ଭଦ୍ରକ: ଏକ ସିସି ଟିଭି ଫୁଟେଜରୁ ଧରାପଡିଲେ ଆନ୍ତରାଜ୍ୟ ଗାଡି ଚୋର। ଟାଟା ନଗର ଅଞ୍ଚଳରୁ ୫ ଜଣ ଗାଡି ଚୋରକୁ ଧରିଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏଇ ତଥ୍ୟ ପ୍ରଦାନ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୧୮ ତାରିଖରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଅର୍ଣ୍ଣପାଳ ବଜାର ଅଞ୍ଚଳରୁ ଏକ ବୋଲେରୋ ଗାଡି ନମ୍ବର – ଓଡି- ୦୨- କେ- ୮୪୦୭ ଚୋରି ହୋଇଥିବା ସଂପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା। ବୋଲେରୋ ଗାଡିର ମାଲିକ ମଧୁସୁଦନପୁର ଗ୍ରାମର ପ୍ରମୋଦ କୁମାର ମହଲ ଥାନାରେ ଅଭିଯୋଗ କରିଥିଲେ। ଏଇ ଅଭିଯୋଗ ପରେ ପୁଲିସ ୧୪୦/୨୧ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଗାଡି ଚୋରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ପୁଲିସ। ପୁଲିସର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଚୋରି ହୋଇଥିବା ଗାଡି ସ୍ଥାନରେ ଲାଗିଥିବା ଏକ ସିସିଟିଭର ଫୁଟେଜକୁ ଆଧାର କରି ପୁଲିସ ବହୁ ତଥ୍ୟ ସଂଗ୍ରହ କରିଥିଲା। ସିସିଟିଭି ଫୁଟେଜରେ ଏକ ନାଲି ରଙ୍ଗର ଅଲଟୋ - ୮୦୦ କାରର ଚିତ୍ର ପୁଲିସକୁ ଚୋରଙ୍କ ସଂପର୍କରେ ଅନେକ ସୂଚନା ଦେଇଥିଲା।
ଏଇ ଅଲଟୋ ଗାଡିରେ ଚୋରମାନେ ସେଦିନ ରାତିରେ ଆସି ଘଟଣାସ୍ଥଳରୁ ବୋଲେରୋ ଗାଡିକୁ ଚୋରି କରି ନେଇଥିଲେ। ଗାଡି ନମ୍ବରକୁ ତଦନ୍ତ ପରିସରକୁ ଆଣି ୫ ଜଣ ଚୋରଙ୍କୁ ଠାବ୍ କରି ସେମାନଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତ ହେଲେ ଏସ.କେ. ଇଜାଜୁଲ ହାସିକ୍ (୨୮), ଏସ.କେ. ଖୁସଜାନ ( ୨୩), ଏସ. କେ . ସଦାମ ହୁସେନ୍( ୨୬), ଏସ.କେ. ରାଜଜି (୩୫),ଙ୍କର ଘର ରାଇରଙ୍ଗପୁର, ମୟୁରଭଂଜ ଜିଲ୍ଲାର ବୋଲି ଜଣାପଡିଛି। ସେହିପରି ଅନ୍ୟଜଣେ ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ଗୋପାଳ ପୃଷ୍ଟି (୨୬)। ଏଇ ୫ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା ପ୍ରକାଶ କରିଛନ୍ତି।