସରକାରଙ୍କୁ ଦେବେ ଏହାପରେ ଡିଜିସିଏ ଟିମ୍ ଆସି ଏୟାରଷ୍ଟ୍ରିପ ବୁଲି ଦେଖିବ‌େ। ଏହାପରେ ବିମାନ ଚଳାଚଳ ପାଇଁ ଲାଇସେନ୍ସ ମିଳିବା ପରେ ବିମାନ ଉଡିବ। ଏ‌ବେ ୧୨୦୦ ମିଟର ଲମ୍ବା ଓ ୩୦ ମିଟର ଓସାରର ରନୱେ ତିଆରି କରାଯାଇଥିବା ବ‌େଳେ ୯୧୫ ମିଟର ଓ ୨୩ ମିଟର ଓସାରର ୨-ବି ବିମାନ ଚଳାଚଳ ପାଇଁ ଲାଇସେନ୍ସ ଆବଦେନ କରାଯାଇଛି ବୋଲି କହିଛନ୍ତି। ଆଜିର ଆଲୋଚନାରେ ଭୂବନେଶ୍ବର ବିମାନ ବନ୍ଦରର ସିଏନ୍‌ଏସ୍ ମ୍ୟନେଜର ବିଷ୍ଣୁ ବର୍ମା, ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବ‌େହେରା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ସଦର ଥାନା ଅଧିକାରୀ ଇଶ୍ବର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର