ଲଇକେରା: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ୍ ଲଇକେରା ଗ୍ରାମରେ ଅଭିନବ ଠକେଇର ଶିକାର ହୋଇଛନ୍ତି ଶତାଧିକ ମହିଳା। ସେମାନଙ୍କ ନାମରେ ଫାଇନାନ୍ସ କମ୍ପାନିରୁ ଋଣ ଉଠାଇ କିଛିଦିନ ଶୁଝିବା ପରେ ଚମ୍ପଟ ମାରିଛନ୍ତି ଏକ ପରିବାର। ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରୁ ପ୍ରାୟ ୫୦ ବର୍ଷ ପୂର୍ବେ ଲଇକେରାକୁ ଆସିଥିଲେ ସ୍ବର୍ଗତ ମାଧବ ଚନ୍ଦ୍ର ମେହେଣା। ବୃତ୍ତି ଥିଲା ଗ୍ରାମାଞ୍ଚଳରେ କଂସା ବେପାର କରିବା। ସମାୟାନୁକ୍ରମେ ଏଠାରେ ଜାଗାକିଣି ପୁଅମାନଙ୍କ ସହ ରହୁଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା।

Advertisment

ପୁତ୍ର ସୁରେନ୍ଦ୍ର ମେହେଣା ବି ବାପାଙ୍କ କୌଳିକ ବୃତ୍ତିକୁ ଆପଣାଇ ପରିବାର ପୋଷଣ କରୁଥିଲା। ତେବେ ସୁରେନ୍ଦ୍ରର ପତ୍ନୀ ସରିତା ଓ ପୁଅ ଶୁଭମ୍ ମିଶି କିଛି ବର୍ଷତଳେ କିର୍ମିରା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମର ମହିଳାମାନଙ୍କୁ ପ୍ରବର୍ତ୍ତାଇ ପ୍ରତି ଗାଁରୁ ୫ରୁ ୧୦ ଜଣ ମହିଳାଙ୍କୁ ନେଇ ଗୋଟିଏ ଗୋଟିଏ ଏସଏଚଜି ଗ୍ରୁପ୍ ଗଠନ କରିଥିଲେ। ଏହି ଗ୍ରୁପ୍ ମାଧ୍ୟମରେ ସଦସ୍ୟା ଥିବା ମହିଳାମାନଙ୍କ ନାମରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନିଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ଋଣ କରାଇଥିଲେ। ଜଣେ ଜଣେ ମହିଳାଙ୍କ ନାମରେ ଏକାଧିକ ଋଣ କରାଇ ଋଣ ଦେଇଥିବା ଫାଇନାନ୍ସ କମ୍ପାନିକୁ ସାପ୍ତାହିକ କିସ୍ତି ମଧ୍ୟ ପଇଠ କରୁଥିଲେ। ଏହିପରି କିଛିବର୍ଷ ଦେଣନେଣ ପରେ ସୁଯୋଗ ଦେଖି ଶତାଧିକ ମହିଳାଙ୍କ ନାମରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଋଣ ଉଠାଇ ରାତିଅଧିଆ ଫେରାର ହୋଇ ଯାଇଛନ୍ତି ମେହେଣା ପରିବାର। ସାପ୍ତାହିକ କିସ୍ତି ନେବାକୁ ଫଇନାନ୍ସ କମ୍ପାନିଗୁଡ଼ିକ ଆସି ଦେଖିବା ବେଳକୁ ସରିତା ମେହେଣା ନାହାନ୍ତି। ଘରେ ତାଲା ଝୁଲୁଛି। ଫଳରେ ବର୍ତ୍ତମାନ ଯେଉଁ ମହିଳାମାନଙ୍କ ନାମରେ ବାସ୍ତବରେ ଋଣ ହୋଇଛି, ସେମାନଙ୍କ ଘରେ ଯାଇ ବସି ରହୁଛନ୍ତି ଫାଇନାନ୍ସ ବିଭାଗ କର୍ମଚାରୀ। ମେହେଣା ପରିବାର ବିଧବାଙ୍କଠାରୁ ନେଇ ମୂକ ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାମରେ ଋଣ କରିଥିବା ଅଭିଯୋଗ ହୋଇଛି।