ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ। ଆସନ୍ତା ୧୫ ତାରିଖ ଓ ୧୬ ଦୁଇଦିନ ଧରି ସମ୍ବଲପୁର ଜିଲ୍ଲାର ୪ଟି ଯାକ ବିଧାନସଭା କ୍ଷେତ୍ରର ବିଭିନ୍ନ ସ୍ଥାନ ବୁଲିବା ସହିତ ଲୋକଙ୍କ ସହିତ ମିଶିବେ। ତେବେ, ଏହି ଗସ୍ତ ପୂର୍ବରୁ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ନାୟକ ବିଭିନ୍ନ ଅଂଚଳ ବୁଲି ସ୍ଥାନୀୟ ନେତାମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି କୁଚିଣ୍ଡା ମୁକୁନ୍ଦିପଡ଼ିଆ, ଫରେଷ୍ଟ ପାର୍କ ସହିତ ଗଡ଼ପୋଷ ଅଂଚଳ ପରିଦର୍ଶନ କରିଥିଲେ। ଜିଲ୍ଲାର ଅନ୍ୟ କେତେକ ଅଚଂଳ ମଧ୍ୟ ବୁଲିଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଆସନ୍ତା ୧୫ ତାରିଖ ଦିନ ୫ଟି ସଚିବ ଭି.କେ.ପାଣ୍ଡିଆନ ସାଢ଼େ ୯ଟାରେ କୁଚିଣ୍ଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାମରା ବ୍ଲକର ଗଡ଼ପୋଷ ହାଇସ୍କୁଲ ପଡ଼ିଆରେ ହେଲିକପ୍ଟରରୁ ଓହ୍ଲାଇ ସିଧାସଳଖ ସ୍ଥାନୀୟ ହକି ଷ୍ଟାଡିୟମକୁ ଯିବେ। ଷ୍ଟାଡିୟମ ବୁଲି ଦେଖିବା ପରେ ହକି ଖେଳାଳିଙ୍କ ସହିତ ଆଲୋଚନା କରିବେ। ସେଠାରୁ ଗଡ଼ପୋଷ ହାଇସ୍କୁଲରେ ପହଂଚି ଛାତ୍ରଛାତ୍ରୀଙ୍କ ସହିତ କଥାବର୍ତ୍ତା କରିବେ। ସେଠାରୁ କୁଚିଣ୍ଡା ଫେରି ଝୁଲେନ୍ ପୋଲ ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିବେ ବୋଲି ଜଣାପଡ଼ିଛି। ଏହା ପରେ ସେ ଭୋଜପୁରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ଜନସାଧାରଣଙ୍କୁ ଭେଟିବା ପରେ ଅର୍ଡାବାହାଲ ଏବଂ ସେଠାରୁ ପୁଣି ରେଂଗାଲି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବୀର ସୁରେନ୍ଦ ସାଏଙ୍କ ଜନ୍ମମାଟି ଖିଣ୍ଡା ଗାଁକୁ ଯିବେ।
ବିକାଶ ପ୍ରକଳ୍ପର ସମୀକ୍ଷା ପରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ଖିଣ୍ଡାରୁ ଫେରି ସପ୍ନେ ସେତୁ ବିକାଶ ପ୍ରକଳ୍ପ ଦେଖିବା ପରେ ରେଂଗାଲି ହାଇସ୍କୁଲ ପଡ଼ିଆରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଏବଂ ଜନସାଧାରଣଙ୍କୁ ଭେଟିବେ ବୋଲି କହାଯାଇଛି। ସେଠାରୁ ସମ୍ବଲପୁର ଆସି ସମଲେଇ ପ୍ରକଳ୍ପର ସମୀକ୍ଷା ପରେ ଯଥାକ୍ରମେ ସରକାରୀ ମହିଳା ମହାବିଦ୍ୟାଳୟ ପଡ଼ିଆ ଏବଂ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ସହିତ କଥାବାର୍ତ୍ତା କରିବେ। ୧୬ ତାରିଖ ସକାଳେ ଘଣ୍ଟେଶ୍ବରୀ ପୀଠ ଦର୍ଶନ ସହିତ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ୫ଟି ସଚିବ ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହୁମା ମନ୍ଦିର, ସନ୍ଥକବି ଭୀମ ଭୋଇଙ୍କ ମଧୁପୁର ଓ କନ୍ଧରା ପୀଠ ଦର୍ଶନ କରିବେ। ସେହିପରି ରେଢ଼ାଖୋଲ ଜଗନ୍ନାଥ ମନ୍ଦିର ଦର୍ଶନ ପରେ କଦମପଡ଼ିଆରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ଦେଓଝରଣ ଜଳପ୍ରପାତ, ଯୁଯୁମୁରା ହକି ଷ୍ଟାଡିୟମ ଓ ଯୁଯୁମୁରା ୫ଟି ହାଇସ୍କୁଲ ପରିଦର୍ଶନ ସାରି ରେଂଗାଲି ବିଧାନସଭା କ୍ଷେତ୍ର ଅନ୍ତର୍ଗତ କିଲାସମାରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଭେଟିବା ପରେ ଅପରାହ୍ଣରେ ଦେବଗଡ଼ ଅଭିମୁଖେ ବାହାରିଯିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।