ବଣାଇଗଡ଼: ଅଜଣାରୋଗରେ ତିନିବର୍ଷ ପୂର୍ବେ ବାପମା’ ଚାଲିଗଲେ ଆରପାରିକୁ। ସେହିଦିନଠାରୁ ନିଜେ ବଞ୍ଚିବା ସହିତ ଅନ୍ୟ ଚାରି ଭାଇଭଉଣୀଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରିଚାଲିଛନ୍ତି ୧୭ ବର୍ଷୀୟା ଆଦିବାସୀ ନାବାଳିକା ବାସନ୍ତୀ ମୁଣ୍ଡା। ଅର୍ଥ ଅଭାବରୁ ନିଜ ବସ୍ତାନିରେ ଡୋରି ବାନ୍ଧି ଦେଇ ଅନ୍ୟ ୪ ଭାଇଭଉଣୀଙ୍କୁ ଶିକ୍ଷିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ୫ ଭାଇଭଉଣୀଙ୍କ ପାଇଁ ୨୫ କିଗ୍ରା ସରକାରୀ ଚାଉଳ ପାଲଟିଛି ବଞ୍ଚିବାର ସମ୍ବଳ। ଏପରି ଏକ କରୁଣକାହାଣୀ ଦେଖିବାକୁ ମିଳିଛି ଲହୁଣୀପଡ଼ା ବ୍ଲକ୍‌ ଶଙ୍ଖପୋଷ ପଞ୍ଚାୟତ ଅମରୁଡ଼ି ଗ୍ରାମର କେନାଲସାହିରେ।

Advertisment

ଗ୍ରାମର ନନ୍ଦଲାଲ ମୁଣ୍ଡା, ସ୍ତ୍ରୀ ଲୁଦୁରି ମୁଣ୍ଡା ୩ ପୁଅ, ୨ ଝିଅଙ୍କୁ ନେଇ ଚାଲିଥିଲା ସଂସାର। ୨୦୨୧ ମସିହାରେ ଆଗପଛ ହୋଇ ଅଜଣାରୋଗରେ ନନ୍ଦଲାଲ ଓ ଲୁଦୁରି ଆଖି ବୁଜିଦେଲେ। ଏହାପରେ ପରିବାରର ବୋଝ ନାବାଳିକା ବାସନ୍ତୀଙ୍କ ଉପରେ ପଡ଼ିଲା। ସେହିଦିନଠାରୁ ଆରମ୍ଭହେଲା ବାସନ୍ତୀଙ୍କ ସଂଘର୍ଷର କାହାଣୀ। ଅନ୍ୟ ୪ ଭାଇଭଉଣୀଙ୍କ ମୁହଁରେ ଦାନା ଯୋଗାଡ଼ କରିବା ଏବଂ ନିଜେ ପଢ଼ିବା ସହିତ ଅନ୍ୟମାନଙ୍କୁ ପଢ଼ାଇବା ପାଇଁ ସଂଘର୍ଷ ଆରମ୍ଭ କରିଦେଲେ ବାସନ୍ତୀ। ମାଟ୍ରିକ୍‌ ପାସ୍‌ କରିବା ପରେ କଷ୍ଟେମଷ୍ଟେ ଯୁକ୍ତଦୁଇ ପର୍ଯ୍ୟନ୍ତ ପଢ଼ିଲେ। ବେଶି ପାଠପଢ଼ି ସରକାରୀ ଚାକିରିକରି ଭାଇଭଉଣୀଙ୍କ ଦ‌ାୟିତ୍ବନେବାର ବାସନ୍ତୀଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। ବାସନ୍ତୀଙ୍କ ଉଦ୍ୟମରେ ଜଣେଭାଇ ମିଶ୍ର ମୁଣ୍ଡା(୧୫) ମାଟ୍ରିକ୍‌ ପାସ୍‌ କଟିଥିବାବେଳେ ବାଗୁନ ମୁଣ୍ଡା(୧୩) ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି।

ଅର୍ଥ ଅଭାବରୁ ମିଶ୍ର କଲେଜରେ ନାମ ଲେଖାଇବାକୁ ଅକ୍ଷମ ହୋଇଥିବା ବେଳେ ବାଗୁନଙ୍କ ବସ୍ତାନିରେ ଡୋରି ବନ୍ଦାହୋଇଛି। ଅନ୍ୟ ସାନ ୨ ଭାଇଭଉଣୀ ଲକ୍ଷ୍ମୀ ୮ମ ଓ ଆକାଶ ହଷ୍ଟେଲରେ ରହି ପାଠ ପଢୁଥିଲେ। କିନ୍ତୁ ହଷ୍ଟେଲ ରହି ପାଠ ପଢୁଥିଲେ ମଧ୍ୟ ଆନୁସଙ୍ଗିକ ଖର୍ଚ୍ଚ ବାସନ୍ତୀ ଦେବାପାଇଁ ଅସମର୍ଥ ହେବାରୁ ସେମାନଙ୍କ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟିହୋଇଛି। ସରକାରଙ୍କ ୨୫ କେଜି ମାସିକିଆ ଚାଉଳ ମିଳୁଥିବାବେଳେ ତେଲଲୁଣ କିଣିବା ପାଇଁ ମଧ୍ୟ ପଇସା ନାହିଁ। ଧାରଉଧାର କରିବା କିଂବା ବଦାନ୍ୟବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗରେ ବାପମା’ ଛେଉଣ୍ଡ ୫ ଭାଇଭଉଣୀ ଅଭିଶପ୍ତ ଜୀବନ ଜିଇବା ପାଇଁ ବାଧ୍ୟ ହେଉଛନ୍ତି। ସ୍ବର୍ଗତ ବାପମା’ ତିଆରି କରିଥିବା କଚ୍ଚାଘରେ ଲାଗିଥିବା ଟିଣ କବାଟ ଭିତରେ ଅସୁରକ୍ଷିତ ଅବସ୍ଥାରେ ୫ ଭାଇଭଉଣୀ ଶୋଇବା ପାଇଁ ବାଧ୍ୟ ହେଉଛନ୍ତି। ଦୀର୍ଘବର୍ଷ ଧରି ଦୟନୀୟ ଭାବେ ୫ ଭାଇଭଉଣୀ ଚଳୁଥିବାବେଳେ ପ୍ରଶାସନ କିଂବା ରାଜନେତାଙ୍କ ଦୃଷ୍ଟିରେ ସେମାନଙ୍କ ଦୁଃଖ ଦେଖାଯାଉନାହିଁ। ସେମାନଙ୍କ ପଢ଼ିବା ସୁବିଦା କରାଇବା ସହ ଆବାସ ଯୋଜନାରେ ସାମିଲକରି ଘରଟିଏ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।