ପ୍ରସୂତି ମହିଳା ପଜିଟିଭ୍ ଚିହ୍ନଟ ପରେ ସିଲ୍ ହେଲା ୫ ନର୍ସିଂହୋମ

ଢେଙ୍କାନାଳ: ଅନୁଗୁଳ ଜିଲ୍ଲାର ଜଣେ ପ୍ରସୂତି ମହିଳା ଢେଙ୍କାନାଳ ସହରର ଏକ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ଘଟଣା ଜଣାପଡିବା ପରେ ସହରର ୫ଟି ନର୍ସିଂହୋମ, ୧ଟିି ମେଡିସିନ୍ ଷ୍ଟୋର ଏବଂ ଦୁଇଟି ଅଲ୍‌ଟ୍ରାସାଉଣ୍ଡ କ୍ଲିନିକକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ଏବଂ ସେଗୁଡିକରେ କାର୍ଯ୍ୟରତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀମାନଙ୍କୁ ସଂଗରୋଧରେ ରଖାଯାଇଛି ।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ମହିଧରପୁର ଗ୍ରାମର ଜଣେ ମହିଳା ପ୍ରସୂତି ପାଇଁ ଗତ ୧୪ ତାରିଖରେ ସହରର ଗୋପବନ୍ଧୁ ବଜାର ସ୍ଥିତ ଜଗନ୍ନାଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୫ ତାରିଖ ଦିନ ତାଙ୍କର ଅସ୍ତ୍ରୋପଚାର କରାଯାଇ ଏକ ସନ୍ତାନ ଜନ୍ମ ହୋଇଥିଲା । ୧୬ ତାରିଖ ଦିନ ତାଙ୍କର ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ସମ୍ ହ୍‌ସିଟାଲକୁ ପଠାଯାଇଥିବା ବେଳେ ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।

ଜିିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥ ହସ୍‌ପିଟାଲ୍‌ରେ ସଂପୃକ୍ତ ମହିଳାଙ୍କର ଅସ୍ତ୍ରୋପଚାର କରିଥିବା ଡାକ୍ତର ଏବଂ ଆନେସ୍ଥେସିଆ ଦେଇଥିବା ଡାକ୍ତରଙ୍କର ଅନ୍ୟ କେଉଁଠାରେ ସଂପୃକ୍ତିକୁ ନେଇ ଖୋଳତାଡ ଆରମ୍ଭ ହୋଇଥିଲା । ସେମାନେ ଦେଇଥିବା ସୂଚନା ଅନୁଯାୟୀ ଚନ୍ଦନ ବଜାରସ୍ଥିତ ସାଇ ନର୍ସିଂହୋମ୍‌, ଜଗନ୍ନାଥରୋଡ ଶାସନ ଛକ ସ୍ଥିତ ତୁଳସୀ ନର୍ସିଂହୋମ୍ ଓ ଦିପାଳୀ ନର୍ସିଂହୋମ, ମହାବୀର ବଜାର ସ୍ଥିତ ଦିଶା ନର୍ସିଂହୋମ, ଚନ୍ଦନ ବଜାର ସ୍ଥିତ ଆରୋଗ୍ୟ ମେଡିକାଲଷ୍ଟୋର ଓ ପପୁଲାର ଅଲଟ୍ରାସାଉଣ୍ଡ କ୍ଲିନିକ୍ ଏବଂ ଗୁଡିଆନାଳୀ ସ୍ଥିତ ସିଟି ଅଲଟ୍ରା ସ୍କାନ୍ ସେଂଟରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।

ଜଗନ୍ନାଥ ହସ୍‌ପିଟାଲ୍‌ରେ ଅସ୍ତ୍ରୋପଚାର କରିଥିବା ଏବଂ ନିଶା ଦେଇଥିବା ଡାକ୍ତର, ନର୍ସଙ୍କ ସମେତ କର୍ମଚାରୀମାନଙ୍କୁ ସେଠାରେ ସଂଗରୋଧରେ ରଖାଯାଇଛି । ଏତଦ୍‌ବ୍ୟତୀତ ସିଲ୍ କରାଯାଇଥିବା ସମସ୍ତ ନର୍ସିଂହୋମ୍‌, ମେଡିସିନ୍ ଦୋକାନ, ଅଲଟ୍ରାସାଉଣ୍ଡ କ୍ଲିନିକ୍ ଆଦିରେ କାର୍ଯ୍ୟରତ ସମସ୍ତକର୍ମଚାରୀମାନଙ୍କୁ ମଧ୍ୟ ସଂଗରୋଧରେ ରଖାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର