୫ ଜଣଙ୍କୁ ବିଦାରିଦେଲା ଭାଲୁ, ଉଦ୍ଧାର ପାଇଁ ହିନସ୍ତା

୨ କିମି ବାଟ ଷ୍ଟ୍ରେଚର୍‌ରେ ବୁହାହେଲେ ଗୁରୁତର ବ୍ୟକ୍ତି

କପ୍ତିପଦା/ଶାଳଚୁଆ/ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚ‌ଳ ପଦ୍ମପୋଖରୀ ପଞ୍ଚାୟତ ଧପଡ଼ା (ରାଇପାଳ) ଗାଁ ପାଠଚୁଆ ସାହିରେ ଆଜି ସକାଳେ ଏକ ଭାଲୁ ଆତର୍କିତ ଆକ୍ରମଣ କରି ୫ ଜଣଙ୍କୁ ରାମ୍ପି ବିଦାରି ଗୁରୁତର କରିପକାଇଛି। ପାଖ ଜଙ୍ଗଲରୁ ଖସି ଆସିଥିବା ଭାଲୁଟି ପ୍ରଥମେ ଗାଁ ପାଖ ବିଲରେ ହଳ କରୁଥିବା ମହାନ୍ତି ବର୍ଜ (୩୫)ଙ୍କୁ ଆକ୍ରମଣ କରିଥିଲା। ପରେ ସେହି ପାଖ ଦେଇ ଯାଉଥିବା ବୃଦ୍ଧ ସୁବୁନା କାଲୁଣ୍ତିଆ (୬୫)ଙ୍କ ଉପରେ ଝାମ୍ପି ପଡ଼ିଥିଲା। ଉଭୟଙ୍କୁ କ୍ଷତାକ୍ତ କରିବା ପରେ ଗାଁକୁ ପଶିଥିଲା ଭାଲୁ। ଗାଁ ଭିତରେ ଘନଶ୍ୟାମ ସାମାଡ଼ (୧୯) ଓ ମାଣିକ ବର୍ଜ (୩୦)ଙ୍କୁ ନଖରେ ରାମ୍ପି ଦେଇଥିଲା। ଗାଁ ଲୋକେ ପାଟି କରିବାରୁ ଭାଲୁଟି ଗାଁ ଭିତରୁ ପଳାଇ ଯାଇଥିଲା। ତେବେ ଜଙ୍ଗଲମୁହାଁ ହେବା ବେଳେ ତା’ ହାବୁଡ଼ରେ ପଡ଼ିଥିଲେ ଟୁଲଗଡ଼ିଆ ଗ୍ରାମର କାଇରା ସିଂ (୫୦)। ସେ ସାଇକେଲ୍‌ରେ ନିଜ ସମ୍ପର୍କୀୟଙ୍କ ଘରକୁ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିବା ସହ ଜଙ୍ଗଲ ଭିତରକୁ ପଳାଇଥିଲା।

ଭାଲୁ ଆକ୍ରମଣରେ ପୃଥକ ପୃଥକ ସ୍ଥାନରେ ଏକାଧିକ ଲୋକ ଗୁରୁତର ହୋଇ ପଡ଼ିଥିବାରୁ ପଡ଼ୋଶୀ ବ୍ଲକ୍‌ ଔପଦା, ଖଇରା, କପ୍ତିପଦା ଓ ଉଦଳାରୁ ଆମ୍ବୁଲାନ୍ସ ଡକାଯାଇଥିଲା। ୪ ଜଣ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ କାଇରା ସିଂଙ୍କୁ ଉଦ୍ଧାର କରିବାରେ ସମସ୍ୟା ହୋଇଥିଲା। ସେ ଜଙ୍ଗଲ ରାସ୍ତାରେ ପଡ଼ିଥିବା ବେଳେ ସେଠାରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ। ବାଟରେ ଏକ ଛୋଟ ପାହାଡ଼ ଓ ନାଳ ପଡ଼ୁଥିବାରୁ ଆମ୍ବୁଲାନ୍ସ ରଖି ଚାଲିଚାଲି ଜଙ୍ଗଲ ଭିତରକୁ ଯାଇଥିଲେ ଇଏମ୍‌ଟି ଅରବିନ୍ଦ ସାହୁ, ଚାଳକ ଗୌରହରି ମହାନ୍ତ ଓ ହେଲପର ରଞ୍ଜନ କୁମାର ମହାନ୍ତ। ଗ୍ରାମବାସୀଙ୍କ ସାହାଯ୍ୟରେ କାଇରାଙ୍କୁ ଷ୍ଟ୍ରେଚରରେ ୨ କିମି ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ଉଦଳା ଡାକ୍ତରଖାନା ଅଣାଯାଇଥିଲା। ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସୁଗୁନାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର