ବିଜେପିର ପ୍ରସ୍ତୁତି ବୈଠକ, ଦଳରେ ଯୋଗଦେଲେ ୫୦ ଜଣ

ବୈପାରିଗୁଡା: ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈପାରିଗୁଡା ମଣ୍ଡଳ ଉପସଭାପତି କୈଳାସ ନାୟକ ଏବଂ କୋଲାର ମଣ୍ଡଳ ସାଧାରଣ ସମ୍ପାଦକ ଜଗତ ଆର୍ଲାବଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସମ୍ପାଦକ ଚନ୍ଦ୍ର ଶେଖର ରଥ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ନରେନ୍ଦ୍ର କାନ୍ଦଲିଆ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ନଟବର ପଟ୍ଟନାୟକ, ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲଳିତ ପୂଜାରୀ, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ମହାଙ୍କୁଡ, ବୈପାରିଗୁଡା ବ୍ଲକ ଆଦିବାସୀ ମୋର୍ଚ୍ଚା ସଭାପତି ଧନପତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ସହ ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଅସହାୟ ବ୍ୟକ୍ତିଙ୍କୁ ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ସମସ୍ତ ଜନକଲ୍ୟାଣ ଯୋଜନାକୁ ବାଟମାରଣା କରିବା ସହ ମିଛ ପ୍ରଚାର ଜରିଆରେ ନିଜେ ପ୍ରଦାନ କରୁଥିବା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏଣୁ ଏହି ମିଛ ପ୍ରଚାରକୁ ପ୍ରତିହତ କରିବା ପାଇଁ ବିଜେପି ତରଫରୁ ଦୃଢ଼ ପଦକ୍ଷେପ ନିଆଯିବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ବ୍ଲକର ପ୍ରତ୍ୟେକ ବିଜେପି କର୍ମୀ ଗ୍ରାମାଞ୍ଚଳରେ ପହଞ୍ଚି ପ୍ରଧାନମନ୍ତ୍ରୀ ଲୋକଙ୍କ ପାଇଁ ଚାଉଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,କରୋନା ଟୀକାକରଣ,ମେଗା ଜଳ ପ୍ରକଳ୍ପ ଭଳି ବହୁ ଜନହିତକର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ବୁଝାଇବାକୁ ପଡ଼ିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମକର ମାଳି, ଦୀନେଶ ପଣ୍ଡା, ବରିଷ୍ଠ କାର୍ଯ୍ୟକର୍ତ୍ତା ଏନ୍ ହରି ପ୍ରସାଦ, ରମେଶ ନାୟକ, ସୁରେଶ ହରିଜନ,କମଳ ଲୋଚନ କିର୍ସାନି, ଅର୍ଜୁନ କିର୍ସାନିଙ୍କ ସହ ସମସ୍ତ ପଞ୍ଚାୟତର ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଦଳରୁ ୫୦ ଜଣ କର୍ମୀ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର