ପଡିଆ: ଗତ କିଛି ସପ୍ତାହ ପୂର୍ବରୁ ମାଲକାନଗିରି ଜିଲ୍ଲା ପଡିଆ ବ୍ଳକର ବାପ଼ନପଲ୍ଲୀ ଗ୍ରାମରେ ଲୋକଙ୍କ ହାତଗୋଡ ଫୁଲିବା ସହ ଶରୀର ଧୀରେ ଧୀରେ କ୍ଷୀଣ ହୋଇ ମାସକ ମଧ୍ୟରେ ୯ ଜଣ ମୃତ୍ୟୁବରଣ କରିଥିବା ଘଟଣା ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।

Advertisment

ଏହାର କିଛି ଦିନ ପରେ ନୀଲିଗୁଡା ଅଞ୍ଚଳରେ ମଧ୍ୟ ସମାନ ଲକ୍ଷଣ ପରିଲକ୍ଷିତ ହେବା ସହ ୫ ଜଣଙ୍କ ମୃତ୍ୟୁ ହୋଇଛି ।  ଏବେ ପୁଣି ପଡିଆ ବ୍ଲକ ଭେଞ୍ଚନପଲ୍ଲୀ ଗ୍ରାମରେ ଠିକ୍ ପୂର୍ବ ଭଳି ଲକ୍ଷଣ ଦେଖାଯିବା ସହ ଗତ ମାସ ମଧ୍ୟରେ ଗ୍ରାମର ୫ଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି।

ସୂଚନା ମୁତାବକ ଦୁଇମାସ ପୂର୍ବେ ଗ୍ରାମର ମୁକା ତେଲାମଙ୍କ ହାତ, ଗୋଡ଼ ଓ ପେଟ ଫୁଲିବା ସହ  ଶରୀରରେ ପୀଡା ଅନୁଭବ ହୋଇଥିଲା। ମୁକା ଖାଦ୍ୟ ଖାଇ ନପାରିବାରୁ ଧୀରେ ଧୀରେ ଶରୀର କ୍ଷୀଣ ହେବାକୁ ଲଗିଲା ଓ ଏଭଳି ରୋଗରେ ଗ୍ରାମର ପ୍ରଥମ ବ୍ୟକ୍ତି ଭାବେ ମୃତ୍ୟୁବରଣ କରିଥିଲେ। ଏହାପରେ ଗ୍ରାମର ବାଟା ଗଙ୍ଗା (୩୬), ଯୋଗେନ୍ଦ୍ର ବାଟା (୩୫), ଗଙ୍ଗା ବାଟା(୪୦) ଓ ବେଟୀ ଲାଛାଙ୍କ ଠାରେ ଅନୁରୂପ ଲକ୍ଷଣ ପରିଲକ୍ଷିତ ହେବା ସହ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ଏଥିସହ ଏହି ଗ୍ରାମର ୫୭ ବର୍ଷୀୟ ବେକ ମୁକେ, ସୋମା ମାଡ଼ି, ଗଙ୍ଗା କାରାମ, ଇର୍ମା ମାଡ଼ିଙ୍କ ସମେତ ରୋଡଗୁଡା ଗ୍ରାମର ସୋୟାମ୍ ମୁକାଙ୍କ ହାତ ଗୋଡ଼ ଓ ପେଟ ଫୁଲିବା ସହ କେତେକଙ୍କ ଠାରେ ପେଟ ବ୍ୟଥା ହେଉଥିବା କହିଛନ୍ତି। କରୋନା ଯୋଗୁଁ ଗ୍ରାମବାସୀ ମେଡିକାଲ ଯିବାକୁ ଭୟ କରୁଥିବା ବେଳେ ଦେଶୀ ଓୗଷଧ ସହ ଗୁଣିଗାରେଡ଼ି ଭରସାରେ ବଞ୍ଚି ରହିଛନ୍ତି । ଗତକିଛିଦିନ ଧରି ସୋୟାମ୍ ମୁକାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଣେ ଦିଶାରୀ ପାଖରେ ଚିକିତ୍ସିତ ହେଉଥିବା ଗ୍ରାମବାସୀ କହିଛନ୍ତି।

ଏପରି ସ୍ଥିତିରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ତୁରନ୍ତ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ବେଟୀ ମାଲା, ମାଡ଼ି ଜଗା, ଇଶ୍ଵର ସାଉଲାମ୍, ମୁଲି ଗଙ୍ଗା, ମାଡ଼ି ନିଲା ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି।