ପାଇକମାଳ : ପାଇକମାଳ ଅଞ୍ଚଳରୁ ଦାଦନମାନଙ୍କୁ ନେଇ କଣ୍ଟାବାଞ୍ଜି ଯାଉଥିବା ଏକ ସ୍କର୍ପିଓକୁ ପାଇକମାଳ ପୁଲିସ୍ ମଙ୍ଗଳବାର ରାତିରେ ଅଟକାଇଥିବା ଜଣାପଡ଼ିଛି। ସ୍କର୍ପିଓ (ଓଡି୧୭ଭି୦୫୩୧)ରେ ବସିଥିବା ଶ୍ରମିକମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ହାଇଦ୍ରାବାଦକୁ କାମ କରିବା ପାଇଁ ଯାଉଥିବାର କହିଥିଲେ। ଜିଲ୍ଲା ଶ୍ରମ ବିଭାଗ ନିକଟରେ ନାମ ପଞ୍ଜୀକୃତ କରି ନଥିବା ଜଣାପଡିବା ପରେ ପୁଲିସ୍ ଗାଡି ସହ ସମସ୍ତଙ୍କୁ ଥାନାକୁ ଆଣିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ ମିଠାପାଲି ପଞ୍ଚାୟତ ବୁଟୁରାଖମାର ଗ୍ରାମର ଜଗମୋହନ ମହାନନ୍ଦ(୩୭), ପ୍ରମିଳା ମହାନନ୍ଦ (୩୫), ଭକ୍ତ ମହାନନ୍ଦ(୫୫), କାର୍ତ୍ତିକ ଭୋସାଗର (୩୫), ନୋଲା ବାଗ (୨୭)।
ଗାଡ଼ି ମାଲିକ ଅଭିଜିତ ସିଂ ଓ ଡ୍ରାଇଭର ହୃଷୀକେଶ ସାହୁ ଏବଂ ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ପୁଲିସ୍ ପଚରାଉଚରା କରି ଛାଡି ଦେଇଛନ୍ତି। ଦଲାଲ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଫୁଲକାନି ଗ୍ରାମର ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। ବାହାର ରାଜ୍ୟକୁ କାମ କରିବା ପାଇଁ ଯିବାକୁ ହେଲେ ଜିଲ୍ଲା ଶ୍ରମ ବିଭାଗରେ ପଞ୍ଜୀକୃତ ହୋଇ ନିୟମ ଅନୁସାରେ ଅନ୍ୟ ରାଜ୍ୟକୁ ଯିବା କଥା। ହେଲେ ଦଲାଲଙ୍କ ପ୍ରରୋଚନାରେ ପଡ଼ି ବାହାର ରାଜ୍ୟକୁ ଯାଇ ଠିକାଦାର ପାଖରେ ନିର୍ଯାତନା ହେବା ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ପାଇକମାଳ ପୁଲିସ୍ କେସ୍ ନମ୍ବର ୨୨୯/୨୦ ଧାରା ୩୭୪/୪୨୦ ଆଇପିସି/ଆର/ଡବ୍ଲୁ ଧାରା ୨୫ ଆନ୍ତରାଜ୍ୟ ଦେଶାନ୍ତରି ଏବଂ ଶ୍ରମିକ ଧାରା ୧୯୭୯ରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ଆଇଆଇସି ବିଶ୍ବଜିତ୍ ମନବୋଧଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ବିରଞ୍ଚି ବାରିକ ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ ଥିଲେ। ଏସ୍ଆଇ ପି କେ ପାଣିଗ୍ରାହୀ ଘଟଣାର ତଦନ୍ତ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/MIGRANT-2.jpg)