୨୮ ଦିନରେ ଧାର୍ଯ୍ୟ ଲକ୍ଷ୍ୟର ୫୦ ପ୍ରତିଶତ ଧାନ ସଂଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇ ୨୮ ଦିନ ବିତିଯାଇଛି । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୫୦ ପ୍ରତିଶତ ଧାନ ସଂଗ୍ରହ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରେ ପୂର୍ବ ବର୍ଷ ଡିସେମ୍ବର ୯ ତାରିଖରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ପୂର୍ବବର୍ଷ ତୁଳନାରେ ପ୍ରାୟ ୧୪ ଦିନ ବିଳମ୍ବରେ ଅର୍ଥାତ୍ ଡିସେମ୍ବର ୨୩ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଖରିଫ ଧାନ କିଣାପାଇଁ ୯ଲକ୍ଷ ୫୮ ହଜାର କ୍ୱିଂଟାଲ୍ ଧାର୍ଯ୍ୟ ଲକ୍ଷ୍ୟ କରାଯାଇଥିଲା । ବର୍ତମାନ ସୁଦ୍ଧା ଜିଲ୍ଲାରେ ୪ଲକ୍ଷ ୬ ହଜାର କ୍ୱିଂଟାଲ୍ ଧାନ ସଂଗ୍ରହ ହୋଇଥିବା ବେଳେ ମିଲରଙ୍କ ଠାରୁ ୫୨ହଜାର ୯୨୭ କ୍ୱିଂଟାଲ୍ ଧାନ ବଦଳରେ ଚାଉଳ ଗ୍ରହଣ କରାଯାଇଛି ।

ପୂର୍ବବର୍ଷ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା । ଖୋର୍ଦ୍ଧା, ଜଟଣୀ, ଟାଙ୍ଗୀ, ବେଗୁନିଆ ଓ ବୋଲଗଡ଼ରେ ଧାନମଣ୍ଡିରେ ଅବ୍ୟବସ୍ଥା ଓ ମିଲରଙ୍କ ମନମୁଖି କାର୍ଯ୍ୟକଳାପ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ଜଟଣୀ ଓ ବୋଲଗଡ଼ରେ ଚାଷୀ ଅବ୍ୟବସ୍ଥାକୁ ନେଇ ଧାରଣରେ ବସିଥିଲେ । ବର୍ତମାନ ମଣ୍ଡିରେ ବିଳମ୍ବ ଧାନ ସଂଗ୍ରହ ଆରମ୍ଭ ନେଇ ପ୍ରାରମ୍ଭିକ ଅସନ୍ତୋଷ ରହିଥିଲା ।

କେତେକ ସ୍ଥାନରେ ପଂଜୀକରଣ ବିଳମ୍ବ, ଟୋକେନ୍ ମିଳିବାରେ ସମସ୍ୟା ଆଦି ଅଭିଯୋଗ ରହିଥିଲେ ମଧ୍ୟ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ପ୍ରକ୍ରିୟା ଆପାତତଃ ଶାନ୍ତିପୂର୍ଣ୍ଣ ରହିଛି । ବିଳମ୍ବରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବାରୁ ଅନେକ ଚାଷୀ ଧାନ ବିକ୍ରି କରିପାରିନଥିବା ଜଣାଯାଇଛି । ଚଳିତବର୍ଷ ୪୩ହଜାର ୬୨୧ଜଣ ଚାଷୀ ୧୩୮ଟି ପିଏସି (ପ୍ରାଥମିକ କୃଷି ସମବାୟ ସମିତି) ଜରିଆରେ ଧାନ ବିକ୍ରି କରିବାକୁ ପଂଜୀକରଣ କରିଥିଲେ । ଗତବର୍ଷ ସମଗ୍ର ଖରିଫ ଧାନସଂଗ୍ରହ ଋତୁରେ ମୋଟ ୧୪ଲକ୍ଷ କ୍ୱିଂଟାଲ୍ ଧାନ ସଂଗ୍ରହ କରାଯାଇଥିଲା ।

ଚଳିତ ବର୍ଷ ଗତ ୨୮ ଦିନ ମଧ୍ୟରେ ୧୧, ୪୬୦ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ଅର୍ଥାତ୍ ମୋଟ ପଂଜୀକୃତ ଚାଷୀଙ୍କ ମଧ୍ୟରୁ ୨୫ ଭାଗ ନିଜ ଧାନ ବିକ୍ରି କରିପାରିଛନ୍ତି । ଯଦି ଏହି ଧାରା ଜାରି ରହେ ତେବେ ଆସନ୍ତା ୨୦-୨୫ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟର ନିର୍ଦ୍ଧାରିତ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଯିବ । ଏଣୁ ଚଳିତ ବର୍ଷ ଧାନ ସଂଗ୍ରହ ଲକ୍ଷ୍ୟ ବଢ଼ାଇବାକୁ ଚାଷୀମହଲରେ ଦାବି ହେଉଛି ।

ଏନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅନାମ ଚରଣ ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଚଳିତ ବର୍ଷ ଧାନ ସଂଗ୍ରହରେ ଯେଭଳି କୌଣସି ଅବ୍ୟବସ୍ଥା ନହେବ ସେନେଇ ସତର୍କ ଦୃଷ୍ଟି ରଖାଯାଇଛି । ସେ ସିଧାସଳଖ ଚାଷୀଙ୍କ ସହ କଥା ହେଉଛନ୍ତି ଓ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ସମିତି ସମ୍ପାଦକ ଓ ଚାଷୀ ମଧ୍ୟ ସହଯୋଗ କରିଛନ୍ତି । ଧାନ ସଂଗ୍ରହ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ । ଏହି ସମୟ ପୂର୍ବରୁ ହିଁ ନିର୍ଦ୍ଧାରିତ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ କରିପାରବେ ବୋଲି ସେ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର