ପାଳନ ହେଲା ନାହିଁ ପ୍ରଶାସନର ପ୍ରତିଶ୍ରୁତି; ପାଣିରେ ବୁଡ଼ିବ ୫ହଜାର ଏକର ଧାନ ଫସଲ

କିଶନନଗର: କିଶନନଗର ତହସିଲ ଅନ୍ତର୍ଗତ ବାରାହାପାଟ ଓ ଯଶପଡ଼ା ଗହିରର ୫ ହଜାର ଏକରରୁ ଅଧିକ ଚାଷଜମି ବର୍ଷବର୍ଷ ଧରି ବର୍ଷା ପାଣିରେ ବୁଡ଼ି ରହୁଛନ୍ତି। ଏଥିଯୋଗୁଁ ଚାଷୀମାନେ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛନ୍ତି। ଏ ନେଇ ଅଞ୍ଚଳର ଚାଷୀଙ୍କ ରାସ୍ତାରୋକ, ବିକ୍ଷୋଭ, ଆନ୍ଦୋଳନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ବିଗତ ଦୁଇବର୍ଷ ଧରି ଏକାଧିକଥର ପ୍ରତିଶ୍ରୁତି ମିଳିଛି। ହେଲେ, ସମସ୍ୟାର ସମାଧାନ ହୋଇ ନ ଥିବାରୁ ଚଳିତବର୍ଷ ମଧ୍ୟ ଧାନ ଫସଲ ବର୍ଷାପାଣିରେ ବୁଡ଼ି ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି।

ପ୍ରକାଶଥାଉ କି, କିଶନନଗର ତହସିଲ ଅନ୍ତର୍ଗତ ବାରାହାପାଟର ୨ ହଜାରରୁ ଅଧିକ ହେକ୍ଟର (୪ ହଜାର ଏକରରୁ ଅଧିକ) ଚାଷଜମିରେ ଧାନ ଫସଲ ୮-୯ ବର୍ଷ ହେଲା ପାଣିରେ ବୁଡ଼ି ନଷ୍ଟ ହେଉଛି। ଡ୍ରେନେଜ୍‌ ବିଭାଗର ମନମୁଖି କାର୍ଯ୍ୟ ଓ ମତ୍ସ୍ୟଦିଆ ନିଲାମଧାରୀ ପାଣି ଅବରୋଧ କରିବା ଯୋଗୁଁ ବାରାହାପାଟରେ ଜଳବନ୍ଦୀ  ଅବସ୍ଥା ସୃଷ୍ଟି  ହେଉଥିବା ଅଭିଯୋଗ ହୋଇଛି। ବାରାହାପାଟର ଜଳ ନିଷ୍କାସନ ନାଳୀ (ଯୋର)କୁୁ ଡ୍ରେନେଜ୍‌ ବିଭାଗ ପ୍ରତିବର୍ଷ ସଫେଇ କରିବାର ନିୟମ ରହିଛି। ହେଲେ, ବିଭାଗ ପକ୍ଷରୁ ନାମକୁ ମାତ୍ର ସଫେଇ କରାଯାଉଥିବାରୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇପାରୁ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ବର୍ଷା ପାଣିରେ ବାରାହାପାଟ ଦୀର୍ଘଦିନ ବୁଡ଼ି ରହୁଥିବାରୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ଏହା ସଂଲଗ୍ନ ଯଶପଡ଼ା ଗହୀରରେ ମଧ୍ୟ ଅନୁରୂପ ସମସ୍ୟା ସୃଷ୍ଟି ହେଉଛି। ଏଠାରେ ୧ ହଜାର ଏକର ଜମିର ଧାନ ଫସଲ ପାଣିରେ ବୁଡ଼ି ରହୁଛି। ଫଳରେ ଚାଷୀମାନେ ବାରାହାପାଟରୁ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ବାରମ୍ବାର ଦାବି କରି ଆନ୍ଦୋଳନ କରିଛନ୍ତି।

କିଶନନଗର ବିକାଶ ମଞ୍ଚ ପକ୍ଷରୁ ମଧ୍ୟ ଏ ନେଇ ଅନେକଥର ସ୍ୱର ଉତ୍ତୋଳନ କରାଯାଇଛି। ଗତ ୨୦୨୦ ଜାନୁଆରି ୨୭ ତାରିଖରେ ବାରାହାପାଟ ସମସ୍ୟାକୁ ନେଇ ଉତ୍ତ୍ୟକ୍ତ ଚାଷୀମାନେ କିଶନନଗର ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। କେତେକ ଚାଷୀ ସୋମପୁରରେ କଟକ-ପାରାଦୀପ ରାସ୍ତାକୁ ଅବରୋଧ କରିଥିଲେ। ଏହାପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର  ଚୟନି ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ବାରାହାପାଟରୁ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ଲାଗି ୯୮ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା। ହେଲେ, ଠିକାଦାର ଓ ଡ୍ରେନେଜ୍‌ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ  ଅଧାପନ୍ତରିଆ କାମ ହୋଇଥିବା ଅଭିଯୋଗ ହେଉଛି। ଜଳନିଷ୍କାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଶେଷମୁଣ୍ଡକୁ ଜବରଦଖଲ ଆଳ ଦେଖାଇ ସଫା କରାଯାଇ ନ ଥିଲା ବେଳେ ଜଳ ନିଷ୍କାସନ ସୋଠ ପରିବର୍ତ୍ତନ କରାଯାଇ ନ ଥିବା ଜଣାପଡ଼ିଛି। ଫଳରେ ଗତବର୍ଷ ପୁନର୍ବାର ଜଳବନ୍ଦୀ ଯୋଗୁଁ ଫସଲ ନଷ୍ଟ ହୋଇଥିଲା।

ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଗତ ଅଗଷ୍ଟ ୨୫ ତାରିଖରେ ଜଳବନ୍ଦୀ ଅବସ୍ଥାରେ ଥିବା ବାରାହାପାଟ ପରିଦର୍ଶନ କଲେ। ମତ୍ସ୍ୟଦିଆ ନିଲାମ ନ ଦେବା, ଯୋରର ଶେଷମୁଣ୍ଡକୁ ଖୋଳିବା ଓ ଜଳ ନିଷ୍କାସନ ସୋଠ ପରିବର୍ତ୍ତନ କରିବା ପାଇଁ ସେତେବେଳେ ଚାଷୀମାନେ ଦାବି କରିଥିଲେ। ବାରାହାପାଟ ସମସ୍ୟାର ସ୍ଥାୟୀ ସମାଧାନ  କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ, ଚଳିତବର୍ଷ ଯୋର ଶେଷମୁଣ୍ଡ ସଫା କରାଯାଇ ନ ଥିଲା ବେଳେ ବାରାହାପାଟର ଉଦବୃତ୍ତ ଜଳ ସୁକ ପାଇକାକୁ ନିଷ୍କାସନ କରୁଥିବା ସୋଠ ବଦଲା ଯାଇନାହିଁ। ଅନ୍ୟପଟେ, ଶତାଧିକ ଚାଷୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଟଙ୍କା କେଇଟାରେ ବୋଧପୁର ମତ୍ସ୍ୟଦିଆକୁ ପୁଣିଥରେ ନିଲାମ ଦିଆଯାଇଛି। ଏଭଳି ସ୍ଥିତି ଯୋଗୁଁ ଚଳିତବର୍ଷ ପୁନର୍ବାର ବାରାହାପାଟ ଓ ଯଶପଡ଼ା ଗହିରର ୫ହଜାର ଏକର ଜମିରେ ଧାନ ଫସଲ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର