ଗଞ୍ଜାମରେ ବନ୍ୟଜନ୍ତୁ ଶିକାର ପାଇଁ ଗଲାଣି ୫ ଜୀବନ

ଭାଲୁ, କୁକୁର ଓ ୨ ଗର୍ଭିଣୀ ଗାଈ ବି ମଲେଣି, ବାର୍‌ହା ଗଣହତ୍ୟା ଘଟଣା ଉପରୁ ଉଠିନି ପରଦା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ସୀମା ଲଂଘିଛି। ଶିକାରୀ ମାନେ ଦିନକୁ ଦିନ ନୂଆ ନୂଆ କୌଶଳ ଅବଲମ୍ବନ କରୁଛନ୍ତି। ବନ୍ୟଜନ୍ତୁ ମାଂସ ଲାଳସା ଏବେ ମଣିଷ ଓ ଗୃହପାଳିତ ପଶୁଙ୍କ ଜୀବନ ପାଇଁ ବିପଦ ସାଜିଛି। ଗତ ବର୍ଷକ ଭିତରେ  ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ୫ ମଣିଷଙ୍କ ଜୀବନ ଗଲାଣି। ଏବେ ଶିକାରୀମାନେ ବାର୍‌ହା ଶିକାର ଲାଗି ନୂଆ କୌଶଳ ଆପଣେଇଛନ୍ତି। ପଟାସ୍‌ ଓ ବୋମା ବ୍ୟବହାର କରୁଛନ୍ତି। ଉକ୍ତ ବୋମା ଚୋବାଇ ଗତ ସପ୍ତାହରେ ଏକ ଗର୍ଭିଣୀ ଗାଈ ସମେତ ଦୁଇ ଗାଈଙ୍କ ମୃତ୍ୟୁ ଘଟିଲାଣି। ପୂର୍ବରୁ ଗୋଟିଏ ଭାଲୁ ଓ ୨ଟି କୁକୁରଙ୍କ ମୃତ୍ୟୁ ଘଟିଥିଲା। ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିଲେ ହେଁ ବନ ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
ନୂଆବର୍ଷ ଦିନ ବ୍ରହ୍ମପୁର ବନମଣ୍ଡଳ ଦିଗପହଣ୍ଡି ରେଞ୍ଜ୍‌ ରତନେଇ ଚିହ୍ନିତ ସଂରକ୍ଷିତ ଜଙ୍ଗଲରୁ ଏକ ସମ୍ବର ଶିକାର ହୋଇଥିଲା। ସମ୍ବରକୁ ୬ଖଣ୍ଡ କରି ୧୭୫କେଜି ମାଂସ ଅଟୋରେ ନିଆ ଯାଉଥିବା ବେଳେ ବନବିଭାଗ ଜବତ କରିଥିଲା। ପରବର୍ତ୍ତୀ ସମୟରେ ରତନେଇ ସଂରକ୍ଷିତ ଜଙ୍ଗଲ‌ରେ ଏକ ସମ୍ବର ସମ୍ବର ଚମଡ଼ା ଚମଡ଼ା ଗଛରେ ଝୁଲୁଥିବା, ମାଂସ ନଥିବା ଦେଖିବାକୁ ମିଳିଥିଲା। ସୂଚନା ନେବାରୁ ଜଣାଗଲା, ମାଂସ ନିକଟ ବଜାରରେ ଭାଗବାଣ୍ଟି ବିକ୍ରି ହୋଇଥିଲା। ଅନ୍ୟପକ୍ଷରେ ଜିଲ୍ଲାରେ ବାର‌୍‌ହାଙ୍କ ଉପଦ୍ରବ ବୃଦ୍ଧି ପାଉଛି। ପ୍ରତିବର୍ଷ ବାର‌୍‌ହା ପଲପଲ ହୋଇ ଫସଲ ନଷ୍ଟ କରୁଛନ୍ତି। ଦୀର୍ଘବର୍ଷ ହେଲା ମଣିଷ ଓ ଏହି ବନ୍ୟଜନ୍ତୁ ଲଢ଼େଇ ଜାରି ରହିଛି। ଏହି ଲଢ଼େଇରେ କେତେବେଳେ ମଣିଷ ତ କେତେବେଳ ବର୍‌ହା, ବେଳେ ବେଳେ ଉଭୟେ ମରୁଛନ୍ତି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ବାର‌୍‌ହା -ମଣିଷ ଲଢେଇ ଜଟିଳ ସ୍ଥିତରେ ପହଞ୍ଚିଛି। ବନ୍ୟପ୍ରାଣୀ ଶିକାର ଅପରାଧ ହୋଇଥିଲେ ହେଁ ବିଦ୍ୟୁତ ତାର ଓ ବିସ୍ଫୋରକ ବ୍ୟବହାର କରି ବାର‌୍‌ହା ଶିକାର ବେଧଡ଼କ୍‌ ଚାଲିଥିବା ଦେଖିବାକୁ ମିଳୁଛି। ଗତ ୪ତାରିଖରେ ଖଲ୍ଲିକୋଟ ବ୍ଲକ ଅର୍ନ୍ତଗତ କେନ୍ଦୁପାଟ ଗ୍ରାମରେ ଏକ ଗାଈ ବିଲରେ ପଡ଼ିଥିବା ବୋମା ଚୋବାଇ ଦେବାରୁ ଗୁରୁତର ହୋଇଥିଲା। ବାର୍‌ହା ଶିକାର ଲାଗି ଉକ୍ତ ବୋମା ରଖା ଯାଇଥିଲା। ଗତକାଲି ଗାଈଟିର ମୃତ୍ୟୁ ଘଟିଛି। ଉକ୍ତ ଗାଈଟି ୧୫ଦିନ ତଳେ ଏକ ଛୁଆ ଜନ୍ମ ଦେଇଥିଲା। ସେହିପରି ଗତ ୬ତାରିଖରେ କୁକୁଡ଼ାଖଣ୍ଡିରେ ବାର୍‌ହା ଶିକାର ଲାଗି ରଖା ଯାଇଥିବା ‌ଏକ ବୋମା ଚୋବାଇ ଏକ ଗର୍ଭିଣୀ ଗାଈର ମୃତ୍ୟୁ ଘଟିଛି।
୨୦୨୦ ମାର୍ଚ୍ଚରେ ବ୍ରହ୍ମପୁର ସହର ଉପକଣ୍ଠ କୁକୁଡ଼ାଖଣ୍ତି ବ୍ଲକ ଗୁଣ୍ଠବନ୍ଧ ଗ୍ରାମରେ ବାର‌୍‌ହା ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସ˚ସ୍ପର୍ଶରେ ଆସି ଦୁର୍ଯ୍ୟୋଧନ ମଳିକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତାରରେ ଲାଗି ଏକ ଭାଲୁ ଓ ୨ଟି କୁକୁର ମଧ୍ୟ ମରିଥିଲେ। ଗତ ଅଗଷ୍ଟ ୨୯ରେ ଗଞ୍ଜାମ ବ୍ଲକ୍‌ ଗଡ଼ହୁମ୍ମା ଗାଁରେ ବାର‌୍‌ହା ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସ˚ସ୍ପର୍ଶରେ ଦୁଇ ଭାଇ ଲାଖି ଯାଇଥିଲେ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ଗତ ସେପ୍ଟେମ୍ବର ୪ରେ ହିଞ୍ଜିଳିକାଟୁ ଥାନା ସିଙ୍ଗିପୁର ଗ୍ରାମର ଦୁଇ ଭାଇ ରମେଶ ମୁନି ଓ ମଙ୍ଗଳୁ ମୁନିଙ୍କ ବିଲରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବରରେ ୨୩ରେ ଖଲ୍ଲିକୋଟ ଥାନା ଅର୍ନ୍ତଗତ କନକା ପଞ୍ଚାୟତ ଅର୍ନ୍ତଗତ ପିତାଗାଡ଼ିଆ ଗ୍ରାମରେ ଦାଦା-ପୁତୁରା ମିଶି ବାରହା ଶିକାର ଲାଗି ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲେ। ସେଥିରେ ଶିକାରୀ ନିଜେ ଶିକାର ହୋଇ ଯାଇଥିଲେ। ବିଦ୍ୟୁତ ତାର ସ˚ସ୍ପର୍ଶରେ ଆସି ରୁନୁ ପ୍ରାଧନ(୨୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଦାଦା ମାଗୁଣି ପ୍ରଧାନ ଗୁରୁତର ହୋଇଥିଲେ।
୨୦୨୦ ଅକ୍ଟୋବର ୧୩ରେ ବ୍ରହ୍ମପୁର ସହର ଉପକଣ୍ଠ ତଥା ଭଞ୍ଜବିହାର (ବ୍ରହ୍ମପୁର ବିଶ୍ବବିଦ୍ୟାଳୟ) ନିକଟସ୍ଥ ମାଣ୍ତିଆପଲ୍ଲି ମୋନାର୍କ ସରସ୍ବତୀ ଶିଶୁ ମନ୍ଦିର ପଛପାର୍ଶ୍ବ କିଆ ବୁଦାରୁ ୨ଟି ଅଣ୍ଡିରା ଓ ୫ଟି ମାଇ ବାର‌୍‌ହାଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା। ଶବ ବ୍ୟବଛେଦରୁ ବିଷାକ୍ତ ପଦାର୍ଥ ଖାଇ ବାର୍‌ହା ଗୁଡ଼ିକ ମୃତ୍ୟୁ ଘଟିଥିବା ଜଣା ପଡ଼ିଥିଲା। ତେବେ କେଉଁ ପରିସ୍ଥିତିରେ ବାର‌୍‌ହା ଜଙ୍ଗଲରୁ ଆସି ଜନବସତି ନିକଟ କିଆ ବୁଦାରେ ମଲେ ତା’ ଉପରୁ ବନ ବିଭାଗ ପରଦା ହଟାଇ ପାରିନାହିଁ। ବାର୍‌ହା ଗୁଡ଼ିକୁ ବିଷ ଦେଇ ହତ୍ୟା କରା ଯାଇଥିବା କୁହାଯାଉଛି। ଗଞ୍ଜାମ ଜିଲ୍ଲାର ବନ୍ୟଜନ୍ତୁ ଶିକାର ଚରମ ସୀମାରେ ପହଞ୍ଚିଥିବାରୁ ଏହା ପରିବେଶପ୍ରେମୀଙ୍କୁ ବ୍ୟଥିତ କରିଛି।
ସମ୍ବନ୍ଧିତ ଖବର