ମୁଖ୍ୟ ସଚିବଙ୍କ ସହ ଭଦ୍ରକ-କେନ୍ଦ୍ରାପଡ଼ା-ଯାଜପୁର ଗସ୍ତ କଲେ ୫-ଟି ସଚିବ

ଭଦ୍ରକ/ଯାଜପୁର/କେନ୍ଦ୍ରାପଡ଼ା: ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି । ଏହି ଗସ୍ତ କାଳରେ ସେ କରୋନା ମୁକାବିଲା ନେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଭିକେ ପାଣ୍ଡିଆନ ଭଦ୍ରକରେ ସାଳନ୍ଦୀ ହସ୍ପିଟାଲରେ କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଆଜି ଅପରାହ୍ନରେ ସେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଭଦ୍ରକ ପହଞ୍ଚିଥିଲେ । ସେ ଜିଲ୍ଲାପାଳ ଜ୍ଞାନ ଦାସ ଓ ଏସ୍ପି ପଣ୍ଡିତ ରାଜେଶ ଉତ୍ତରମରାଓଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଫେରି ଯାଇଥିଲେ ।

ସେହିଭଳି ଶ୍ରୀ ପାଣ୍ଡିଆନ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଟାଟା ମେଡିକା ହସ୍ପିଟାଲକୁ ଯାଇ କରୋନା ୱାର୍ଡ ବୁଲି ଦେଖିବା ସହିତ ଏଠାରେ କମ୍ପାନି ତରଫରୁ କରାଯାଇଥିବା ବ୍ୟାପକ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଏଥି ସହ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସହ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ, ବ୍ରହ୍ମବରୋଦାରେ ହୋଇଥିବା କଣ୍ଟେନମେଣ୍ଟନ ଜୋନ ସଂପର୍କରେ ଆଲେଚନା କରିଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲାର ଛତାସ୍ଥିତ ସରକାରୀ ପଲିଟେକନିକ କଲେଜରେ କରାଯାଇଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏହା ଆଗାମୀ ୪/ ୫ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ । ସ୍ଥିତି ଅନୁଧ୍ୟାନ କରି ସେ ଫେରିଯାଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ନୀତିଶେଖର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉର୍ମିଳା ମିଶ. ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ଉପଜିଳ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ  ଦୀଲିପ ପରିଡ଼ା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର