କାଳିଆପାଣି: ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ୫ ଦିନ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଥିବା ସାରୁଆବିଲ ବାତ୍ରାହଟିଂର ୫୦ ଉପଭୋକ୍ତା ସପରିବାର ହନ୍ତସନ୍ତ ହେଉଛନ୍ତି। ନିୟମିତ ନିର୍ଦ୍ଧାରିତ ସମୟରେ ବିଲ ପୈଠ କରିଆସୁଥିଲେ ମଧ୍ୟ ସେମାନେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ କାଳବୈଶାଖୀ ବର୍ଷାରେ ବଜ୍ରପାତରୁ ବସ୍ତିର ଟ୍ରାନ୍ସଫର୍ମର ଫାଟି ଯାଇଥିଲା। ସେଦିନରୁ ଲାଇନ୍ କଟିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଛନ୍ତି।
ନିର୍ଦ୍ଦିଷ୍ଟ ଉତ୍ତର କିମ୍ବା ପ୍ରତିଶ୍ରୁତି ନମିଳିବା ପ୍ରତିବାଦରେ ଆଜି ବସ୍ତିବାସିନ୍ଦା ସଂଘବଦ୍ଧ ଭାବେ ୭ କିଲୋମିଟର ଦୂରରୁ କାଳିଆପାଣି ଟାଟା ପାୱାର(ଟିପିସିଓଡିଏଲ୍) ଅଫିସ ଆସିଥିଲେ ମଧ୍ୟ ପୁଣି ନିରାଶ ହୋଇଥିଲେ। ଗୁହାରି କରିବାକୁ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିନଥିଲା। ଅବହେଳା ପ୍ରତିବାଦରେ ଇନ୍ଦ୍ରମଣି ପ୍ରଧାନ, ସନ୍ତୋଷ ପରମାଣିକ, ଜଗନ୍ନାଥ ସେଠୀ, କୃଷ୍ଣଚନ୍ଦ୍ର ପରମାଣିକ, ରମେଶ ମହାକୁଡ଼, ଜିତେନ୍ଦ୍ର ମୁଣ୍ଡା, ତୁଙ୍ଗା ସାମାଡ଼, କାର୍ତ୍ତିକ ହେମ୍ବ୍ରମ, ଶରତ ମହାରଣା, ରଘୁ ମୁଣ୍ଡା, ଦିଲ୍ଲୀପ ମହାରଣା, ଲାଇକୁ ଓରାମ, କୁଶ ମାଝି, ରଙ୍ଗୁ ଓରାମ୍, ଅଜିତ ବିରୁଆ, ଅନିଲ ଓରାମ୍, ଲାଲୁ ଓରାମ୍, ବୁଦ୍ଧିଆ ଓରାମ୍, ସଞ୍ଜୟ ପ୍ରଧାନ, ସନିଆ ମୁଣ୍ଡା, ରାଜେନ୍ଦ୍ର ମୁଣ୍ଡା, ଧରଣୀ ସିଙ୍କୁ, ପୁନିଆ ଓରାମ୍, ବନମାଳୀ ମୁଣ୍ଡା, ବକୁଳ ମୁଣ୍ଡା, ଟୁନା ମୁଣ୍ଡା, ସନା ପୁହାଣ, ପୂର୍ଣ୍ଣିମା ହେମ୍ବ୍ରମ, ଦିଲ୍ଲୀପ ମହାରଣା ପ୍ରମୁଖ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ସଂପର୍କରେ କାମାକ୍ଷାନଗର ଉପଖଣ୍ଡ ଅଧିକାରୀ ଇଂ ବବଲୁ ମହାରଣାଙ୍କୁ ଯୋଗାଯୋଗ କରିବାରେ ତାଙ୍କ ପାଖରେ ଟ୍ରାନ୍ସଫର୍ମର ଉପଲବ୍ଧ ନଥିବାରୁ ସେବା ବିଳମ୍ବ ହୋଇଥିବା ଦର୍ଶାଇଥିଲେ। ତେବେ ୨ ରୁ ୩ ଦିନ ମଧ୍ୟରେ ଏଠାରେ ନୂଆ ଟ୍ରାନ୍ସଫର୍ମର ଲଗାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/20-6.jpg)