ମାଓ ଇନଫର୍ମର ସନ୍ଦେହ, ୫ ଯୁବକଙ୍କୁ ଉଠାଇ ଆଣିଲା ପୁଲିସ୍!

ସପ୍ତାହେ ହେଲା ଖୋଜ୍ ଖବର ନାହିଁ, ପରିବାର ଲୋକ ଏସପିଙ୍କ ଦ୍ବାରସ୍ଥ

ରାୟଗଡ଼ା: ସାହେବ ଆସିଛନ୍ତି। କଥା ହେବାକୁ ଡାକିଛନ୍ତି। ଚାଲ, କଥା ହୋଇ ଫେରି ଆସିବ..। ଏମିତି କହି ସଶସ୍ତ୍ର ଯବାନ ୭ ତାରିଖ ରାତିରେ ଡିମିରିଗୁଡ଼ା ଅଞ୍ଚଳର ୫ ଯୁବକଙ୍କୁ ଗାଁରୁ ଡାକି ଆଣିଲେ। ହେଲେ ଆଜି ପର୍ଯ୍ୟନ୍ତ କେହି ଜଣେ ବି ଘରକୁ ଫେରି ନାହାନ୍ତି। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକ ଯୁବକଙ୍କ କୌଣସି ସନ୍ଧାନ ପାଉନଥିବାରୁ ଶେଷରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯୁବକମାନେ କେଉଁଠି ଅଛନ୍ତି, କିଏ ତାଙ୍କୁ ଉଠାଇ ନେଇଛି ତାହାର ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପରିବାର ଲୋକଙ୍କୁ ଆଶ୍ବସନା ଦେଇଛନ୍ତି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା।

ଖୋଜ୍ ଖବର ନଥିବା ଯୁବକଙ୍କ ମଧ୍ୟରେ ଅମ୍ବାଦଳା ଥାନା ଟିକରପଡ଼ା ଗ୍ରାମର ବାବୁଲାଲ୍ ପଲକିଆ, ଜାରପା ଗ୍ରାମର ଝୁରୁକା ମାଝି, ଡିମିରିଗୁଡ଼ା ଗ୍ରାମର ରାଜେଶ କୁରୁକୁରିଆ, ଗୁଚୁକାଭାଙ୍ଗୁ ଗ୍ରାମର ଆଶାରାମ କୁଲଦୀପିଆ, ଚକାରାମ କୁଲଦୀପିଆ ରହିଛନ୍ତି। ଏସପିଙ୍କ ନିକଟକୁ ଆସିଥିବା ପରିବାର ଲୋକଙ୍କ କହିବାନୁଯାୟୀ, ଗତ ମଙ୍ଗଳବାର ରାତିରେ ୧୦୦ରୁ ୧୫୦ ଯବାନ ଗାଁକୁ ଆସିଥିଲେ। ଭୋର ୪ଟାରେ ଯବାନମାନେ ଡିମିରିଗୁଡାରେ ପହଞ୍ଚି ରାଜେଶଙ୍କ ଘର କବାଟ ପିଟିଥିଲେ। ପରିବାର ଲୋକ କବାଟ ଖୋଲିବା ପରେ ବଡ଼ ସାହେବ ଆସିଛନ୍ତି। ରାଜେଶକୁ ଡାକୁଛନ୍ତି। କଥା ହୋଇ ଆସିବ ବୋଲି କହି ରାଜେଶକୁ ନେଇ ଚାଲି ଯାଇଥିଲେ। ପରିବାର ଲୋକଙ୍କ ବାରଣ ସତ୍ତ୍ବେ ଯବାନମାନେ ରାଜେଶକୁ ନେଇ ଯାଇଥିଲେ ବୋଲି ମାଆ ଜିରାବତୀ କୁରୁକୁରିଆ କହିଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଅପରାହଣ୍ ୪ଟାରେ ଟିକରପଡ଼ାର ବାବୁଲାଲ୍, ରାତି ୧୦ଟାରେ ଗୁଚୁକାଭାଙ୍ଗୁର ଦୁଇ ଭାଇ ଆଶାରାମ ଓ ଚକାରାମ, ରାତି ୧୧ଟାରେ ଗାରପାର ଝୁରୁକାକୁ ଯବାନମାନେ ଘରୁ ଡାକି ନେଇଥିଲେ। ୨/୩ ଦିନ ପର୍ଯ୍ୟନ୍ତ ଏହି ଯୁବକମାନେ ଘରକୁ ନ ଫେରିବା ପରେ ପରିବାର ଲୋକ ଅମ୍ବାଦଳା ଥାନାକୁ ଯାଇ ପଚରା ଉଚରା କରିଥିଲେ।

କିନ୍ତୁ ପୁଲିସ୍ କାହାକୁ ଉଠାଇ ଆଣିନଥିବା ମନା କରିବା ପରେ ନିରାଶରେ ଘରକୁ ଫେରି ଯାଇଥିଲେ। ଆଶା, ଆଶଙ୍କା ମଧ୍ୟରେ ସପ୍ତାହେ ବିତିବା ପରେ ଆଜି ସଂଧ୍ୟାରେ ଯୁବକଙ୍କ ପରିବାର ଲୋକ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଖୋଜ ଯୁବକଙ୍କ ସଂପର୍କରେ ପରିବାର ଲୋକ ଲିଖିତ ଭାବେ ଏସପିଙ୍କୁ ଦେବା ପରେ ଖୁବ୍ ଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ଏସପି ଶ୍ରୀ ଶର୍ମା ପ୍ରତିଶ୍ରୁତି ଦେଇଛନ୍ତି। ନିଖୋଜ ଯୁବକ ରାଜେଣ ବିଟେକ୍ ପାସ୍ ପରେ ଗ୍ରାମରେ ରହୁଥିବା ବେଳେ ଦୁଇ ଭାଇ ଆଶାରାମ, ଚକାରାମ ଗ୍ରାମରେ ଯୋଗାଣ ସହାୟକ ଭାବେ କାମ କରୁଥିବା ଜଣା ପଡିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖ ରାତିରେ ମାଓବାଦୀ ପୁଲିସ୍ ଇନଫର୍ମର ସନ୍ଦେହରେ ଡିମିରିଗୁଡାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାକୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ପୁଲିସ୍-ଏସଓଜି-ସିଆରପିଏଫ୍ ଯବାନଙ୍କ ପକ୍ଷରୁ କନ୍ଧମାଳ ସୀମାନ୍ତରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି। ଗୁଇନ୍ଦା ସୂଚନାକୁ ଭିତ୍ତି କରି ପୁଲିସ୍ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିବା ସହ ମାଓ ସହଯୋଗୀଙ୍କୁ କାବୁ କରିବାକୁ ପ୍ରୟାସ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସୂଚନା ସଂଗ୍ରହ କରି ମାଓ ସଂଗଠନ ପୁଲିସକୁ ଚ୍ୟାଲେଞ୍ଜ ଦେଉଥିବାରୁ ଜିଲ୍ଲା ପୁଲିସ୍-ସିଆରପିଏଫ୍ ପକ୍ଷରୁ କନ୍ଧମାଳ-ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ ଦମନ ଅଭିଯାନକୁ ଜୋରଦାର୍ କରିଛି।

ସମ୍ବନ୍ଧିତ ଖବର